ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ ନଳଗୋହିରା ବଜାରରେ ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ ଅଚଳ ହୋଇ ପଡିଛି । ଚାନ୍ଦବାଲି ବ୍ଲକ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଟି ସଂପୂର୍ଣ ଖରାପ ହୋଇ ପଡିବା ସାଙ୍ଗକୁ ଏଥିପାଇଁ ଲାଗିଥିବା ଯନ୍ତ୍ରାଂଶକୁ ମଧ୍ୟ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି । ପ୍ରକଳ୍ପ କାନ୍ଥରେ ଲାଗିଥିବା ସୂଚନାରୁ ଜଣାଯାଇଛି ୨୦୨୦-୨୧ ଆର୍ଥିକ ବର୍ଷରେ ୫ଲକ୍ଷ ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ନିର୍ମାଣ ହୋଇଥିଲା । ସରକାରଙ୍କ ଲକ୍ଷ୍ୟଥିଲା ୧ଟଙ୍କା ବ୍ୟୟ ବିନିମୟରେ ସାଧାରଣ ଜନତାଙ୍କୁ ୧ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ମାତ୍ର ଏହାକୁ ସୁଚାରୂରୂପେ ଜନ କଲ୍ୟାଣ ନିମନ୍ତେ ଉର୍ତ୍ସଗୀକୃତ କରାଯିବାର କିଛି ସମୟ ପରେ ଏହା ସଂପୂର୍ଣ ଖରାପ ହୋଇ ଯାଇଥିଲା । ପରେ ଏହି ପ୍ରକଳ୍ପରେ ଲାଗିଥିବା ମୋଟର ଏବଂ ଅନ୍ୟ ଯନ୍ତ୍ରାଂଶକୁ କିଛି ଅସାମାଜିକ ଲୋକେ ଚୋରୀ କରି ନେଇ ଯାଇଥିବା ନେଇ ବାଂଶଡା ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ଏବଂ ଉର୍ତ୍ସଗୀକୃତ ହେବାର ୪ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଦିନକୁ ଦିନ ଏହି ବଜାର ରେ ପିଇବା ପାଣିର ଅଭାବ ପରିଲକ୍ଷିତ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି । ଏଥିସହ ଏହି ପ୍ରକଳ୍ପକୁ ଚାଲୁ କରିବା ପାଇଁ ସଂପୃକ୍ତ ବ୍ୟବସାୟୀ ଏବଂ ଜନସାଧାରଣ ଚାନ୍ଦବାଲି ବିଡିଓ, ପାନୀୟ ଜଳ ବିଭାଗୀୟ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ବହୁବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ । ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।
Home ଜିଲ୍ଲା ପରିକ୍ରମା ନଳଗୋହିରା ବଜାରରେ ପିଇବା ପାଣିର ଅଭାବ, ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ପ୍ରକଳ୍ପ ୫ଦିନରେ ଅଚଳ,...