ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷର ଚତୁର୍ଥ ବନ୍ୟାରେ ଧାମନଗର ବ୍ଲକର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି। ଘରଦ୍ୱାରରେ ବନ୍ୟାଜଳ ପଶିଥିବା ବେଳେ ଅନେକ ପରିବାର ଖାଦ୍ୟ, ପଲିଥିନ୍ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଅପେକ୍ଷାରେ ରହିଛନ୍ତି। ଏଭଳି ସ୍ଥିତିରେ ବନ୍ୟା ବିପନ୍ନଙ୍କ ସମସ୍ୟା ଓ ରିଲିଫ୍ ବଂଟନର ସ୍ଥିତି ଅନୁଧ୍ୟାନ କରିଛି ବିଜେଡିର ଏକ ପ୍ରତିନିଧି ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଦୋବଲ, ବୟାଙ୍ଗଡିହ, କୋଠାର, ଭଟସାହି ଓ ନଦୀଗାଁ ଅଞ୍ଚଳ ପରିଦର୍ଶନ କରିଥିଲେ। ଗେଙ୍ଗୁଟି ନଦୀବନ୍ଧରେ ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ। ବିପନ୍ନଙ୍କ ଅଭିଯୋଗ ଅନୁଯାୟୀ, କେତେକ ପରିବାରକୁ ମାତ୍ର ୨୦୦ ଗ୍ରାମ ଚୁଡ଼ା ଓ ୫ଟି ବିସ୍କୁଟ୍ ଦିଆଯାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ପଲିଥିନ୍ ମଧ୍ୟ ଆବଶ୍ୟକତା ଅନୁସାରେ ମିଳୁନାହିଁ। ରନ୍ଧା ଖାଦ୍ୟ ଠିକ୍ ଭାବେ ପହଂଚୁନଥିବା ଏବଂ ସରକାରୀ ଖାଦ୍ୟ ବିକ୍ରି ହେଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଥିବା ଡ଼. ସାହୁ କହିଛନ୍ତି। ତେବେ ଏସବୁ ଅଭିଯୋଗର ସ୍ୱାଧୀନ ସତ୍ୟାପନ ହୋଇନାହିଁ। ବନ୍ୟା ପରିସ୍ଥିତିକୁ ନେଇ ଡ଼. ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ କରି ‘ବନ୍ୟା ଟୁରିଜିମ୍’ ବନ୍ଦ କରିବାକୁ ଦାବି କରିବା ସହ ବନ୍ୟା ବିପନ୍ନ ଚାଷୀଙ୍କୁ ତୁରନ୍ତ ସହାୟତା ଏବଂ କୃଷି ଋଣ ଛାଡ଼ କରିବାକୁ କହିଛନ୍ତି। ବନ୍ୟା ବିପନ୍ନଙ୍କ ଅଭିଯୋଗ ନେଇ ଆଗାମୀ ବିଧାନସଭା ଅଧିବେଶନରେ ଧାମନଗରର ବନ୍ୟା ପ୍ରସଙ୍ଗକୁ ଦୃଢ଼ତାର ସହ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ପରିଦର୍ଶନରେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ନିର୍ବାଚନମଣ୍ଡଳୀ ସ୍ତରୀୟ ନେତା ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ପ୍ରଦୀପ ମଲ୍ଲିକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିଦ୍ୟୁତ ଲତା ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଧାମନଗର ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଅର୍ଜୁନପୁର ସରପଂଚ ସରିତା ମହାନ୍ତି, ମୁସ୍ତାଫପୁର ସରପଂଚ ଜିସନାରା ବିବି, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଜ୍ଞାନ ରଞ୍ଜନ ମହାକୁଡ଼, ବୈଦେହୀ ବେହେରା, ସୁଦୀପ୍ତ ଖଟୁଆ, ଧାମନଗର ନଗର ସଭାପତି ବିଜୟ କେତନ ସାହୁ ଓ ପୂର୍ବତନ ନଗର ସଭାପତି ସୁଶାନ୍ତ ରାଉତଙ୍କ ସମେତ ବିଭିନ୍ନ ପଂଚାୟତର ଦଳୀୟ ସଭାପତି, ଛାମୁଆ ସଂଗଠକ ଓ ବନ୍ୟା ବିପନ୍ନମାନେ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ବନ୍ୟାରେ ଧାମନଗର ବେହାଲ, ରିଲିଫ୍ ନେଇ ବିପନ୍ନଙ୍କ ଅସନ୍ତୋଷ, ବିଜେଡି ପ୍ରତିନିଧି ଦଳର ବନ୍ୟାଂଚଳ ପରିଦର୍ଶନ







