Home ଜିଲ୍ଲା ପରିକ୍ରମା ଧାମନଗର ଓ ଦୋବଲ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ବୁଲି ଦେଖିଲେ ରାଜ୍ୟ ପରିବହନ ଅତିରିକ୍ତ ସଚିବ

ଧାମନଗର ଓ ଦୋବଲ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ବୁଲି ଦେଖିଲେ ରାଜ୍ୟ ପରିବହନ ଅତିରିକ୍ତ ସଚିବ

5

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବର୍ଷକ ପୂର୍ବେ ଧାମନଗର ଓ ଦୋବଲ ଠାରେ ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଶୁଭ ଦିଆଯାଇଥିଲା । ତେବେ ଦୋବଲ ଠାରେ କାର୍ଯ୍ୟ ଆରମ୍ଭ ହୋଇ ପୁଣି ବିବାଦ ଦେଖାଦେଇ କାମ ବନ୍ଦ ହୋଇଥିବାବେଳେ ଧାମନଗର ଠାରେ ସ୍ଥାନ ଚିହ୍ନଟରେ ଅସୁବିଧା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇନଥିଲା । ତେବେ ଉଭୟ ସ୍ଥାନକୁ ଆଜି ପରିବହନ ବିଭାଗ ଅତିରିକ୍ତ ସଚିବ ବୁଲି ଦେଖିଛନ୍ତି । ପ୍ରଥମେ ଧାମନଗର ମେଡିକାଲ ସନ୍ନିକଟ ପଡିଆରେ ଏକ ଏକର ଜାଗା ଉପରେ ହେବାକୁ ଥିବା ବସ୍‌ଷ୍ଟାଣ୍ଡ ବୁଲି ଦେଖିଥିଲେ । ମାତ୍ର ଆହୁରି ପ୍ରାୟ ୧୦ ଗୁଣ୍ଠ ଜମିର ଆବଶ୍ୟକତା ଥିବାରୁ ତହସିଲଦାର ତାହା ଯୋଗାଇଦେବେ ବୋଲି କହିଥିଲେ । ପରେ ଧାମନଗର-ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡାଗଣ୍ଡ ନାଳ ପାଖରେ ବନ୍ଦ ଥିବା ଦୋବଲ ବସ୍‌ଷ୍ଟାଣ୍ଡ ବୁଲି ଦେଖିଥିଲେ । ବିଭାଗୀୟ ଅଧିକାରୀ ଓଡ଼ିଶା ରାଜ୍ୟ ସଡକ ପରିବହନ ମନ୍ତ୍ରଣାଳୟର ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଧାମନଗରରେ ପହଂଚି ଏହି ଦୁଇଟି ସ୍ଥାନ ଅନୁଧ୍ୟାନ କରିଛନ୍ତି । ମଧ୍ୟାହ୍ନରେ ସଚିବଙ୍କ ସମେତ ବିଭାଗୀୟ ଅଧିକାରୀ, ଧାମନଗର ତହସିଲଦାର ଦୀପକ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡାଙ୍କ ସହ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଅଧିକାରୀ ଆସି ଦୋବଲ ରାସ୍ତାର ଘୋଡାନାଳ ପାଖରେ ପହଂଚିଥିଲେ । ପରେ ପ୍ରସ୍ତାବିତ ନୂଆ ବସ୍‌ଷ୍ଟାଣ୍ଡ ସ୍ଥାନ ବୁଲି ଦେଖିଥିଲେ । ଏହାପରେ ସେଠାରୁ ଦୋବଲ ବ୍ୟାଙ୍କ ବଜାର ପାଖକୁ ଆସି ପୁରୁଣା ବସ୍‌ଷ୍ଟାଣ୍ଡ ମଧ୍ୟ ବୁଲି ଦେଖିଥିଲେ । ଏଠାରେ ପ୍ରକାଶ ଥାଉକି ଦୋବଲରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ । କିନ୍ତୁ ବସ୍‌ଷ୍ଟାଣ୍ଡ କେଉଁ ସ୍ଥାନରେ ହେବ, ସେଥିନେଇ ବିବାଦ ରହିଥିଲା । ପୂର୍ବରୁ ଦୋବଲ ମୁଖ୍ୟ ବଜାର ବ୍ୟାଙ୍କ ସମ୍ମୁଖରେ ବସ୍‌ଷ୍ଟାଣ୍ଡ ରହିଆସିଅଛି । ଏହିଠାରୁ ଚାରିଆଡକୁ ବସ୍ ଯାତାୟତ କରୁଛି । ହେଲେ ଏଠାରେ ଜାଗାକୁ ନେଇ ବିବାଦ ଦେଖାଦେବାରୁ ବିଭିନ୍ନ ଦଳର ନେତାମାନେ ବସି ସମାଧାନ କରିଥିଲେ । ଜିଲା ପ୍ରଶାସନର ସୁପାରିଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଡା ଗଣ୍ଡ ନାଳ ନିକଟରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାର ନିଷ୍ପତି ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ୯୧ ଲକ୍ଷ ମଂଜୁର କରାଯାଇଥିଲା । ପରବର୍ତୀ ସମୟରେ ବସ୍‌ଷ୍ଟାଣ୍ଡ ପାଇଁ ୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଜାଗା ସମତୁଲ କରି ବାଉଣ୍ଡାରୀ ୱାଲ କରାଯିବା ମଧ୍ୟରେ ରାଜ୍ୟରେ ସରକାର ବଦଳିଥିଲା । ଏଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣକୁ କିଛିଲୋକ ବିରୋଧ କରିଥିଲେ । ଏ ସ୍ଥାନ ବଦଳରେ ପୁରୁଣା ବସ୍‌ଷ୍ଟାଣ୍ଡ ଜାଗାରେ ତାହା ନିର୍ମାଣ କରିବାକୁ ଦାବି ହୋଇଥିଲା । ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାମ ବନ୍ଦ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନ ନିର୍ଦ୍ଦେଶ ପରେ ଠିକାଦାର କାମ ବନ୍ଦ କରିଥିଲେ । ପ୍ରକଳ୍ପ ସ୍ଥଳରେ ଗଦା ହୋଇଥିବା ଲୁହାରଡ୍‌, ସିମେଂଟ, ଚିପ୍ସକୁ ନେଇଯାଇଥିଲେ । ଯାହାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଥିଲା । ଏହାପରେ ରାଜ୍ୟ ସଡକ ପରିବହନ ବିଭାଗର କର୍ତୃପକ୍ଷ ଆସି ତଦାରଖ କରିବା ପରେ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଥିଲା । ସେହି କ୍ରମରେ ଅତିରିକ୍ତ ସଚିବ ଏଠାକୁ ଆସିଥିଲେ । ତେବେ ଦୋବଲ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସପକ୍ଷ ଓ ବିପକ୍ଷ ବାଦୀମାନେ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଉପରସ୍ତରରେ ଆଲୋଚନା ପରେ ସଠିକ୍ ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ସଚିବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.