– ଓଡ଼ିଶାରେ କ୍ରୁଟ୍ ଦ୍ବାରା ପରିଚାଳିତ ‘ମୋ ବସ୍ ଓ ମୋ ଇ-ରାଇଡ୍’ ସେବାକୁ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବର୍ଗରେ ମିଳିଲା ପୁରସ୍କାର
– ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତା ପ୍ରତି ଅଧିକ ସହାନୁଭୂତିଶୀଳ ହେବେ : ଶ୍ରୀ ପୁରୀ
ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି। ସ୍ମାର୍ଟ ସିଟୀରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବା ସଲ୍ୟୁସନ୍ସ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍ ପ୍ରାଇଡ୍’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍)କୁ ପୁରସ୍କାର ମିଳିଛି।
ଦିବ୍ୟାଙ୍ଗ, ମହିଳା ଓ ବାଳିକା ଏବଂ ବୟସ୍କମାନେ ସମ୍ମୁଖିନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୀ କହିଥିଲେ ଯେ, ଅଭିନବ ସମାଧାନଗୁଡ଼ିକର ସୃଜନଶୀଳ କ୍ଷମତା ଏବଂ ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଏଥିରେ ରହିଥିବା ସମାଧାନ ଦେଖିବାକୁ ମିଳିବା ଆନନ୍ଦର ବିଷୟ। ଶ୍ରେଷ୍ଠ ସମାଧାନଗୁଡ଼ିକ ସବୁବେଳେ ସରଳ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିଥାଏ। ଏହାର ସ୍ପଷ୍ଟ ଲାଭ ରହିଥାଏ ଏବଂ ଏହାକୁ ବ୍ୟବହାରକାରୀମାନେ ବ୍ୟାପକ ଭାବେ ଗ୍ରହଣ କରିଥାନ୍ତି। ଏହି ସମାଧାନଗୁଡ଼ିକ ସାର୍ବଜନୀନ ଡିଜାଇନକୁ ସମନ୍ବିତ କରିବା ସହିତ ସବୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ନିରାପଦ, ସମାବେଶୀ ଓ ଅଭିଗମ୍ୟ, ସବୁଜ ଓ ସାର୍ବଜନୀନ ସ୍ଥାନ ଯୋଗାଇ ଦେବା ନିମନ୍ତେ ଏସଡିଜି ଲକ୍ଷ୍ୟ ୧୧.୭କୁ ହାସଲ କରିବାରେ ସହାୟକ ହେବ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଭାରତରେ ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ ୨୦୧୬ କାର୍ଯ୍ୟକାରୀ କରାଯିବା ପରେ ମାନ୍ୟତାପ୍ରାପ୍ତ ଭିନ୍ନକ୍ଷମତା ତାଲିକା ୭ରୁ ୨୧କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ପୂର୍ବରୁ ଆକଳନ କରାଯାଉଥିବା ସଂଖ୍ୟା ଠାରୁ ଖୁବ ଅଧିକ ସଂଖ୍ୟକ ଲୋକ କୌଣସି ନା କୌଣସି ଅକ୍ଷମତା ସହିତ ଭାରତରେ ରହୁଛନ୍ତି।
ଶ୍ରୀ ପୁରୀ କହିଥିଲେ ଯେ, ମିଳିତ ଜାତିସଂଘ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏସଡିଜି-୨୦୩୦କୁ ମୋଦୀ ସରକାର ପୂର୍ବରୁ କାର୍ଯ୍ୟକାରୀ କରି କରିସାରିଛନ୍ତି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି। ସବୁଠୁ ପଛରେ ରହିଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଆମେ ସର୍ବୋଦୟରୁ ଅନ୍ତ୍ୟୋଦୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ। ଏହା ଭାରତରେ ଏସଡିଜି ଲକ୍ଷ୍ୟକୁ ସଫଳ କରିପାରିବ। ଏସଡିଜିର ସଫଳତା ପାଇଁ ଭାରତ ଏସବୁ ଲକ୍ଷ୍ୟରେ ଭଲ ପ୍ରଦର୍ଶନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।
