Home ଜିଲ୍ଲା ପରିକ୍ରମା ୧୦ଲକ୍ଷ ଟଙ୍କା ବିନିଯୋଗ ହୋଇ କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ଆଗକୁ ଆସୁଛି ଖରାଦିନ ,...

୧୦ଲକ୍ଷ ଟଙ୍କା ବିନିଯୋଗ ହୋଇ କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ଆଗକୁ ଆସୁଛି ଖରାଦିନ , ତିହିଡି ବଜାରରେ ପିଇବାକୁ ମିଳିବନି ଟୋପାଏ ପାଣି

3

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲାଗି ୧୦ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ସୌରଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ କାମରେ ଲାଗିପାରୁନାହିଁ। ଯାହାଫଳରେ ତିହିଡି ବଜାରରେ ଟୋପାଏ ପିଇବା ପାଣି ମିଳି ପାରୁନି। ପାନୀୟଜଳ ପ୍ରକଳ୍ପ ପାର୍ଶ୍ୱରେ ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୌଚାଳୟ ମଧ୍ୟ ଅଧାପନ୍ତରିଆ ହୋଇ ରହିଛି । ପାନୀୟଜଳ ପ୍ରକକଳ୍ପକୁ କାର୍ଯ୍ୟକ୍ଷମ ଓ ଶୌଚାଳୟକୁ ସମ୍ପୂର୍ଣ୍ଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯେଉଁଥିପାଇଁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଯାହାଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ପ୍ରକାଶ ଯେ ,ତିହିଡି଼ ବଜାର ମଧ୍ୟସ୍ଥଳରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଚୀର ପାର୍ଶ୍ୱରେ ଶୌଚାଳୟ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ତଦନୁଯାୟୀ ନିର୍ମାଣ ସ୍ଥଳରେ ଜବରଦଖଲରେ ଥିବା କିଛି ଦୋକାନକୁ ମଧ୍ୟ ଉଛେଦ କରାଯାଇଥିଲା । ଗତ ୨୦୨୧ ଜାନୁଆରୀ ୬ତାରିଖରେ ପ୍ରକଳ୍ପ ଓ ଶୌଚାଳୟ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତତ୍କାଳୀନ ସାଂସଦ ମଞ୍ଜୁଲତା ମଣ୍ଡଳ, ତତ୍କାଳୀନ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ତତ୍କାଳୀନ ଧାମନଗର ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ,ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ତତ୍କାଳୀନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଠିକାଦାର ମାଧ୍ୟମରେ ଏହି ପ୍ରକଳ୍ପର କାର୍ଯ୍ୟ କରାଯାଇଥିଲା । ତେବେ ଇତିମଧ୍ୟରେ ୫ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପରୁ ଟୋପାଏ ପାଣି ମିଳି ପାରିନାହିଁ । ସେହିପରି ଶୌଚାଳୟ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଥିବାରୁ ଏହା କାର୍ଯ୍ୟରେ ଲାଗି ପାରୁନାହିଁ । ତିହିଡିକୁ ନିକଟରେ ଏନଏସି ମାନ୍ୟତା ମିଳିଛି । ଏଥିପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଏହାଛଡ଼ା ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ ତିହିଡି଼ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ଏଥିପାଇଁ ବ୍ଲକର ବିଭିନ୍ନ ଅଂଚଳରୁ ଲୋକମାନେ ତିହିଡି଼କୁ ବିଭିନ୍ନ କାର୍ଯ୍ୟପାଇଁ ଆସିଥାନ୍ତି । ତିହିଡି଼ରେ ସପ୍ତାହର ସୋମବାର ଓ ଶୁକ୍ରବାର ହାଟ ବସିଥାଏ । ପଡ଼ୋଶୀ ବାସୁଦେପୁର, ଧାମନଗର ଓ ଚାନ୍ଦବାଲି ବ୍ଲକର ଲୋକମାନେ ମଧ୍ୟ ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଆସିଥାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତିହିଡି଼ ବଜାରରେ ହୋଟେଲ, ଜଳଖିଆ ଦୋକାନ ସମେତ ୩ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଦୋକାନ ରହିଛି । ପ୍ରତିଦିନ ଏହି ଦୋକାନୀ ଏବଂ ତିହିଡି଼ ଆସୁଥିବା ଲୋକମାନଙ୍କ ପାଇଁ ପାନୀୟଜଳର ଯଥେଷ୍ଟ ଆବଶ୍ୟକତା ରହିଛି । ବଜାରରେ ନଳକୂପ ଆଦୌ ନଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ସ୍ଥାନରେ ଥିବା ନଳକୂପ ଆବଶ୍ୟକ ପାନୀୟଜଳ ଯୋଗାଇ ପାରୁନାହିଁ।ଅନେକ ସମୟରେ ଅଚଳ ହୋଇଯାଉଛି। ଫଳରେ ବଜାରରେ ଟୋପାଏ ପାନୀୟ ଜଳ ମିଳିବା କଷ୍ଟସାଧ୍ୟ ହୋଇଛି । ଏବେଠୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଗକୁ ପ୍ରଚଣ୍ଡ ରୌଦ୍ରତାପ ପାଇଁ ଲୋକେ ପାନୀୟ ଜଳ ଅଭାବରୁ ଡହଳ ବିକଳ ହେବା ନିଶ୍ଚିତ ହୋଇଛି । ଏହି ସମସ୍ୟାକୁ ଲକ୍ଷ୍ୟ କରାଯାଇ ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ପର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ବିଡ଼ିଓ ନିରଞ୍ଜନ ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,କେଉଁ କାରଣରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉନାହିଁ ତାର ଅନୁଧ୍ୟାନ କରାଯିବା ପରେ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.