ନବରଙ୍ଗପୁର ୧୮.୧୦ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) : ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ଅବସରରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମଣ୍ଡେଇ ନାଟକ ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ମହୋତ୍ସବର ରୂପ ରେଖ ବିଷୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଉପସ୍ଥିତିରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି ନାଟକ ମହୋତ୍ସବ ପୁରୁଣା ମଣ୍ଡେଇ ପଡ଼ିଆରେ କରିବା ନିମନ୍ତେ ଉପସ୍ଥିତ ସଭ୍ୟମାନେ ଜିଲ୍ଲାପାଳ ଡଃ ମିଶ୍ରଙ୍କୁ ପ୍ରସ୍ତାବ ଦେଇଥିଲେ। ତତ୍ ସହିତ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଠାରୁ ୨୭ ତାରିଖ ମଧ୍ୟରେ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି ମଣ୍ଡେଇ ନାଟକ ମହୋତ୍ସବରେ ଜିଲ୍ଲାର ଦଶ ଗୋଟି ବ୍ଲକ ଏବଂ ଦୁଇଟି ପୌରାଞ୍ଚଳର ସର୍ବମୋଟ ବାର ଗୋଟି ନାଟକ ପରିବେଷଣ କରିବା ପାଇଁ ସ୍ଥିରୀକୃତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରି ଏକ ସଂପୂର୍ଣ୍ଣ ରୂପରେଖ ତିଆରି କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଆଲୋଚନା ସମୟରେ ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ପ୍ରକାଶ ସାମନ୍ତରାୟ, ପ୍ରେମଚାନ୍ଦ ପଟ୍ଟନାୟକ, ବରିଷ୍ଠ କଳାକାର ଚିଦାନନ୍ଦ ପଟ୍ଟନାୟକ, ସଙ୍ଗୀତକାର ସୁରେଶ ମହାନ୍ତି ସହିତ କଳାକାର ତଥା ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।