ଶ୍ରୀ ପୁରୀ କହିଥିଲେ ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ସୁଦୃଢ଼ କରିବା ସହିତ ମୌଳିକ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ଏଥିପ୍ରତି ଜୋର ଦେଇ ‘ପଞ୍ଚ ପ୍ରଣ’ ବିଷୟରେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଏହା ଜରୁରି। ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ପାଇଁ ଉତ୍ତରଦାୟିତ୍ବ ଏବଂ ବିଶ୍ବସ୍ତତାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ନିଜ ଭିତରେ ଏକ ସମ୍ବେଦନଶୀଳତା ବିକଶିତ କରିବା ଲାଗି ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି।
ଶ୍ରୀ ପୁରୀ କହିଥିଲେ ଯେ, ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତା ପ୍ରତି ଅଧିକ ସହାନୁଭୂତିଶୀଳ ହେବେ। ସେ ଆହୁରି କହିଥିଲେ ଯେ, ଭାରତରେ ବିଶେଷ କରି ସହାୟକ ପ୍ରଯୁକ୍ତିର ପୂର୍ବରୁ କାର୍ଯ୍ୟକ୍ଷମତା ରହିଛି। ସୁବିଧାଜନକ ଏବଂ ସମାବେଶୀ ସହରାଞ୍ଚଳ କ୍ଷେତ୍ର ନିର୍ମାଣ କରିବା ଲାଗି ଆମେ ଏହି ଧାରାକୁ ଉପଯୋଗ କରିବା ଉଚିତ୍।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ହେଉଛି ଏପରି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ଆମେ ଦିବ୍ୟାଙ୍ଗମାନଙ୍କୁ ସୁବିଧାଜନ ଓ ସମାବେଶୀ ପରିବେଶ ଯୋଗାଇ ଦେଇପାରିବା। ଦିବ୍ୟାଙ୍ଗତାକୁ ନେଇ ରହିଥିବା ଭେଦଭାବ ଦୂର କରିବାକୁ ହେଲେ ସାମାଜିକ ସଚେତନତା ଜରୁରି। ସେ ଆହୁରି କହିଥିଲେ ଯେ, ଏହି ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ପାଇଁ ସମାଧାନ ବିକଶିତ କରିବାରେ ସ୍ଥାନୀୟ ଉଦ୍ୟୋଗୀମାନେ ସ୍ବଦେଶୀ ପ୍ରଯୁକ୍ତି ବିନିଯୋଗ କରିବା ଉତ୍ସାହଜନକ। ସବୁ ୧୦୦ଟି ସ୍ମାର୍ଟ ସିଟିରେ ସମନ୍ବିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି। ସହର ମଧ୍ୟରେ ଉନ୍ନତ ସମନ୍ବୟ ପାଇଁ ପ୍ରଯୁକ୍ତିକୁ ବିନିଯୋଗ କରିବାରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ କହିଥିଲେ।
ଆଦର୍ଶ ସ୍ବଦେଶୀ ପ୍ରଯୁକ୍ତିଗତ ନବସୃଜନ ଏବଂ ସମାଧାନକୁ ବିନିଯୋଗ କରିବା ସହିତ ଜନକୈନ୍ଦ୍ରିକ ଡିଜାଇନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସ୍ମାର୍ଟ ସଲ୍ୟୁସନ୍ସ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ଚଳିତ ବର୍ଷ ଏପ୍ରିଲ ମାସରେ ଶୁଭାରମ୍ଭ କରାଯାଇଥିଲା।
