Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଯାପିତ, ସାହିତ୍ୟ, କଳା ଓ ସଂସ୍କୃତିର ଅନନ୍ୟ ମହାମିଳନ

ଦ୍ୱିତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଯାପିତ, ସାହିତ୍ୟ, କଳା ଓ ସଂସ୍କୃତିର ଅନନ୍ୟ ମହାମିଳନ

4

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଳନ୍ଦୀ ବାଇପାସସ୍ଥିତ ସଂଗମ କନଭେନସନଠାରେ ‘ଟାଇମପାସ’ ପ୍ରକାଶନୀ ଦ୍ୱାରା ଯୁବଲେଖକ ସରୋଜ ବଳଙ୍କ ନିର୍ଦ୍ଦେଶନା ଆୟୋଜିତ ଦ୍ୱିଦିବସୀୟ ‘ସାଳନ୍ଦୀ ସାହିତ୍ୟ ସଂଗମ’ ମହୋତ୍ସବ ଉଦଯାପିତ ହୋଇଯାଇଛି। ଯନ୍ତ୍ରସଂଗୀତର ମଧୁର ଝଙ୍କାରରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା “ଉଚ୍ଚାରଣ’ କବିତାପାଠ କାର୍ଯ୍ୟକ୍ରମ। ଏଥିରେ କବି ପଂଚାନନ ନାୟକ, ପଦ୍ମଜା ଶରଣ, ବିଚିତ୍ରାନନ୍ଦ ଜେନା, ଗୌରୀ ସାହୁ, ଅର୍ପିତା ପତି, ଐଶ୍ୱର୍ଯ୍ୟା ରାଉତ, ଭବାନୀ ଭୂୟାଁ, ମମତା ସାହୁ, ମନୀଷା ବିଶ୍ୱାଳ, ସରୋଜ ମହାପାତ୍ର, ଉତ୍ପଳ ମହାନ୍ତି, ସଂଘମିତ୍ରା ଭୂତିଆ, ବେଦପ୍ରକାଶ ନାୟକ, ଅବନୀ ପ୍ରଧାନ, ରୀତାଞ୍ଜଳି ମହାରଣା, ପ୍ରମୋଦ ରାୟ, ପ୍ରବୀର କମିଳା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବି ଓ ଅନୁବାଦିକା ସଂଘମିତ୍ରା ରାୟଗୁରୁଙ୍କ ସଂଚାଳନରେ ‘ଅନୁବାଦକର ଅଂଗୀକାର’ ଆଲୋଚନାରେ ବନ୍ଦିତା ମୁଦିଆର ଠାକୁରିଆ, ବର୍ଣ୍ଣାଳୀ ଦାସ, ନିଖିଳେଶ ମିଶ୍ର ଓ ଶ୍ରେୟା ହାଲଦାର ପ୍ରମୁଖ ଭିନ୍ନଭିନ୍ନ ଭାରତୀୟ ଭାଷାର ଅନୁବାଦକଗଣ ଅଂଶ ଗ୍ରହଣ କରିଥିଲେ। ‘କାଦମ୍ବିନୀ’ର ସହସଂପାଦକ ଅମିତାଭ ଖିଲାରଙ୍କ ସଂଯୋଜନାରେ ଅନୁଷ୍ଠିତ “ସଂପାଦନାର ଗହନକଥା’ ସଂପାନରେ ପତ୍ରିକା-ସଂପାଦକ କୃଷ୍ଣକୁମାର ମହାନ୍ତି, ହରିହର ଶୁକ୍ଳ, ଅଭୟ ଦାସ ଓ ମାନମୟୀ ରଥ ଅଂଶଗ୍ରହଣ କରିଥିଲେ। ଯୁବଗାଳ୍ପିକ ଦେବବ୍ରତ ଦାସଙ୍କ ସଂଯୋଜନାରେ ‘ଯେଉଁ ଗପ ଲେଖା ହୋଇନାହିଁ’ ଆଲୋଚନାଚକ୍ରରେ କଥାକାର ସଦାନନ୍ଦ ତ୍ରିପାଠୀ, ରଜନୀକାନ୍ତ ମହାନ୍ତି, ପବିତ୍ର ପାଣିଗ୍ରାହୀ ଓ ଗଂଗାଧର ବିଶ୍ୱାଳ ନିଜସ୍ୱ ମତ ରଖିଥିଲେ। ‘ଚିତ୍ରଚରିତ୍ର’ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ଓ ଅଭିନେତା ଚିନ୍ତାମଣି ବିଶ୍ୱାଳ କାବ୍ୟିକ ସଂଳାପ ସହ ରଂଗ ଓ ତୂଳୀରେ କବିତାର ଚିତ୍ରାୟନ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। “ଯାତ୍ରାର ଯାତ୍ରାପଥ: କଂଟା ଓ ଫୁଲ’ କ୍ରମରେ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଚାଳନାରେ ଅଭିନେତା ଲଲାଟେନ୍ଦୁ ମହାନ୍ତି, ମଂଚ ଅଭିନେତ୍ରୀ ତମସା ମିଶ୍ର ଓ ‘ରଙ୍ଗରାଗ’ ସଂପାଦକ ପ୍ରଦୀପ୍ତ ମହାନ୍ତି ଯାତ୍ରା-ସାହିତ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଦେବଦାସ ଛୋଟରାୟଙ୍କ ସହ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ କବି ପବିତ୍ର ମୋହନ ଦାଶ। ସୁବୋଧ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ରେବତୀ ସେବତୀ ଓ ଏବତୀ’ ଶୀର୍ଷକ ନାଟକରେ ଏକକ ଅଭିନୟ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ ସୁଜାତା ପ୍ରିୟମ୍ବଦା ଚୌଧୁରୀ। ଏହି ଅବସରରେ ସମ୍ମାନଫଳକ ଓ ଦଶହଜାର ଟଙ୍କାର ଅର୍ଥରାଶି ସହ ବରିଷ୍ଠ କବି ଦେବଦାସ ଛୋଟରାୟଙ୍କୁ “କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର’ ଓ ନାଟ୍ୟବ୍ୟକ୍ତିତ୍ୱ ସୁବୋଧ ପଟ୍ଟନାୟକଙ୍କୁ ‘ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସାହିତ୍ୟସଖା ସମ୍ମାନରେ ସମ୍ମାନିତ ହୋଇଥିଲେ ପ୍ରୋତ୍ସାହକ ପ୍ରଶାନ୍ତ ଭୂୟାଁ, ସଂଗଠକ କୈଳାଶ ଚନ୍ଦ୍ର ପଣ୍ଡା, ସାହିତ୍ୟାନୁରାଗୀ ଅରୁଣ ଖିଲାର, ପ୍ରକାଶକ ଅଭୟ ଦାସ, ପତ୍ରିକା ସଂପାଦକ ରମାକାନ୍ତ ଜେନା ଓ ଗ୍ରନ୍ଥାଗାର ଉଦ୍ୟୋଗୀ ଦାମୋଦର ନନ୍ଦ। ନୃତ୍ୟଗୁରୁ ପୁଷ୍ପମିତ୍ରା ବେହେରାଙ୍କ ନିର୍ଦେଶନାରେ ଭଦ୍ରକର ‘ସାଇ ନୃତ୍ୟକଳା ଏକାଡେମୀ’ କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲାବେଳେ ସୁଶ୍ରୀ ଶୁଭାଙ୍ଗୀ ଓ ସୋନମ୍ ଦାସ ଆଧୁନିକନୃତ୍ୟ ପରିବେଷଣ କରିଥିଲେ। ବିଜୟ ମଲ୍ଲ ଉତ୍ସବ ସଂଚାଳନ କରିଥିବାବେଳେ ବେଦପ୍ରକାଶ ନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଭିତିକ ପ୍ରଶ୍ନୋତରୀ କରାଯାଇ ସଠିକ ଉତରଦାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବର ସଭାପତି ପବିତ୍ର ପାଣିଗ୍ରାହୀ, ଉପସଭାପତି କିଶୋର ପାଣିଗ୍ରାହୀ, ନିର୍ଦ୍ଦେଶକ ସରୋଜ ବଳ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସାମ୍ବାଦିକ ପ୍ରମୋଦ ରାୟ, କବି ଅବନୀ ପ୍ରଧାନ, ଅଭିଜିତ ନାୟକ, ବାସୁଦେବ ବାରିକ, ଡ. ରାଧାରାଣୀ ମହାପାତ୍ର ବିଭିନ୍ନ ଅଧିବେଶନର ଅତିଥିଙ୍କୁ ଶ୍ରୀଫଳ, ମୟୂରଚନ୍ଦ୍ରିକା, କଫିମଗ୍ ଓ ଉତରୀୟ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଶୋକ ପୁହାଣ, ପତିତପାବନ ପାଣି, ବିଚିତ୍ରାନନ୍ଦ ଜେନା, ଅବିନାଶ ସାହୁ, ଅରୁଣ ଦାସ, ପ୍ରୀତିପଦ୍ମା ଦାସ, ତିଳୋତମା ଦାସ। ଭଦ୍ରକ ତଥା ସଂଲଗ୍ନ ୬ଟି ଜିଲ୍ଲାରୁ ଶତାଧିକ ଲେଖକ ଓ ସାହିତ୍ୟପ୍ରେମୀ ଯୋଗଦେଇ ସାଳନ୍ଦୀ ସାହିତ୍ୟ ସଙ୍ଗମର ଦ୍ୱିତୀୟ ସଂସ୍କରଣକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.