ଭଦ୍ରକ ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଫେବୃୟାରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେଉଥିବା ମ୍ୟାଟ୍ରିକ୍ ପରୀକ୍ଷାରେ ଭଦ୍ରକ ଜିଲାର ୧୧୪ ଟି ପରୀକ୍ଷା କେନ୍ଦ୍ରରେ ୨୦ ହଜାର ୯୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିଭଳି ମଧ୍ୟମାରେ ୨୨୩ ଜଣ, ଏସ୍ସି ରେ ୬୨ ଜଣ, କରେସପଣ୍ଡେନ୍ସ (ସି.ସି.) ରେ ୨୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ କରେସପଣ୍ଡେନ୍ସ (ସି.ସି.) ପରୀକ୍ଷା ବି.ଏମ. ବାଗୁରାଇ ସ୍କୁଲରେ ଅନୁଷ୍ଠିତ ହେଉଥିବାବେଳେ ଏସଓଏସସି ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ସ୍ଥିରୀକୃତ ହୋଇଛି। ଭଦ୍ରକ ଜିଲାସ୍କୁଲ, ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ, ମତୋ ହାଇସ୍କୁଲ, ନରସିଂହପୁର, ଧାମରାଇ ହାଇସ୍କୁଲ, ଧୁଷୁରୀ ମୁରଲୀଧର ହାଇସ୍କୁଲ, ଧାମନଗର ହାଇସ୍କୁଲ, ଭଣ୍ଡାରିପୋଖରୀ ହାଇସ୍କୁଲ, ବନ୍ତ ହାଇସ୍କୁଲ, ଆଗରପଡା ସରକାରୀ ବାଳିକା ବିଦ୍ୟାଳୟ ଓ ତିହିଡି ସିଆରଏସ ହାଇସ୍କୁଲ ଭଳି ୧୧ଟି ବିଦ୍ୟାଳୟରେ ପ୍ରଶ୍ନପତ୍ର ରଖିବା ପାଇଁ ନୋଡାଲ ସେଂଟର କରାଯାଇଛି। ଜିଲାରେ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ଭଦ୍ରକ ବ୍ଲକ୍ରେ ୨୦ ଟି, ବାସୁଦେବପୁରରେ ୨୧ଟି, ଭଣ୍ଡାରିପୋଖରୀରେ ୯ଟି, ବନ୍ତରେ ୧୪ ଟି, ଚାନ୍ଦବାଲିରେ ୨୦ ଟି, ଧାମନଗରରେ ୧୭ ଟି ଓ ତିହିଡିରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଫେବୃୟାରୀ ୨୧ ତାରିଖରେ ଆରମ୍ଭ ହେଉଥିବା ପରୀକ୍ଷାରେ ପ୍ରଥମ ଭାଷା ଓଡ଼ିଆ ରହିଥିବାବେଳେ ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ ରେ ଗଣିତ, ମାର୍ଚ୍ଚ ୧ ରେ ବିଜ୍ଞାନ, ୩ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା ହିନ୍ଦୀ / ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ସକାଳ ୯ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଅଧିକ ସମୟ ଦିଆଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।