Home ଜିଲ୍ଲା ପରିକ୍ରମା ବୈତରଣୀ ଓ ସାଳନ୍ଦୀର ବନ୍ୟା ଉପର ମୁଣ୍ଡରେ କମିଲା ତଳମୁଣ୍ଡରେ ବଢିଲା, ବନ୍ୟା ବିପନ୍ନଙ୍କୁ ଘାରିଛି...

ବୈତରଣୀ ଓ ସାଳନ୍ଦୀର ବନ୍ୟା ଉପର ମୁଣ୍ଡରେ କମିଲା ତଳମୁଣ୍ଡରେ ବଢିଲା, ବନ୍ୟା ବିପନ୍ନଙ୍କୁ ଘାରିଛି ନଦୀବନ୍ଧରେ ହିଂସ୍ର କୁମ୍ଭୀର ; ଗାଁ ଦାଣ୍ଡରେ ବିଷଧର ସାପ ଭୟ

5

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଉପରମୁଣ୍ଡରେ କମୁଛି । ହେଲେ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତରେ ୮ଦିନ ହେବ ସ୍ଥିତି ଗମ୍ଭୀର ରହିଛି। ଫଳରେ ନଦୀକୂଳିଆ ବନ୍ୟା ଘେରରେ ଥିବା ଲୋକଙ୍କୁ ଏବେ ହିଂସ୍ର କୁମ୍ଭୀର ସହିତ ବିଷଧର ସାପଙ୍କର ଭୟ ଘାରିଛି। ଅନ୍ୟପଟେ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥ ଧୋଇ ଯାଇଥିବାରୁ ଦୀର୍ଘ ୧୦ଦିନ ହେବ ବୈତରଣୀ ନଦୀର ବନ୍ୟାପାଣି ସିଧାସଳଖ ଭାବେ କ୍ଷେତ ଓ ଜନବସତିକୁ ମାଡିଚାଲିଥିବାରୁ ଏବେବି ୪ଟି ପଂଚାୟତର ୨୪ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ବିଶେଷକରି ସାଳନ୍ଦୀ ନଦୀର ହିଂସ୍ର କୁମ୍ଭୀର ଘୂରି ବୁଲୁଥିବାରୁ ଶୀତଳପୁର, ପାଲଟପୁର, ନାନ୍ଦପୁର, ପାରଡିଆ, ଖଟୁଆପାଟଣା ଗାଁରେ କୁମ୍ଭୀର ଭୟ ସହ ବିଷଧର ସାପଙ୍କର ଭୟ ଘାରିଛି। ଏପରିକି ଏହି ଅଂଚଳରେ ୪ଜଣ ସର୍ପାଘାତରେ ଶୀକାର ହୋଇଥିବା ବେଳେ ମୁଁଆ, ସନ୍ତରା, ବାତୋଳ, ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, ସିଙ୍ଗିପୁର, ସାନପଙ୍କି, ପହଣା, ଆରଡି ଆଦି ଅଂଚଳରେ ବୈତରଣୀ ନଦୀର ୨ଟି ହିଂସ୍ର କୁମ୍ଭୀର ଘୂରି ୍ୱୁଲୁଥିବା ଲୋକେ ଦେଖି ଭୟଭିତ ହୋଇପଡ଼ିବା ସହ ନଦୀବନ୍ଧକୁ ଯିବା ବନ୍ଦ କରିଦେଇଛନ୍ତି। ଏପଟେ ଗାଁ ଦାଣ୍ଡରେ ବିଷଧର ସାପ ସହ ବହୁ ସରିସୃପଙ୍କର ଭୟ ଘାରିଛି ବନ୍ୟା ବିପନ୍ନଙ୍କୁ। ଏହି ଅଂଚଳର ଗତ ୨ଦିନ ମଧ୍ୟରେ ୪ଜଣ ସର୍ପାଘାତରେ ଶୀକାର ହୋଇ ଆରଡି ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଗତ ବୁଧବାର ଆରଡି ମେଡ଼ିକାଲରେ ୭ଜଣ ସର୍ପାଘାତ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଗୁରୁବାର ଦିନ ଜଣେ ସର୍ପାଘାତ ରୋଗୀ ଚିକିତ୍ସିତ ହୋଇ ଫେରିଥିବା ମେଡିକାଲ ଅଫିସର ଡ଼ା. ତୃଙ୍ଗତୁଷ୍ଣା ମହାନ୍ତି କହିଛନ୍ତି। ବନ୍ୟାପାଣି ଠିକ ଭାବେ ନିଷ୍କାସନ ହେଉନଥିବାରୁ ୬ଦିନ ହେବ ଆଖଣ୍ଡଳମଣି ପ୍ରବେଶ ପଥ ଠାରୁ ଓଳଗମଠ ଯାଏଁ ଦୀର୍ଘ ୩କିମି ରାସ୍ତାର ୨/୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ରହିଛି। ସେହିପରି ପୀଠରେ ବ୍ୟାଙ୍କ, ଆରଡିଫାଣ୍ଡି, ପୋଷ୍ଟ ଅଫିସ ସହ ୨୪ଟି ଗାଁର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ୟା ପାଣିରେ ବୁଡି ରହିଛି। ଏବେବି ବହୁ ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ଆଣ୍ଠୁଏ ଉଚ୍ଚରୁ ଲହଡ଼ି ମାରୁଛି। ବନ୍ୟାରେ ବିପନ୍ନଙ୍କୁ ସରକାରୀ ଶୁଖିଲାଖାଦ୍ୟ ଓ ରନ୍ଧାଖାଦ୍ୟ ମିଳୁନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ସେହିପରି ମେଡିକାଲ କିମ୍ବା ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଘରୁ ବାହାରକୁ ଓ ବଜାର ମେଡିକାଲ ଆସିବାକୁ ହେଲେ ଦେଶୀ ଡଙ୍ଗା ସାହାଭରଷା ସାଜିଛି ବିପନ୍ନଙ୍କର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.