ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧୀକରଣ ପକ୍ଷରୁ ଆସନ୍ତା ୯ ତାରିଖରେ ଜିଲ୍ଲା କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ସେହିପରି ନ୍ୟାୟଳୟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମକଦମା, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଇତ୍ୟାଦି ମାମଲାମାନଙ୍କର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣା ମାଧ୍ୟମରେ କୋର୍ଟରେ ବିଚାରାଧିନ ମାମଲା ଓ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶା ଯୋଗ୍ୟ ବିବାଦର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଅଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ନେହା ଅଗରୱାଲ ସୂଚନା ଦେଇଛନ୍ତି । ଅଧିକ ସୂଚନା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ କାର୍ଯ୍ୟାଳୟ ସହିତ ଯୋଗଯୋଗ କରିବା ପାଇଁ କୁହାଯାଇଛି ।







