ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥଙ୍କ ଗୁଣତତ୍ତ୍ୱ ଓ ରହସ୍ୟ ନିଜର ଚତୁଃ ଅକ୍ଷର ବିଶିଷ୍ଟ ନାମ ଭିତରେ ହିଁ ସମାହିତ । ଶ୍ରୀଜଗନ୍ନାଥ ଏକ ଭିତରେ ଅନେକ ଓ ଅନେକ ଭିତରେ ଏକ । ଜଗନ୍ନାଥଙ୍କର ଚାରିଅକ୍ଷର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଚତୁଃର୍ଦିଗ, ଚୁତଃ କୋଣ, ଚତୁଃବେଦ, ଚତୁଃ ବର୍ଣ୍ଣ, ଚତୁଃ ଯୁଗର ସୂଚକ ଓ ପୂର୍ଣ୍ଣତାର ପରିଭାଷା ବୋଲି ସ୍ଥାନୀୟ ସନସାଇନ ମିଶନ ସ୍କୁଲ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡିଆରେ ଅନୁଷ୍ଠିତ ଭଦ୍ରକ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ‘ଓଡ଼ିଆ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚେତନା’ ଶୀଷର୍କ ଆଲୋଚନା ଚକ୍ରରେ ଭଦ୍ରକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିଲେ । ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଶ୍ରୀଜଗନାଥ ତତ୍ତ୍ୱର ଗୁଣ ରହସ୍ୟ ବିଷୟରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବେ ଡାକ୍ତର ରଣଜିତ୍ ଖଟୁଆ ଯୋଗଦେଇ ଓଡ଼ିଆ ସାହିତ୍ୟ ସହିତ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କିପରି ଅଙ୍ଗାଙ୍ଗୀ ଭାବେ ଜଡିତ ତାହା ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ କବି ଶାନ୍ତନୁ କୁମାର ରାଉତ ଶ୍ରୀଜଗନ୍ନାଥ ଭିନ୍ନ ଭିନ୍ନ ଦୃଷ୍ଟିରେ କିପରି ବ୍ୟାପକ, ସେ ବିଷୟରେ ସୂଚାଇଥିଲେ । ପୁସ୍ତକମେଳା କମିଟି ସଦସ୍ୟ ସୁଧାକର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ସଦସ୍ୟ ଚର୍ଚ୍ଚିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଏମଏମ୍ ଡ୍ୟାନ୍ସ ଏକାଡେମୀ, ମୟୂର ନୃତ୍ୟ ଅନୁଷ୍ଠାନ, ମନମୋହନ ସଂଗୀତ ପରିଷଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦୁଃଶାସନ ମହାନ୍ତି, ମନୋରଂଜନ ନାୟକ, ସମୀର ଦାସ, ପ୍ରଦୀପ କୁମାର ବେହେରା, ଦେବୀଦୀପତା ହୋତା, ତେଜସ୍ୱିନୀ ପଲାଇ, କାଳନ୍ଦୀ ମଲ୍ଲିକ, ରାଜେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।







