ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବନ୍ୟା ପ୍ରପୀଡ଼ିତ ଅଂଚଳ ଭାବେ ପରିଚିତ ହସନାବାଦ ଓ ଅର୍ଜୁନପୁର ପଂଚାୟତବାସୀଙ୍କ ଦୁଃଖ କହିଲେ ନସରେ। ପ୍ରତିବର୍ଷ ବୈତରଣୀ ଓ କୋଚିଳା ନଦୀର ବନ୍ୟା ଜଳରେ ଅସ୍ତକ ଓ ଅନଲଡିହ ଦେଇ ଏହି ଦୁଇ ପଂଚାୟତର ଅନେକ ଗ୍ରାମ ଜଳମଗ୍ନ ହୋଇଥାଏ। ପ୍ରାୟ ୧୫ ଦିନ କାଳ ଲୋକେ ଭୋକ ଉପାସରେ ଜଳବନ୍ଦୀ ହୋଇ ରହିବା ସ୍ଥାନୀୟ ଅଂଚଳରେ ଏକ ନିତିଦିନିଆ ଘଟଣା ପାଲଟିଛି। ଏହାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନରୁ ଅସ୍ତକ ଓ ଅନଲଡିହ ଠାରେ ଏକ ଘେରିବନ୍ଧ ନିର୍ମାଣ ପାଇଁ ଅଂଚଳବାସୀ ଦାବି କରି ଆସୁଥିଲେ। ସୋମବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅସ୍ତକ ଠାରେ ଏହି ବହୁ ପ୍ରତୀକ୍ଷିତ ଘେରିବନ୍ଧ ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ କରିଛନ୍ତି। ମାତ୍ର ଏହି କାର୍ଯ୍ୟକ୍ରମ ଏବେ ବିବାଦର ସୂତ୍ରପାତ କରିଛି। ସାଧାରଣତଃ ଯେକୌଣସି ସରକାରୀ ପ୍ରକଳ୍ପର ଶିଳାନ୍ୟାସ ସମୟରେ ପ୍ରକଳ୍ପର ସୂଚନା ଫଳକ, ଅଟକଳ ମୂଲ୍ୟ ଓ ଅତିଥିଙ୍କ ନାମ ସମ୍ବଳିତ ଫଳକ ଲଗାଯିବା ନିୟମ ରହିଛି। ମାତ୍ର ଆଜିର ଏହି କାର୍ଯ୍ୟକ୍ରମ ସ୍ଥଳରେ ଏପରି କୌଣସି ସୂଚନା ଫଳକ ଦେଖିବାକୁ ମିଳିନଥିବାରୁ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ଶିଳାନ୍ୟାସ କୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଏହା କେବଳ ଏକ ଲୋକଦେଖାଣିଆ କାର୍ଯ୍ୟକ୍ରମ। ବର୍ତମାନ ସୁଦ୍ଧା ଏହି ଘେରିବନ୍ଧ ପାଇଁ କୌଣସି ବିଧିବଦ୍ଧ ଅଟକଳ ପ୍ରସ୍ତୁତ ହୋଇନାହିଁ କିମ୍ବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନାହିଁ। ବିନା ଯୋଜନାରେ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହି ଭୂମି ପୂଜନ କରାଯାଉଛି।”ପ୍ରକୃତରେ ଏହି ଘେରିବନ୍ଧ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ନା ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏହା ଏକ ଗୋଟି ଚାଳନା, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉ କି ବର୍ଷବର୍ଷ ଧରି ବନ୍ୟା କଷ୍ଟ ସହୁଥିବା ଅଂଚଳବାସୀ ଚାହାନ୍ତି ଏହି ପ୍ରକଳ୍ପ କେବଳ କାଗଜପତ୍ର ରେ ବା ମିଥ୍ୟା ପ୍ରତିଶ୍ରୁତି ଦିଆ ନ ଯାଉ ।ବୈତରଣୀ ଏବଂ କୋଚିଳା ନଦୀରେ ବନ୍ୟା ଆସିଲେ ଦୁଃଖ ବଢିଯାଏ ହସନାବାଦ ପଂଚାୟତ ସମେତ ଅର୍ଜୁନପୁର, ପଧାନୀ ଆଦି ପଂଚାୟତର ଅସ୍ତକ, ଗୋପବନ୍ଧୁ ନଗର, ମଠସାହି, ବାଲିପାଟଣା, ଶୈଲ, ମମାଦୁଲା ଏବଂ ତରେଇ ସାହି, ଦାସପାରି ଆଦି ଗ୍ରାମ।ବୈତରଣୀ ଏବଂ କୋଚିଳା ନଦୀର ତଳ ମୁଣ୍ଡରେ ବନ୍ଧ ନଥିବାରୁ ପଛୁଆ ପାଣି ଆସି ଗାଁ ଭିତରେ ବନ୍ୟା ଜଳ ପଶି ଲୋକଙ୍କର ନାହିଁ ନଥିବା କ୍ଷତି ଘଟାଏ। ଉକ୍ତ ପଂଚାୟତର ଜନସାଧାରଣ ମାନେ ଦୀର୍ଘ ଦିନ ଧରି ସରକାରଙ୍କ ପାଖରେ ଏହି ସମସ୍ୟା ପାଇଁ ଦାବୀ ରଖିଥିଲେ। ଆଜି ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଜନସାଧାରଣ ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବୈତରଣୀ ଏବଂ କୋଚିଳା ନଦୀର ଘେରି ବନ୍ଧ ପାଇଁ ଆଜି ଭୂମି ପୂଜନ କରିବା ସହିତ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦେଶ ଦେଇଛନ୍ତି। ମାତ୍ର ଭୂମି ପୂଜନ ବେଳେ ମନ୍ତ୍ରୀ ଏକ ଇଟାଉପରେ ନଡ଼ିଆ ପିଟିଥିଲେ । ତେବେ ଧାମନଗର ଜଳ ସେଚନ ବିଭାଗ ଅଧିକାରୀ ସମ୍ଭୁ ନାଥ ମଲିକ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଥିଲେ ଆପଣ ମାନେ ସବୁ ଜାଣିଛନ୍ତି ତେବେ ଯୋଜନା କରାଯାଇ ଲୋକ ଙ୍କ ଶୁବିଧା ପାଇଁ କାମ ଖୁବଶୀଘ୍ର ଖୁବ ଶୀଘ୍ର କରାଯିବ।








