ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆରବ ସାଗର କୂଳରେ ଅବସ୍ଥିତ ଆବୁଧାବିର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍” ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ବହୁ ପ୍ରତୀକ୍ଷିତ ଏହି ମହାସମାରୋହକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଆଗନ୍ତୁକଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅଦମ୍ୟ ଉଲ୍ଲାସ ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଉପଲକ୍ଷେ ଉତ୍ସବ ସ୍ଥଳକୁ ଅନୁପମ ଢଙ୍ଗରେ ସଜ୍ଜାଯାଇ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ପାଂଚଶହରୁ ଅଧିକ ଓସାର ସଦସ୍ୟ, ପରିବାରବର୍ଗ, ପରିଜନ ଓ ଶୁଭେଚ୍ଛୁ ମାନେ ଆସି ପ୍ରବାସୀ ଓଡ଼ିଆଙ୍କର ଏହି ସାଂସ୍କୃତିକ ମହାକୁମ୍ଭ ମେଳାରେ ସାମିଲ ହୋଇଥିବା ଦେଖା ଯାଇଥିଲା । ଓଡିଆ ସମାଜ ଆବୁଧାବିର ଅଧ୍ୟକ୍ଷ ସୌଗତ ନାୟକଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୟୁ.ଏ.ଇ ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ଼ଃ ଦୀପକ ମିତଲ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ସଦସ୍ୟା ସୋଫିଆ ଫିର୍ଦୋସ ତଥା ଏଲ.ଆଇ.ସି ଇଂଟରନ୍ୟାସନାଲର ମଧ୍ୟ ପ୍ରାଚ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ସମାବେଶକୁ ସମ୍ବୋଧନ କରି ଡ଼ଃ ମିତଲ ବିଦେଶ ମାଟିରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଓଡିଆ ସମାଜର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀମତୀ ଫିର୍ଦୋସ ତାଙ୍କର ଭାଷଣରେ ଉତ୍କଳ ଦିବସର ଐତିହ୍ୟ ଏବଂ ଓଡ଼ିଶାର ଗୌରବମୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କର ବକ୍ତବ୍ୟରେ ଓଡିଆ ସମାଜର ଏହି ଭବ୍ୟ ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ଧରଣର ଅନେକ ଉଚ୍ଚ ମାନର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ପ୍ରଦାୟ ବନ୍ଧୁ ମିଳନ ଓସା ପକ୍ଷରୁ ଆୟୋଜନ କରାଯିବ ବୋଲି ଅଧ୍ୟକ୍ଷ ସୌଗତ ନାୟକ ଘୋଷଣା କରିଥିଲେ ।ଓସା ର ଉପଦେଷ୍ଟା ପ୍ରଦୀପ କୁମାର ରଥ ଉତ୍କଳର ସ୍ୱର୍ଣ୍ଣିମ ଇତିହାସ, ଗୌରବମୟ କଳା ଓ ଗାରିମା ସମ୍ପନ୍ନ ସଂସ୍କୃତିକୁ ଉଲ୍ଲେଖ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଓଡ଼ିଆ ସମାଜର ସ୍ମରଣୀକା ପ୍ରବାସୀ ଉତ୍କର୍ଷ ର ଅଷ୍ଟମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଉତ୍କର୍ଷ-୨୦୨୬ ର ବିଶେଷ ଆକର୍ଷଣ ଏକ ରଙ୍ଗାରଙ୍ଗ ସାଙ୍ଗୀତିକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଓଡ଼ିଆ ସମାଜର ସଦସ୍ୟ କଳାକାର ମାନେ ସେମାନଙ୍କର ଅନନ୍ୟ ଓ ଅଭିନବ କଳା ଚାତୁର୍ଯ୍ୟର ସୁନ୍ଦର ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ସଶାଙ୍କ ଶେଖର ଓ ଦୀପ୍ତିରେଖା ପାଢୀ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ସମ୍ପୂର୍ଣ ଭାବେ ଅଭିଭୂତ କରିଦେଇଥିଲେ। ଓଡ଼ିଶାର ସୁପରିଚିତ ଉପସ୍ଥାପକ ସଞ୍ଜୀବ କୁମାର ବେଶ ଦକ୍ଷତାର ସହିତ ମଂଚ ପରିଚାଳନା କରିଥିଲେ। ସମ୍ବଲପୁରର ବିଶିଷ୍ଟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିଜର ହାସ୍ୟରସାତ୍ମକ ଉପସ୍ଥାପନା ମାଧ୍ୟମରେ ଦର୍ଶକ ମାନଙ୍କୁ ଖୁବ ଆମୋଦିତ କରିଥିଲେ। ଓଡ଼ିଶାର ସୁନାମଧନ୍ୟ ଫ୍ୟାଶନ ଡିଜାଇନର ଦୀପିକା ଗୌଡଙ୍କ ତତ୍ୱାବଧାନ ଏବଂ ସ୍ୱାତୀ ଦାସ ଓ ଶୁଭ୍ରା ସାମଲଙ୍କ ନେତୃତ୍ୱରେ ଏକ ଆକର୍ଷଣୀୟ ଫ୍ୟାଶନ ଶୋ’ର ପ୍ରଦର୍ଶନ କରାଯାଇଥିଲା । ଉତ୍କର୍ଷ-୨୦୨୬ କୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହ ସମାପନ କରିବାରେ ଓସା ର ଉପଦେଷ୍ଟା ଡ଼ଃ ହିମାଂଶୁ ଦାସ, କାର୍ତିକ ସିଂହ,କର୍ମକର୍ତା ସିଦ୍ଧାର୍ଥ ଦାସ, ସୁକର୍ଣ୍ଣ ବେହେରା, ଜିତେନ୍ଦ୍ର ମିଶ୍ର, ସୁଶାନ୍ତ ମହାପାତ୍ର, ଚିନ୍ମୟ ନାୟକ, ସମ୍ବିତ କୁମାର ମହାନ୍ତି, ଟି. କେଶବ ରାଓ , ସଦସ୍ୟ ସୁମିତ କୁମାର ପଣ୍ଡା,ବହ୍ନି ପ୍ରଭା ରଥ, ଅର୍ଚ୍ଚନା ନାୟକ, ଶୁଭ୍ରା ସାମଲ, ଶିପ୍ରା ଦାସ, ଅସ୍ମିତା ପଟେଲ, ସୁବୋଧ କୁମାର ସାହୁ, ପ୍ରଦୀପ କୁମାର ସାହୁ, ବିଶ୍ୱରଞ୍ଜନ ଜେନା ଓ ଦିଲୀପ କୁମାର ନାୟକ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସଭା ଶେଷରେ ଉପସ୍ଥିତ ଅତିଥି ଓ ଅଭ୍ୟାଗତ ମାନଙ୍କୁ ପାରମ୍ପରିକ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା।








