Home ଜିଲ୍ଲା ପରିକ୍ରମା ଅଶାନ୍ତ ଭଦ୍ରକ,ଲୁଟେରାଙ୍କ ଗୁଳିରେ ଜନସାଧାରଣ ଭୟଭୀତ

ଅଶାନ୍ତ ଭଦ୍ରକ,ଲୁଟେରାଙ୍କ ଗୁଳିରେ ଜନସାଧାରଣ ଭୟଭୀତ

28

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଶାନ୍ତ ଭଦ୍ରକ। ଚୋରି, ଡକାୟିତ, ଲୁଟ୍ ଓ ହତ୍ୟାକାଣ୍ଡ ଗତ କିଛିବର୍ଷ ଧରି ସାରା ଜିଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଘର, ଅଫିସ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ରାସ୍ତାଘାଟରେ ଗୁଳି ଫୁଟୁଛି। ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଛି। ଏପରିକି ଦେବାଦେବୀ ମନ୍ଦିର ବି ବାଦ୍ ଯାଉନି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ପୁଲିସ୍ ପ୍ରଶାସନ ପ୍ରତି ଲୁଟେରାଙ୍କର ଆଦୌ ଭୟ ନାହିଁ। ପୁଲିସ୍‌ର ସଜବାଜକୁ ଲୁଟେରା ବେଖାତିର କରି ଚାଲିଛନ୍ତି। ପୁଲିସ୍‌ର ଦୁଇପାଦ ଆଗରେ ଏବେ ଅପରାଧୀ। ପୁଲିସ୍ ଆଖିରେ ଆଙ୍ଗୁଠି ଗେଂଜି ପ୍ରତିଦିନ ବଡ ବଡ ଲୁଟ୍ ତରାଜ ଚାଲିଛି। ପୁଲିସ୍ ଏମାନଙ୍କୁ ଧରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। କେବଳ ସିସିଟିଭିର ଆଧାରକୁ ତନଖି କରି ତଦନ୍ତ ଚାଲୁ ରଖାଯାଇଛି ବୋଲି କୁହାଯାଉଛି। ଧାମରାରୁ ଧାମନଗର, ବନ୍ତ ରୁ ଚାନ୍ଦବାଲି, ଭଣ୍ଡାରିପୋଖରୀରୁ ରାଣୀତାଲ ସମଗ୍ର ଜିଲା ଏବେ ଲୁଟେରାଙ୍କ କବ୍‌ଜାରେ ରହିଛି। ବୁଦ୍ଧିଜୀବୀ କୁହନ୍ତି ପୁଲିସ୍‌ର ଆଭିମୁଖ୍ୟ ଏବେ ବଦଳି ଯାଇଛି। ଚୋରକୁ ଧରିବା ପରିବର୍ତେ ପୁଲିସ୍ ନିଜ ସ୍ୱାର୍ଥ ହାସଲ ପାଇଁ କୋଇଲା, ଗୋରୁଗାଡି ଓ ବାଲି ଟ୍ରକ୍ ପଛରେ ଧାଇଁଛି। ଚୋରି ଡକାୟତି ପ୍ରତି ଆଖି ବନ୍ଦ କରିଥିବା ଭଳି ଜଣାପଡିଛି। ଏପର୍ଯ୍ୟନ୍ତ କୌଣସି ଘଟଣାରେ ଅପରାଧୀ ଧରା ନହେବା ଘଟଣା ପୁଲିସ୍‌ର ନିଷ୍କ୍ରିୟତାକୁ ପଦାରେ ପକାଇଛି। ଜିଲାର ବରିଷ୍ଠ ନାଗରିକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ ୨୧ ତାରିଖରେ ଚରମ୍ପା ଅଂଚଳର ସନ୍ଧ୍ୟା ସମୟରେ ଜଣେ ଗୋଖାଦ୍ୟ ଦୋକାନୀକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଟଙ୍କା ବ୍ୟାଗ୍ ଛଡାଇନେବା ଘଟଣାକୁ ନେଇ ଏହା ଲୁଟ୍ ନା