ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ, କେନ୍ଦ୍ରାଂଚଳ କଟକ ହେମନ୍ତ କୁମାର ନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ପାଇଁ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଅନ୍ୟ ଦୁଇ କର୍ମଚାରୀ ମୀନାକ୍ଷୀ ଗରାବଡ଼ୁ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ନିକଟରେ ପୁନରୁଦ୍ଧାର କରାଯାଇଥିବା କାର୍ଯ୍ୟାଳୟ କୋଠା, ଘରର ବିଭିନ୍ନ କକ୍ଷ, ପଠନାଗାର ଓ କାର୍ଯ୍ୟାଳୟର ଆସବାବପତ୍ର ପରିଦର୍ଶନ କରିବା ସହିତ ନିର୍ମାଣାଧିନ ପ୍ରାଚୀର ଓ ଗେଟ୍ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟାଳୟର କେଶବୁକ୍, ସଂପୃକ୍ତ ସମସ୍ତ ରେଜିଷ୍ଟର, ଆବଶ୍ୟକ ଫାଇଲପତ୍ର ତଦାରଖ କରିଥିଲେ । ସୂଚନା କେନ୍ଦ୍ର ତଥା ପଠନାଗାର ଭଦ୍ରକର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ ହୋଇଥିଲେ । ଆସନ୍ତା ଡିସେମ୍ବର ମାସରେ ଅବସର ନେବାକୁ ଥିବା କାର୍ଯ୍ୟାଳୟର ଏକମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପେନ୍ସନ୍ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବା ପାଇଁ ଡ଼ି.ଆଇ.ପି.ଆର୍.ଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆରଡ଼ି ପୀଠରେ ଥିବା ସୂଚନା କେନ୍ଦ୍ର ତଥା ପଠନାଗାର କର୍ମଚାରୀ ଅଭାବରୁ ଦୀର୍ଘ ବର୍ଷ ଧରି ଖୋଲାଯାଇ ପାରୁନଥିବାରୁ ସେଠାକାର ସ୍ଥିତାବସ୍ଥା ପରଖିବା ପାଇଁ ଆରଡ଼ି ଗସ୍ତରେ ଯାଇଥିଲେ । ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିଦର୍ଶନ ସହ ଭଡ଼ା ଘରେ ସୂଚନା କେନ୍ଦ୍ରର ସମସ୍ତ ଆସବାବପତ୍ରକୁ ରଖାଯାଇ ତାଲା ପକାଯାଇଥିବା ଦେଖି ଉକ୍ତ କେନ୍ଦ୍ର ସ୍ଥାନାନ୍ତର ପାଇଁ ସରକାରୀ ଘର ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ଉପନିର୍ଦ୍ଦେଶକ ଡ଼ିଆଇପିଆରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।