Home ଜିଲ୍ଲା ପରିକ୍ରମା ଜିଲା ରୋଗୀକଲ୍ୟାଣ ସମିତି ବୈଠକ, ଚିକିତ୍ସା ବ୍ୟବସ୍ଥାକୁ ସହଜ ସୁଗମ ଓ ସେବାର ମାନବୃଦ୍ଧି କରିବା...

ଜିଲା ରୋଗୀକଲ୍ୟାଣ ସମିତି ବୈଠକ, ଚିକିତ୍ସା ବ୍ୟବସ୍ଥାକୁ ସହଜ ସୁଗମ ଓ ସେବାର ମାନବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ

4

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଚିକିତ୍ସା ବ୍ୟବସ୍ଥାକୁ ସହଜ ସୁଗମ କରିବା ଓ ସେବାର ମାନବୃଦ୍ଧି କରିବା ଉପରେ ଜିଲା ରୋଗୀକଲ୍ୟାଣ ସମିତିର ଗର୍ଭର୍ଣ୍ଣିଂ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲା ରୋଗୀକଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୌରାଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବଙ୍କ ସମେତ ଜିଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଏଡିଏମ୍‌ଓ ମିନତୀ ଦାସ, ଡିପିଏମ୍ ବନବିହାରୀ ମିଶ୍ର, ହସ୍‌ପିଟାଲ ମ୍ୟାନେଜର ସୌମ୍ୟରଞ୍ଜନ ମହାପାତ୍ରଙ୍କ ସହ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଗେଲପୁରସ୍ଥିତ ନୂଆ ମେଡିକାଲରେ ଜଳ ନିଷ୍କାସନର ଅବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ନୂଆ ମେଡିକାଲର ମୁଖ୍ୟ ଡ୍ରେନ୍‌କୁ ଏନଏଚରେ ସଂଯୋଗ କରି ଜଳ ନିଷ୍କାସନ କରାନଗଲେ ବର୍ଷାଦିନେ ହସ୍‌ପିଟାଲ ପରିସର ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହାବ୍ୟତୀତ ଜନସାଧାରଣମାନଙ୍କ ପାଇଁ ମେଡିକାଲ ପରିସରରେ ଏକ କ୍ୟାଂଟିନ ଖୋଲାଯିବା ସହ ଆହାର କେନ୍ଦ୍ର ନିର୍ମାଣ କରାଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସମିତିର ଅଧ୍ୟକ୍ଷ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ମେଡିକାଲ ପରିସରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଜିଲାରେ ତଥା ବିଶେଷକରି ସଦର ହସ୍‌ପିଟାଲରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ପାରା ମେଡିକାଲ ଷ୍ଟାଫଙ୍କ ଅଭାବକୁ ନେଇ ଆଲୋଚନା ହୋଇଥିଲା। ତେବେ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ଖାଲି ପଡିଥିବା ବିଶେଷଜ୍ଞ ପଦବୀର ଏକ ତାଲିକା ତାଙ୍କୁ ପ୍ରଦାନ କରାଗଲେ, ସେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ପଦବୀ ଗୁଡିକ ଖୁବଶୀଘ୍ର ପୂରଣ କରାଯିବ ବୋଲି ବୈଠକରେ ମତପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଏମଆରଆଇ ସେବା ଯୋଗାଇବା ଓ ଡାଏଲିସିସ୍ ବେଡ୍ କୁ ଆଉ ୩ଟି ଖୁବଶୀଘ୍ର ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.