Home ଜିଲ୍ଲା ପରିକ୍ରମା ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ, ଗଡ଼ିଲା ୨ଟି ଭ୍ୟାନ୍‌, ଭଦ୍ରକ ବ୍ଲକର ୩୬ ପଞ୍ଚାୟତକୁ...

ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ, ଗଡ଼ିଲା ୨ଟି ଭ୍ୟାନ୍‌, ଭଦ୍ରକ ବ୍ଲକର ୩୬ ପଞ୍ଚାୟତକୁ ପ୍ରଥମ ଯାତ୍ରା

34

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ସଙ୍କଳ୍ପ ବିକଶିତ ଭାରତ ର ବାର୍ତ୍ତା ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲାକୁ ଆସିଥିବା ୨ଟି ଭ୍ୟାନ୍‌ର ପରିକ୍ରମା ପାଇଁ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଜିଲ୍ଲା ପରିଷଦର ସି.ଡ଼ି.ଓ. ତଥା ଏହି କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ସରୋଜ କୁମାର ଦତ୍ତ ପତାକା ପ୍ରଦର୍ଶନ ପୂର୍ବକ ଉକ୍ତ ଦୁଇଟି ଭ୍ୟାନ୍‌ର ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ଥିବା ଭ୍ୟାନ୍‌ରେ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ନଳ ରୁ ଜଳ ଯୋଜନାରେ ଏପର୍ଯ୍ୟନ୍ତ ୧୩.୫ କୋଟିରୁ ଅଧିକ ନଳ ସଂଯୋଗ, ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଯୋଜନାରେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ୨.୬ ଲକ୍ଷ କୋଟି ଟଙ୍କାର ସହାୟତା, ସମସ୍ତଙ୍କୁ ପକ୍କା ଘର ଯୋଜନାରେ ୪ କୋଟି ପକ୍କାଘର ନିର୍ମାଣ, ମହିଳାମାନଙ୍କ ପାଇଁ ଧୂଆଁମୁକ୍ତ ରୋଷେଇ ଘର ନିମନ୍ତେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ୧୦ କୋଟି ଗ୍ୟାସ ସଂଯୋଗ ନେଇ ବାର୍ତ୍ତା ଉଲ୍ଲେଖ କରାଯାଇଛି ।

ପ୍ରଥମେ ଭଦ୍ରକ ବ୍ଲକ୍ କୁ ଯାତ୍ରା ଆରମ୍ଭ କରିଥିବା ୨ଟି ଭ୍ୟାନ୍ ମଧ୍ୟରୁ ଗୋଟିଏ ଭ୍ୟାନ୍ ନଭେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ୧୨ଟି ପଞ୍ଚାୟତ ଏବଂ ଅନ୍ୟ ଭ୍ୟାନଟି ନଭେମ୍ବର ୨୩ ରୁ ଡ଼ିସେମ୍ବର ୬ ପର୍ଯ୍ୟନ୍ତ ୨୪ଟି ପଞ୍ଚାୟତକୁ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଗୋଟିଏ ଭ୍ୟାନ୍ ଗୋଟିଏ ଦିନରେ ୨ଟି ପଞ୍ଚାୟତ ପରିକ୍ରମା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଚିହ୍ନଟ କରାଯାଇଥିବା ଭ୍ୟାନ୍‌ର ସାମୟିକ ରହଣି ସ୍ଥାନ ମାନଙ୍କରେ ବିଭିନ୍ନ ବିଭାଗ ତରଫରୁ ମଧ୍ୟ ସରକାରୀ ଯୋଜନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଉଦ୍‌ଘାଟନୀ ସ୍ଥଳରେ ଚାଷ ଜମି ପାଇଁ ଉଦ୍ଦିଷ୍ଟ ଏକ ଅତ୍ୟାଧୁନିକ ଡ଼୍ରୋନ୍ ପ୍ରଦର୍ଶନ କରାଯାଇଥିଲା । ଏ.ପି.ଡ଼ି.ଏମ୍‌.ଆଇ.ଏସ୍‌. ପ୍ରହ୍ଲାଦ ରଣା, ଡ଼ି.ପି.ଏମ୍‌଼. ଓ.ଏଲ୍‌.ଏମ୍‌. ସଞ୍ଜୟ କୁମାର ବାରିକ, ସହକାରୀ ନିର୍ଦ୍ଦେଶକ କୃଷି ଶ୍ରୀଧର ଦାସ, ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପିବତ୍ର ଦାସ, ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ବିନୟ ରାଉତ, ଏଲ୍‌..ଡ଼ି.ଏମ୍ ନାଗେଶ୍ୱର ରାଓ, ଭଦ୍ରକ ବି.ଡ଼ି.ଓ ସୀତାକାନ୍ତ ରାଉତ, ପ୍ରମୁଖଙ୍କ ସହ ମିଶନ ଶକ୍ତି ମହିଳାମାନେ, ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.