ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାରେ ଅଛି ରଖେ ହରି ମାରେ କିଏ।ଏମିତି ଏକ ଆଶ୍ଚର୍ଯ୍ୟଚକିତ ହେଲା ଭଳି ଘଟଣା ସାମ୍ନାକୁ ଆସିଛି ଧାମନଗରର ସର୍ବାଧିକ ବନ୍ୟା ପ୍ରଭାବିତ ଅଂଚଳ ଅର୍ଜୁନପୁରରୁ। ପାଂଚ ଦିନ ଧରି ଭାସମାନ ବନ୍ୟା ଜଳର ସ୍ରୋତ ମଧ୍ୟରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ।ଉଦ୍ଧାର ଯୁବକ ହେଉଛନ୍ତି ସୁନନ୍ଦ ବେହେରା(୪୦)। ଧାମନଗର ବ୍ଲକ୍ ଅର୍ଜୁନପୁର ପଂଚାୟତ ବାଲିପାଟଣା ମୁକ୍ତାନଗର ଗ୍ରାମର ପ୍ରଭାକର ବେହେରାଙ୍କ ପୁଅ ସୁନନ୍ଦ ଗତ ଶୁକ୍ରବାର ଦିନ ଚାଷ ଜମିକୁ ଯାଇଥିଲେ। ହଠାତ୍ ବନ୍ୟା ସ୍ରୋତ ମାଡ଼ି ଆସିବାରୁ ସେ ଆଉ ଘରକୁ ଫେରିପାରି ନଥିଲେ। ଚାରିଆଡ଼େ ଜଳମଗ୍ନ ପରିସ୍ଥିତି ଓ ପ୍ରବଳ ସ୍ରୋତ ସୁନନ୍ଦଙ୍କ ବାଟ ଓଗାଳି ଥିଲା । ପରିବାର ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ମଙ୍ଗଳବାର ଦିନ ଓଡ଼୍ରାଫ୍ ଟିମ୍ ସହ ବାଲିପାଟଣା ମେଡିକାଲ୍ର ଡାକ୍ତର ଜନ୍ମଜୟ ଦ୍ୱିବେଦୀ, ଫାର୍ମାସିଷ୍ଟ ରାକେଶ ବିଶ୍ୱାଳ ଏବଂ ଏଲ୍.ଟି. ସତ୍ୟଜିତ୍ ଦାସ ବୋଟ୍ ଯୋଗେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ସ୍ଥାନୀୟ ବାଜାପତି ପଡ଼ିଆ ଅଂଚଳରେ ଖୋଜାଖୋଜି ବେଳେ ଏକ ତାଳଗଛକୁ ଜାବୋଡି ଧରି ରହିଥିବା ଅବସ୍ଥାରେ ସୁନନ୍ଦଙ୍କୁ ଠାବ କରାଯାଇଥିଲା। ଓଡ଼୍ରାଫ୍ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୀର୍ଘ ୫ ଦିନ ଧରି ଭୋକ ଉପାସରେ ପାଣି ଭିତରେ ରହିଥିବାରୁ ସୁନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।ଅତ୍ୟନ୍ତ ଦୁର୍ବଳ ଅନୁଭବ କରୁଥିଲେ ସେ। ତାଙ୍କୁ ବାଲିପାଟଣା ମେଡିକାଲରେ ଭର୍ତି କରାଯାଇ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି।ଜୀବନ ମୃତ୍ୟୁର ଦୋ ଛକି ମଧ୍ୟରେ ଦିନ ବେଳାର ପାଣିର ସାଇଁ ସାଇଁ ଶବ୍ଦ ଆଉ ଘନ ଅନ୍ଧାର ରାତିର ନିର୍ଜନତା ମଧ୍ୟରେ ପାଂଚ ଦିନ ବିତାଇବା ପରେ ସୁନନ୍ଦ ସୁରକ୍ଷିତ ଫେରିବା ଘଟଣାକୁ ଗାଁ ଓ ପରିବାର ଅଲୌକିକ ବୋଲି କହିଛନ୍ତି।







