ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରୁ ଜଣେ ବିଚାରାଧୀନ ବନ୍ଦୀ ଶୌଚ ହେବାକୁ ଯାଇ ପାଇପ୍ ଯୋଗେ ପାଚେରୀ ଡେଇଁ ଖସିଯିବାବେଳେ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଭଦ୍ରକର ଏହି ଉପକାରାଗାରରୁ ବନ୍ଦୀମାନେ ଖସିଯିବା ଯଦିଓ ନୂଆ ନୁହେଁ, ମାତ୍ର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏଭଳି ଅଘଟଣ ସମସ୍ତଙ୍କୁ ଚକିତ କରିଛି। କାରା ଅଧୀକ୍ଷକ ରୁଷିନାଥ ନାୟକଙ୍କ ସୂଚନା ଅନୁସାରେ ଗତ ୩ ଦିନ ତଳେ ଏହି ଜିଲାର ପୀରହାଟ ଥାନାରୁ ସ୍ଥାନୀୟ ଇସାଣପୁର ନିବାସୀ ଗୋପାଳ ମଳିକଙ୍କ ପୁତ୍ର ଅକ୍ଷୟ ଓରଫ ଅଖୁ (୩୨) ଏକ ମାମଲାରେ ଏସ୍ଡିଜେଏମ୍ କୋର୍ଟର ଜିଆର କେଶ୍ ନଂ ୨୫୯୦/୨୧, ଦଫା ୩୫୪ ଆଇପିସି ମୂଳେ ଜେଲ୍କୁ ଆସିଥିଲା। ଆଜି ଶୌଚ ହେବାକୁ ଯାଇ ଶୌଚାଳୟର ପାଇପ୍ ଦେଇ ପାଚେରୀ ଡେଇଁ ଖସିଯିବାରେ ସଫଳ ହୋଇଥିଲା। ମାତ୍ର ଜେଲ୍ କର୍ତ୍ତୃପକ୍ଷଙ୍କ ସମୟୋଚିତ ପଦକ୍ଷେପରୁ କାରାରକ୍ଷୀମାନେ ତାକୁ ଧରିବାରେ ସକ୍ଷମ ହୋଇଥିଲେ।