ଏକ ଖୋଲା ଆବେଦନ ପ୍ରକ୍ରିୟାରେ ଏଥିପାଇଁ ୧୦୦ରୁ ଅଧିକ ଆବେଦନ ମିଳିଥିଲା। ଏଥିମଧ୍ୟରୁ ୧୦ଟି ପ୍ରଯୁକ୍ତି ଆଧାରିତ ନବସୃଜନକୁ ଚିହ୍ନଟ କରାଯାଇଥିଲା। ୭ ଜଣିଆ ବିଚାରକ ମଣ୍ଡଳୀ ବ୍ୟାପକ ଯାଞ୍ଚ କରିବା ପରେ ବିଜେତା ସମାଧାନ ବା ସଲ୍ୟୁସନ୍ସ ଭାବେ ଏହିସବୁ ପ୍ରଯୁକ୍ତି ଆଧାରିତ ନବସୃଜନକୁ ବାଛିଥିଲେ। ଏହି ଦଶଟି ପ୍ରଯୁକ୍ତି ଆଧାରିତ ସଲ୍ୟୁସନ୍ସକୁ ସମାବେଶୀ ସହର ପୁରସ୍କାର ୨୦୨୨; ପ୍ରଦାନ କରାଯାଇଛି।
ବର୍ଗ ୧ : ପ୍ରାରମ୍ଭିକ ସ୍ତରର ନବସୃଜନ
୧. ଗ୍ଲୋଭାଟ୍ରିକ୍ସ ପ୍ରାଃ ଲିଃ ଦ୍ବାରା ପ୍ରସ୍ତୁତ ଫିଫ୍ଥ୍ ସେନ୍ସ
୨. ଓଲା ମୋବିଲିଟି ଇନଷ୍ଟିଚ୍ୟୁଟ୍ ଦ୍ବାରା ଡିଜିଟାଲ ମୋବିଲିଟୀ ସବସିଡି
୩. ଆକ୍ସେସେବଲ ଡିଜାଇନ୍ସ ଏଲଏଲପି ଦ୍ବାରା ଆକ୍ସେସେବଲ ପ୍ଲେସେସ
ବର୍ଗ ୨ : ବଜାର ପ୍ରସ୍ତୁତ ସମାଧାନ
୧. ଡେକ୍ସେଟ୍ରୋୱେର ଡିଭାଇସେସ ଦ୍ବାରା ମାଉସୱେର
୨. ଇନକ୍ଲୁଇଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ/ଫ୍ରେଣ୍ଡସ୍ ଫର ଇନକ୍ଲୁଜନ ଦ୍ବାରା ସାଇନର. ଏଆଇ
୩. ଆଇଆଇଟି ଦିଲ୍ଲୀର ଗବେଷକ ବିକାଶ ଉପାଧ୍ୟାୟଙ୍କ ପ୍ରସ୍ତୁତ ଇନକ୍ଲୁମ୍ୟାପ୍ସ
ବର୍ଗ ୩ : କାର୍ଯ୍ୟକାରୀ ହୋଇଥିବା ସମାଧାନ
୧. ବେଲଗାଭୀ ସ୍ମାର୍ଟ ସିଟୀ ଲିମିଟେଡ ଦ୍ବାରା ପ୍ରସ୍ତୁତ ବହୁମୁଖି ସମାବେଶୀତା : ଶିକ୍ଷା ଓ ସାକ୍ଷରତା ପାଇଁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର
୨. ଟେକ୍ରା ସଲ୍ୟୁସନ୍ସ ପ୍ରାଃ ଲିଃ ଦ୍ବାରା ପ୍ରସ୍ତୁତ ମାଇ ଉଡ଼ାନ୍
୩. ଓଡ଼ିଶାର କ୍ୟାପିଟାଲ ରିଜିଅନ ଉର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍ ପ୍ରାଇଡ୍’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍)
୪. ସାଗର ସ୍ମାର୍ଟ ସିଟୀ ଲିଃ ଦ୍ବାରା ପ୍ରସ୍ତୁତ ନିର୍ଭୟା ଆପ୍
ଏହି କାର୍ଯ୍ୟକ୍ରମ ଅବସରରେ ‘କମ୍ପେଡିୟମ ଅଫ୍ ସ୍ମାର୍ଟ ଏଣ୍ଡ ଇନୋଭେଟିଭ୍ ଫର ଏନ୍ ଇନକ୍ଲୁସିଭ୍ ଏଣ୍ଡ ଆକ୍ସେସିବଲ ଅର୍ବାନ ଫ୍ୟୁଚର’ ଦସ୍ତାବିଜ ଉନ୍ମୋଚନ କରାଯାଇଥିଲା। ଏହି କମ୍ପେଡିୟମରେ ଭାରତରେ ଉପଲବ୍ଧ ପ୍ରଯୁକ୍ତି ନବସୃଜନ ଏବଂ ଶ୍ରେଷ୍ଠ ପଦ୍ଧତି ସମ୍ପର୍କରେ ଦସ୍ତାବିଜ ପ୍ରସ୍ତୁତ କରିବା ସହିତ ସୂଚନାର ପ୍ରସାର କରିବା ଲାଗି ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଚୟନ କରାଯାଇଥିବା କେତେକ ସମାଧାନ ବା ସଲ୍ୟୁସନ୍ସ ରହିଛି। ସହରାଞ୍ଚଳ ବିଶେଷଜ୍ଞମାନେ ଏହାକୁ ସହରରେ ଏକ ସମ୍ବଳ ଭାବେ ବ୍ୟବହାର କରିପାରିବେ। ସାରା ବିଶ୍ବରେ, ବିଶେଷ କରି କମ୍ ଆୟ ବର୍ଗର ଦେଶ ପାଇଁ ମଧ୍ୟ ଏହି ଦସ୍ତାବିଜ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।