କେନ୍ଦ୍ରାପଡ଼ା, ୨୦ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ଜିଲ୍ଲାରୁ କଟକ ମାଲ ଗୋଦାମକୁ ଜଳ ପଥରେ ମାଲ ପରିବହନର ଏକମାତ୍ର ମାଧ୍ୟମ ଥିଲା ଗୋବରୀ କେନାଲ। ଏହି ଜଳପଥ ଦେଇ ଡଙ୍ଗାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଧାନ, ଚାଉଳ, ମୁଗ, ବିରି, ବାଦାମ ପ୍ରଭୃତି ଜଳପଥରେ କଟକ ମାଲ ଗୋଦାମକୁ ଯାଉଥିଲା। ଡଙ୍ଗା ଫେରିବା ବେଳେ ମାଲ ଗୋଦାମରୁ ମଧ୍ୟ ଗୁଡ ବଣା, ଲୁଣ ଭଳି ବିଭିନ୍ନ ଜିନିଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାକୁ ବ୍ୟବସାୟୀମାନେ ଫେରୁଥିଲେ। ଫଳରେ ଏହି କେନାଲ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାର ଖାଦ୍ୟ ଆବଶ୍ୟକତା ପୂରଣ ହେଉଥିଲା। ବ୍ରିିଟିଶ ଅମଳରେ ଏହି ଗୋବରୀ କେନାଲ ଖୋଳା ଯାଇଥିଲା। ସେତେବେଳେ ଶ୍ରମିକ ନିୟୋଜିତ କରାଯାଇ ଗୋବରୀ କେନାଲ ଖୋଳା ଯାଇଥିଲା। ପରବର୍ତ୍ତୀ ସମୟରେ ରାସ୍ତା ଘାଟ ନିର୍ମାଣ ହୋଇଯିବା ପରେ ଏହି କେନାଲ ଚାଷୀମାନଙ୍କ ଜଳସେଚନ ପାଇଁ ସୁବିଧା ଯୋଗାଇଲା। କିନ୍ତୁ ଏବେ ଏହି ଗୋବରୀ କେନାଲ ବିପର୍ଯ୍ୟସ୍ତ ହୋଇ ପଡିଛି। କେନାଲର ପୁନରୁଦ୍ଧାର କରିବା ପାଇଁ ୨୬ କୋଟି ଟଙ୍କା ସରକାର ମଞ୍ଜୁର କରିଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗି ପାରି ନାହିଁ। ୨୦୨୧ ମସିହା ଡିସେମ୍ବର ମାସ ୧୫ ତାରିଖରେ କେନ୍ଦ୍ରାପଡ଼ା ବିଧାୟକ ଗୋବରୀ କେନାଲର ନବୀକରଣ ପାଇଁ କାକଟ ଲକ ନିକଟରେ ଭିତ୍ତିଭୂମି ପକାଇଥିଲେ। କିନ୍ତୁ ଭିତ୍ତିଭୂମି ପଡିବାର ୬ ମାସ ପରେବି ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ। କରିଲୋପାଟଣା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ସର୍ବେସ୍ୱର ସେଣ କୁହନ୍ତି ନଅଙ୍କ ଦୁର୍ବିକ୍ଷ ପରେ ବ୍ରିଟିଶ ସରକାର କେନ୍ଦ୍ରାପଡ଼ା ଗୋବରୀ କେନାଲ ଓ ପଟ୍ଟାମୁଣ୍ଡାଇ କେନାଲକୁ ଖୋଳିଥିଲେ। ସେ ସମୟରେ ଲୋକେ ପ୍ରାୟତଃ ଖାଇବାକୁ ପାଉ ନ ଥିଲେ। ତେଣୁ ବ୍ରିିଟିଶ ସରକାର ଶ୍ରମିକମାନଙ୍କୁ କେନାଲ ଖୋଳା କାର୍ଯ୍ୟରେ ଲଗାଇଥିଲେ। ବଦଳରେ ସେମାନଙ୍କୁ ଖାଇବାକୁ ଦେଉଥିଲେ। କାରଣ ସେତେବେଳେ ଖାଦ୍ୟାଭାବ ପରିସ୍ଥିତି ଲାଗି ରହିଥିଲା। ଏହି କେନାଲ ଖୋଳା ହେବା ପରେ କଟକରୁ ମାଲପତ୍ର ପରିବହନ ହେବା ସୁଗମ ହେଲା। କେନ୍ଦ୍ରାପଡ଼ାରୁ ଯାହା ଖାଦ୍ୟ ଶଶ୍ୟ ଅମଳ ହେଲା ତାହା କଟକକୁ ଯାଉଥିଲା। କଟକରୁ ଆବଶ୍ୟକ ଖାଦ୍ୟ ଶସ୍ୟ କେନ୍ଦ୍ରାପଡ଼ାକୁ ଆସୁଥିଲା। ଫଳରେ ଲୋକଙ୍କ ଖାଦ୍ୟ ଆବଶ୍ୟକତା ମେଣ୍ଟାଇବାରେ ଏହି କେନାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି କେନାଲ ପଟ୍ଟାମୁଣ୍ଡାଇ ବ୍ଲକର ଅଳଭା ଠାରେ ବ୍ରାହ୍ମଣୀ ନଦୀ ସହ ସଂଯୋଗ ହୋଇଛି। ଏହି କେନାଲ ଯୋଗେ ଲୋକେ ଷ୍ଟିମର ସାହାଯ୍ୟରେ ଯିବା ଆସିବା କରୁଥିଲେ। କାରଣ ସ୍ଥଳ ପଥରେ ଗମନାଗମନ କରିବାର ମାଧ୍ୟମ ସୁଗମ ନ ଥିଲା। ଫଳରେ ସେତେବେଳେ ସ୍ଥଳ ପଥରେ ଯାତାୟତ ଓ ମାଲ ପରିବହନର ସୁବିଧା ନ ଥିବାରୁ ଜଳପଥରେ ଏହା ପରିବହନ ହେଉଥିଲା। ପରବର୍ତ୍ତୀ ସମୟରେ ରାସ୍ତାଘାଟ ନିର୍ମାଣ ହୋଇଯିବା ପରେ ଜଳପଥରେ ପରିବହନ କାର୍ଯ୍ୟ ହେଲା ନାହିଁ। ତେଣୁ କେନାଲର ଆବଶ୍ୟକତା ପଡିଲା ନାହିଁ। ଏହାପରେ କେନାଲ ଉପକୂଳରେ ଥିବା ଚାଷଜମି ଜଳସେଚିତ ହେଲା। ଚାଷୀମାନେ ଗୋବରୀ କେନାଲରୁ ପାଣି ନେଇ ବିଲରେ ମଡାଇ ଭଲ ଅମଳ କଲେ। କିନ୍ତୁ କାଳକ୍ରମେ କେନାଲ କଡ଼ରେ ଜବରଦଖଲ ବୃଦ୍ଧି ପାଇଲା। ଲୋକେ କେନାଲରେ ଅଳିଆ ଆବର୍ଜନା ପକାଇଲେ। ଏହାଦ୍ୱାରା ଧୀରେ ଧୀରେ ତାହା ପୋତି ହୋଇପଡିଲା। ତେଣୁ ଚାଷୀମାନେ ମଧ୍ୟ ଚାଷ କରିବା ପାଇଁ ପୂର୍ବରୁ ଯେପରି ଭାବେ ଗୋବରୀ କେନାଲ ଉପରେ ନିର୍ଭରଶୀଳ ହେଉଥିଲେ ସେ ଅବସ୍ଥା ଆଉ ଏବେ ନାହିଁ। ଚାଷୀଙ୍କ କାର୍ଯ୍ୟରେ ମଧ୍ୟ ଗୋବରୀ କେନାଲ ଲାଗି ପାରୁନାହିଁ। ଏହାର ପୁନରୁଦ୍ଧାର ପାଇଁ ଯେଉଁ ବ୍ୟୟ ଅଟକଳ ହୋଇଛି ତାହାକୁ କାର୍ଯ୍ୟକାରୀ କରାଗଲେ ଅନ୍ତତଃ ପକ୍ଷେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ପ୍ରଫେସର ଡଃ. ସେଣ କହିଛନ୍ତି।