Home ଜିଲ୍ଲା ପରିକ୍ରମା ଧାମନଗରର ବିକାଶ ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ସକାଳୁ ସକାଳୁ ସାଧାରଣ ନାଗରିକ ସାଜି ବୁଲିଲେ, ପ୍ରକଳ୍ପ...

ଧାମନଗରର ବିକାଶ ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ସକାଳୁ ସକାଳୁ ସାଧାରଣ ନାଗରିକ ସାଜି ବୁଲିଲେ, ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ସହ ଜଳଖିଆ ଦୋକାନରେ ଖାଇଲେ

1

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଧାମନଗରରେ ନିଆରା ରୂପରେ ସାଧାରଣ ନାଗରିକ ଭାବେ ସକାଳୁ ସକାଳୁ ଧାମନଗର ଏନଏସି ଅଂଚଳରେ ପ୍ରାତଃ ଭ୍ରମଣ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ କୁ ନେଇ ସମୀକ୍ଷା କରିଛନ୍ତି। ବିକାଶମୂଳକ କାର୍ଯ୍ୟର ମାନ ଏବଂ ସମୟସୀମାକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପ୍ରଥମେ ଧାମନଗର ରେ ନିର୍ମାଣାଧୀନ ଗୋଶାଳା ପରିଦର୍ଶନ କରିଥିଲେ। ଗୋ-ସମ୍ପଦର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ହେଉଥିବା ଏହି କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ, ସେ ନେଇ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନବୀକରଣ ହେଉଥିବା ଐତିହାସିକ ଜଗୁ ସାଗର ପୋଖରୀ ନିକଟରେ ପହଞ୍ଚି ଆଗକୁ ବର୍ଷା ଋତୁ ଆସୁଥିବାରୁ, ବର୍ଷା ପୂର୍ବରୁ ପୋଖରୀର ସମସ୍ତ ମୁଖ୍ୟ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତାବିତ ଦୈନିକ ମାର୍କେଟ କୋଠା ନିର୍ମାଣ ଓ ବ୍ଲକ ଛକରେ ଚାଲିଥିବା ମାଛ ମାର୍କେଟର ସ୍ଥାୟୀ ସମାଧାନ ପାଇଁ ସରକାରୀ ଯୋଜନାର ସେ ସମୀକ୍ଷା କରିଥିଲେ। ଆଦର୍ଶ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ସେଠାରେ ନିର୍ମିତ ଛାତ୍ରଛାତ୍ରୀ ନିବାସର କାର୍ଯ୍ୟ ଶେଷ ହୋଇଥିବାରୁ, ଏହାକୁ ତୁରନ୍ତ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରି କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ଶେଷରେ ମନ୍ତ୍ରୀ ଶ୍ରୀ ସୂରଜ ଏକ ନିଆରା ଢଙ୍ଗରେ ସ୍ଥାନୀୟ ଲୋକଙ୍କ ସହ ଯୋଡ଼ି ହୋଇଥିଲେ। ଏକ ସାଧାରଣ ଜଳଖିଆ ଦୋକାନରେ ବସି ସେ ସ୍ଥାନୀୟ କର୍ମୀ ଓ ଜନସାଧାରଣଙ୍କ ସହ ଜଳଖିଆ ଖାଇଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ବୁଝିବା ସହ ତାହାର ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଏହି ସରଳ ଜୀବନଶୈଳୀ, ଗୁରୁଜନଙ୍କ ପ୍ରତି ସମ୍ମାନ ଏବଂ ସାଧାରଣ ମଣିଷ ଭାବେ ମିଳାମିଶା କରିବାର ପ୍ରକୃତି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.