ହତ୍ୟା ଉଦ୍ୟମ ପୁଲିସ୍ ସନ୍ଦେହ ଘେରରେ ରହିଛି। ଡିଆଇଜିଙ୍କ ଗସ୍ତର ୩/୪ଦିନ ପରେ ମଧ୍ୟ ପୁଲିସ୍ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସୁଫଳ ମିଳିନଥିବାର ଜଣାଯାଇଛି। ତେବେ ଏହି ଘଟଣାରେ ଜଣକୁ ଅଟକ ରଖି ଅନୁସନ୍ଧାନ ଚଳାଇ ସଫଳତା ମିଳିଥିବାର ଜଣାଯାଇଛି। ସେହିଦିନ ରାତିରେ ଭଣ୍ଡାରିପୋଖରୀ ମଂଜୁରୀ ରୋଡ୍ ଫାଣ୍ଡି ଅଂଚଳରେ ଜଣେ ସୁନା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ମୋଟର ସାଇକେଲ୍‌ରେ ଲୁଟେରା ଆସି ଗାଡିରେ ଟଙ୍ଗାଯାଇଥିବା ବ୍ୟାଗ୍‌କୁ ଲୁଟିନେଇଥିଲେ। ସେହି ଭଣ୍ଡାରିପୋଖରୀ ଅଂଚଳର ଜଣେ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଲୁଟ୍ କରି ଫେରାର ହୋଇଥିଲା। ଗତ ୨୪ ତାରିଖ ରାତିରେ ରାଣୀତାଲ ଅଂଚଳରେ ସୁନା ଦୋକାନର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଥିଲେ। ସେହିପରି କିଛି ମାସ ପୂର୍ବରୁ ମତୋ ଫାଣ୍ଡି ଅଧୀନସ୍ଥ ନାଲଗୁଣ୍ଡା ଠାରେ ଏକ ସାମାନ୍ୟ ଘଟଣାକୁ ନେଇ ଗୁଳି ଫୁଟିଥିଲା। ତିହିଡି ଅଂଚଳର ଏକ ଫାଇନାନ୍ସ ସଂସ୍ଥାରୁ ଲୁଟେରାମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏବଂ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଆରଡିଛକର ଭଡାରେ ରହୁଥିବା ଜଣେ ଓକିଲ ଓ ସିଆରପିଏଫ୍ ଯବାନଙ୍କ ଘରୁ ସେମାନେ ଛୁଟିରେ ଘରକୁ ବୁଲିବାକୁ ଯାଇଥିବା ସମୟରେ ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିଲେ ମଧ୍ୟ ପୁଲିସ୍ ଲୁଟେରାକୁ ଧରିବାରେ ସକ୍ଷମ ହୋଇପାରିନାହିଁ। ସେହିଭଳି ଏହି ଥାନା ଅଂଚଳର କୋର୍କରା ପଂଚାୟତର ପ୍ରସିଦ୍ଧ ଦେବୀପୀଠ ମା’ ସାତଭଉଣୀ ଙ୍କ ମନ୍ଦିରରୁ ଦୁଇ ଦୁଇ ଥର ଚୋରି ହେବା ଘଟଣା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଜିଲାରେ ନୂଆ ଏସ୍‌ପି ଦାୟିତ୍ୱ ନେବା ପରେ ତାଙ୍କର ପୂର୍ବ କାର୍ଯ୍ୟଦକ୍ଷତାକୁ ନେଇ ଜିଲାବାସୀଙ୍କ ମନରେ କିଛିଟା ଆଶ୍ୱସ୍ତି ଆସିଥିବାବେଳେ ଅପରାଧୀମାନେ ଏହାକୁ ଏକ ଚ୍ୟାଲେଞ୍ଜ ଦେଲାଭଳି ପ୍ରତ୍ୟେକଦିନ ଅପରାଧ ଘଟାଇ ଚାଲିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.