Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକରେ ବଢିବ ବିଦ୍ୟାଳୟ ସଂଖ୍ୟା, ଅନୁଧ୍ୟାନ ପରେ ବିଚାରକୁ ନେବ ବିଦ୍ୟାଳୟ ଏବଂ ଗଣଶିକ୍ଷା...

ଚାନ୍ଦବାଲି ବ୍ଲକରେ ବଢିବ ବିଦ୍ୟାଳୟ ସଂଖ୍ୟା, ଅନୁଧ୍ୟାନ ପରେ ବିଚାରକୁ ନେବ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, କରୋନା ମହାମାରୀରେ ଏହି ସଂଖ୍ୟା ୩୨୧ରୁ ୨୯୬କୁ ହ୍ରାସ ପାଇଥିଲା

4

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ସମୟରେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମଦର୍ଶାଇ ତତକାଳିନ ରାଜ୍ୟ ସରକାର ସାରା ରାଜ୍ୟରେ ବିଦ୍ୟାଳୟ ସଂଖ୍ୟା ହ୍ରାସ କରିଥିଲେ। ଏହି ନିୟମାନୁଯାଇ ଯେଉଁ ବିଦ୍ୟାଳୟରେ ଉପସ୍ଥାପନା ସଂଖ୍ୟା ୨୦ ଅଥବା କମ ସେହି ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦିଆଗଲା। ଏହି ନିୟମ ଆଧାରରେ ଚାନ୍ଦବାଲି ବ୍ଲକରେ ୨୫ଟି ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ମିଶ୍ରଣ କରାଗଲା। ଏହି ବିଦ୍ୟାଳୟରେ ଥିବା ଶିକ୍ଷକ ମାନଙ୍କୁ ମଧ୍ୟ ନିକଟସ୍ଥ ବିଦ୍ୟାଳୟ ଅଥବା ନିକଟସ୍ଥ କ୍ଲଷ୍ଟର ରେ ଅର୍ନ୍ତଭୁକ୍ତ କରାଯାଇଥିଲା। ୨୦୨୦-୨୧ଆର୍ଥିକ ବର୍ଷରେ ପ୍ରାଥମିକ ବିଦ୍ୟାଳୟର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ଅଂଚଳରେ ବହୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷାଦାନରୁ ବଂଚିତ ହୋଇଥିଲେ। ସରକାର ଯଦିବା ଏହି ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ଆଣିବାକୁ ଚେଷ୍ଟା କରିଥିବା ସତ୍ୱେ ଶତ ପ୍ରତିଶତ ସଫଳ ହୋଇ ପାରି ନଥିଲେ ଫଳରେ ବହୁ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ବଂଚିତ ହୋଇଥିଲେ। ୨୦୧୯-୨୦ଆର୍ଥିକ ବର୍ଷରେ ଚାନ୍ଦବାଲି ବ୍ଲକରେ ପ୍ରାଥମିକ, ନୋଡାଲ ବିଦ୍ୟାଳୟ ସଂଖ୍ୟା ୩୨୧ ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ବିଦ୍ୟାଳୟ ସଂଖ୍ୟା ୨୯୬କୁ କମି ଆସିଥିଲା। ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱର ସହ ବିଚାରକୁ ନେବା ସହ କିପରି ପ୍ରାଥମିକ ଶିକ୍ଷା ସାର୍ବଜନୀନ ହୋଇ ପାରିବ ଏବଂ କେହି ଜଣେ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ବଂଚିତ ହେବେ ନାହିଁ ସେ ପ୍ରତି ଗୁରୁତ୍ୱ ଦେଲେ। ଏହି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପ୍ରାଥମିକ ପଦକ୍ଷେପ ସ୍ୱରୂପ ସାରା ରାଜ୍ୟରେ ବନ୍ଦ ହୋଇ ଯାଇଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନଶ୍ଚ ଖୋଲିବାକୁ ଯୋଜନା କଲେ। ଏହି ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ ସଂପୃକ୍ତ ଶଚିବ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କରୋନା ମହାମାରୀ ସମୟରେ ବନ୍ଦ ହୋଇ ଯାଇଥିବା ବିଦ୍ୟାଳୟ ର ସଂପୂର୍ଣ ତଥ୍ୟ ଆଣିବାକୁ ଚିଠି କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଏହି ଚିଠି ପାଇବା ପରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଚିଠି କରି ବନ୍ଦ ହୋଇ ପଡିଥିବା ବିଦ୍ୟାଳୟର ସମସ୍ତ ତଥ୍ୟ ଯଥା କେତେ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବନ୍ଦ ହେବା ପରେ ସଂପୃକ୍ତ ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଅବ୍ୟାହତ ରଖିଥିଲେ ଅଥବା ଶିକ୍ଷାଦାନରୁ ବଂଚିତ ହେଲେ ଏବଂ ଏହି ବନ୍ଦ ହୋଇ ପଡିଥିବା ବିଦ୍ୟାଳୟ ନିକଟସ୍ଥ ଜନସାଧାରଣ ଙ୍କ ଠାରୁ ସେହି ଅଂଚଳର ଛାତ୍ରଛାତୀଙ୍କ ତଥ୍ୟ ଆଣିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହି ତଥ୍ୟ ମିଳିବା ପରେ ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ତଥ୍ୟ ପ୍ରଦାନ କରିବା ସହ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଅବଗତ କରାଇବେ। ପରେ ସେହି ତଥ୍ୟ ଅନୁଯାଇ କେଉଁ ଅଂଚଳରେ ବନ୍ଦ ହୋଇ ପଡିଥିବା ବିଦ୍ୟାଳୟ ଗୁଡିକର ପୁନଃ ରୁଦ୍ଧାର ହେବ ତାହା ସ୍ତିରୀକୃତ କରାଯିବା।
ପ୍ରତିକ୍ରିୟା-୧- ଶୁଭେନ୍ଦୁ ମହାରାଜ(ବ୍ଲକ ଶିକ୍ଷାଧିକାରୀ, ଚାନ୍ଦବାଲି)- ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ, କରୋନା ମହାମାରୀ ସମୟରେ ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ ଯଦି ପୁନଶ୍ଚ ଖୋଲାଯିବ ସେହି ଅଂଚଳରେ ପାଠ ପଢାରୁ ବଂଚିତ ହେଉଥିବା ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା ଗ୍ରହଣରୁ ବଂଚିତ ହେବେ ନାହିଁ। ଏହି ବିକ୍ଷୟରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳିବା ପରେ ସରକାର ବନ୍ଦ ହୋଇ ପଡିଥିବା ବିଦ୍ୟାଳୟ ଖୋଲିବା ବିଷୟରେ ପଦକ୍ଷେପ ନେବେ । ଏହି ତଥ୍ୟ ଖୁବଶୀଘ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା କରାଯାଉଛି।
ପ୍ରତିକ୍ରିୟା-୨- ଚନ୍ଦ୍ର ଶେଖର ଜେନା(ସ୍ଥାନୀୟ ଅଭିଭାବକ)- ଭାରତୀୟ ଜନତା ପାର୍ଟି ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ, ବନ୍ଦ ହୋଇ ପଡିଥିବା ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲାଗଲେ ନିଶ୍ଚୟ ଭାବେ ଶିକ୍ଷାଦାନରୁ ବଂଚିତ ହେଉଥିବା ଛାତ୍ରଛାତ୍ରୀ ନିଶ୍ଚୟ ଶିକ୍ଷା ଗ୍ରହଣ କରିବେ ଏବଂ ଆଗାମୀ ଦିନରେ ସରକରା ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବେ ବୋଲି ଆଶା ଏବଂ ବିଶ୍ୱାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.