Home ଜିଲ୍ଲା ପରିକ୍ରମା ଶିବ ବିବାହ ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ଜୁନ୍ ୧୯ରେ ବିବାହ ବନ୍ଧନରେ ବାନ୍ଧି...

ଶିବ ବିବାହ ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ଜୁନ୍ ୧୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି

2

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ ଆସନ୍ତା ଜୁନ୍ ୧୯ ତାରିଖରେ ବୈଦିକ ରୀତିନୀତି ଓ ଲୋକାଚାର ମଧ୍ୟରେ ଆୟୋଜିତ ହେବ। ଏହି ମହୋତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ନିମନ୍ତେ ଭଦ୍ରକ ଜିଲାପାଳ ତଥା ଶିବବିବାହ ଉତ୍ସବ କମିଟିର ଅଧ୍ୟକ୍ଷ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସପି ମନୋଜ ରାଉତ, ଏଏସପି ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ସୌରଭ ଚକ୍ରବର୍ତୀ, ମନ୍ଦିର ଟ୍ରଷ୍ଟସଭ୍ୟ ତଥା କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ସେବାୟତ ପ୍ରତିନିଧି ଦେବଦତ ପାଢୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ ଏବଂ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଆସନ୍ତା ଶ୍ରୀ ଶିବ ବିବାହ ଉତ୍ସବକୁ ସୁଚାରୁ, ଶୃଙ୍ଖଳିତ ଓ ଭକ୍ତମାନଙ୍କ ପାଇଁ ସୁବିଧାଜନକ ଭାବେ ଆୟୋଜନ କରିବା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉତ୍ସବ ସମୟରେ ଆଇନଶୃଙ୍ଖଳା, ଯାତାୟାତ, ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ଓ ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଜ୍ୟେଷ୍ଠ ମାସ ମଳମାସ ହୋଇଥିବାରୁ ଏକମାସ ଧରି କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ। ତେଣୁ ଆସନ୍ତା ଜୁନ୍ ୧୯ ତାରିଖ କୃଷ୍ଣପକ୍ଷ ପଂଚମୀ ତିଥିରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜ୍ୟୋତିଷ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ଥିର କରାଯାଇଛି। ଏଥିପାଇଁ ଜୁନ୍ ୧୮ରେ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ। ପ୍ରାରମ୍ଭରେ ମ୍ୟାନେଜିଂ ଟ୍ରଷ୍ଟି ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀକଂ ଦ୍ୱାରା ଉତ୍ସବ ସମ୍ପର୍କିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରାରମ୍ଭିକ ଅଭିଭାଷଣ ରଖି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ସମ୍ପନ୍ନ କରିବାକୁ ସମସ୍ତ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ। ସେବାୟତ ବିଜୟ କୁମାର ଦାସ ଶିବ ବିବାହ ଉତ୍ସବ ଦିନର ନୀତିକାନ୍ତି ଓ ପାରମ୍ପରିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ବ୍ୟବସ୍ଥା ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ର ପରିଚାଳନା ସହ ବିଭିନ୍ନ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ନେଇ ଭକ୍ତମାନଙ୍କ ସୁବିଧା ସୁନିଶ୍ଚିତ କରିବାକୁ ବି ଗୁରୁତ୍ୱ ଦିଆଯାଇଥିଲା। ପରିବେଶ ସୁରକ୍ଷା ଦୃଷ୍ଟିରୁ ବାଣ ଫୁଟା କାର୍ଯ୍ୟକ୍ରମରେ ସବୁଜ ବାଣ ବ୍ୟବହାର କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହାଛଡ଼ା ଶିବ ବିବାହ ଉତ୍ସବରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ, ବ୍ୟୟ ଅଟକଳ ଓ କିଛି ସେବାୟତଙ୍କ ଦ୍ୱାରା ଭୁଲ ପରିଚୟ ଦେଖାଇ ଗର୍ଭଗୃହ ମଧ୍ୟକୁ ପ୍ରବେଶ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଶିବବିବାହ ମହୋତ୍ସବକୁ ଦୃଷ୍ଟିରେ ରଖି ପୀଠରେ ଦୁଇଦିନ ଧରି ନିରବିଛିନ୍ନ ବିଦ୍ୟୁତ ସେବା, ପାନୀୟଜଳ ଯୋଗାଣ, ୨୪ ଘଂଟିଆ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିବାହ ଉତ୍ସବର ବରଧରା ଓ ବରାନୁଗମନ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଜିଲାର ଲୋକବାଦ୍ୟ ଓ ଲୋକନୃତ୍ୟ ଦଳଙ୍କୁ ଅଗ୍ରିମ ବରାଦ ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ସଂସ୍କୃତି ବିଭାଗ ପକ୍ଷରୁ ଶୋଭାଯାତ୍ରାରେ ବିଭିନ୍ନ ଲୋକନୃତ୍ୟ ଦଳ ଯୋଗାଇ ଦେବା ପାଇଁ ଜିଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ବୈଠକରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, ବିଡିଓ ସଞ୍ଜୀବ ମହାନ୍ତି, ସେବାୟତ ଭୀମସେନ ପଣ୍ଡା, ଗଦାଧର ପାଢୀ, ସୁରେନ୍ଦ୍ର ପାଢୀ, ଆଶିଷ ପାଢୀ, ଅରବିନ୍ଦ ପାଢୀ, ରାଧାକାନ୍ତ ପାଢୀ, ଲଲାଟକିଶୋର ପାଢୀ, ଶିବାନନ୍ଦ ପାଢୀ, ବାବାଜୀ ଶଙ୍କର ପାଢୀ ପ୍ରମୁଖଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.