Home ଜିଲ୍ଲା ପରିକ୍ରମା ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଉଠା ଜଳସେଚନ ପ୍ରକଳ୍ପ ବିଦ୍ୟୁତ୍ ସଂଯୋଗ ଛିନ୍ନ ଯୋଗୁଁ ଅଚଳ ହୋଇରହିଛି

୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଉଠା ଜଳସେଚନ ପ୍ରକଳ୍ପ ବିଦ୍ୟୁତ୍ ସଂଯୋଗ ଛିନ୍ନ ଯୋଗୁଁ ଅଚଳ ହୋଇରହିଛି

6

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଉପଯୁକ୍ତ ସମନ୍ୱୟ ଅଭାବରୁ ଜିଲାର ଉଠାଜଳସେଚନ ପ୍ରକଳ୍ପ ଗୁଡିକ ବହୁସଂଖ୍ୟାରେ ଅଚଳ ହୋଇପଡିଛି । ଫଳରେ ଚାଷଜମିକୁ ଜଳ ଯୋଗାଣ କାର୍ଯ୍ୟ ଠପ୍ ହୋଇଛି । ମୋଟ ଉପରେ କହିବାକୁ ଗଲେ ଉଠା ଜଳସେଚନ ବିଭାଗ ଚାଷଜମିକୁ ଜଳ ଯୋଗାଇଦେବାରେ ବିଫଳ ହୋଇଛି । ଚାଷଜମିରେ ପାଣି ନଥିବାରୁ ବେଉଷଣ କାର୍ଯ୍ୟ ଅଟକି ରହିଛି । ଉଠାଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ତୃପକ୍ଷ ଓ ଜିଲାପାଳଙ୍କୁ ବାରମ୍ବାର ଭେଟି ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ପ୍ରକାଶଯୋଗ୍ୟ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ପାଣି ପଂଚାୟତ ଅଧୀନରେ କାର୍ଯ୍ୟ କରୁଛି । ଉଠା ଜଳସେଚନ ବିଭାଗର କର୍ତୃପକ୍ଷଙ୍କ କହିବା କଥା ହେଲା, ବିଦ୍ୟୁତ୍ ବିଭାଗ ସହ ପାଣି ପଂଚାୟତ ଗୁଡିକର ଉପଯୁକ୍ତ ସମନ୍ୱୟ ନରହିବା ଫଳରେ ଏବେ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲିଫ୍ଟ ପଏଂଟ ଗୁଡିକ ବିଦ୍ୟୁତ୍ ସଂଯୋଗ ଛିନ୍ନ ହୋଇ ଅଚଳ ଅବସ୍ଥାରେ ପଡିଅଛି । ବିଶେଷକରି ପାଣି ପଂଚାୟତ କର୍ତୃପକ୍ଷ ନିୟମିତ ଭାବେ ବିଦ୍ୟୁତ୍ ଦେୟ ପୈଠ କରୁନଥିବାରୁ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସଂଯୋଗ ଛିନ୍ନ କରିଦେଉଛନ୍ତି । ଦୀର୍ଘବର୍ଷ ଧରି ବିଦ୍ୟୁତ୍ ଦେୟ ପୈଠ ନହେବା ଫଳରେ କର୍ତୃପକ୍ଷ ସଂପୃକ୍ତ ଅଂଚଳରୁ ଟ୍ରାନ୍ସଫର୍ମର ଗୁଡିକୁ ଉଠାଇ ନେଉଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ମୁଖ୍ୟ ଯନ୍ତ୍ରାଂଶ ମୋଟର, ଷ୍ଟାର୍ଟର ଆଦି ଉପକରଣ ଗୁଡିକ ଚୋରି ହେବା ସହ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡିରହି ନଷ୍ଟ ହୋଇଯାଉଛି । ଆଉ କେତେକ ସ୍ଥାନରେ ରାଜନୈତିକ ଛକାପଞ୍ଝା କାରଣରୁ ପାଣି ପଂଚାୟତରେ ଫାଟ ସୃଷ୍ଟିହୋଇ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବିଭାଗୀୟ ସୂଚନାରୁ ଜଣାଯାଇଛି ଯେ ଜିଲାର ୭ଟି ବ୍ଲକ୍‌ରେ ସମୁଦାୟ ୧୪୪୪ ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି । ଏହାମଧ୍ୟରୁ ୯୮୨ ଟି ଏବେ କାର୍ଯ୍ୟ କରୁଛି । ଭଦ୍ରକ ବ୍ଲକ୍‌ର ୧୪୧ ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୯୭ଟି କାର୍ଯ୍ୟ କରୁଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୮୫ ଟିରୁ ୧୯୮ ଟି, ବନ୍ତ ବ୍ଲକ୍‌ରେ ୧୧୯ ଟି ମଧ୍ୟରୁ ୮୬ଟି ପ୍ରକଳ୍ପ କାର୍ଯ୍ୟ କରୁଛି । ସେହିପରି ଚାନ୍ଦବାଲି ବ୍ଲକ୍‌ରେ ୭୫ ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୫୪ ଟି, ତିହିଡି ବ୍ଲକ୍‌ରେ ୧୧୯ ଟି ମଧ୍ୟରୁ ୮୫ ଟି ଓ ସର୍ବାଧିକ ଧାମନଗର ବ୍ଲକ୍‌ରେ ୪୩୦ ଟି ପ୍ରକଳ୍ପ ମଧ୍ୟରୁ ୨୮୪ ଟି କାର୍ଯ୍ୟକ୍ଷମ ରହିଛି । ବାସୁଦେବପୁର ବ୍ଲକ୍‌ରେ ୨୭୫ ଟି ଲିଫ୍ଟ ପଏଂଟ ମଧ୍ୟରୁ ଏବେ ୧୭୮ ଟି ସଚଳ ଅବସ୍ଥାରେ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.