ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) – ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଭଗୀରଥ, କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଆ ସାହିତ୍ୟରେ ମାର୍କ୍ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ସନ୍ଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ପାଳିତ ହୋଇଯାଇଛି।
ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇ(ଏମ) ନେତା ସୁରେଶ ପାଣିଗ୍ରାହୀ ଓ ସିପିଆଇ (ଏମ.ଏଲ.) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ– ଉତ୍କଳ ଗୌରବ ମଧୁସୁଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଯଥାକ୍ରମେ ଓଡ଼ିଆ ଜାତୀୟତା ଓ ମହାଭାରତୀୟ ଜାତୀୟତାର ଧାରାକୁ ଓଡ଼ିଶାରେ ପ୍ରବାହିତ କରିଥିବାବେଳେ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ତାଙ୍କର ଦୁଇ ସହଯୋଗୀ ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ୧୯୩୬ ମସିହାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରି ଶ୍ରେଣୀହୀନ ଓ ଶୋଷଣହୀନ ସମାଜ ଗଠନର ଆନ୍ତର୍ଜାତୀୟତାବାଦର ମନ୍ଦାକିନୀ ଧାରାକୁ ଓଡ଼ିଶା ମାଟିରେ ପ୍ରବାହିତ କରିଥିଲେ ଏବଂ ଏହି ସାମ୍ୟବାଦୀ ସମାଜ ହିଁ ହେଉଛି ମାନବ ଜାତିର ଭବିଷ୍ୟତ ଯାହାକୁ କେହି ଅନ୍ୟଥା କରିପାରିବ ନାହିଁ।
ସେମାନେ କହିଥିଲେ– ଯେଉଁ ସାମ୍ପ୍ରଦାୟିକତାବାଦୀମାନେ ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ ନ କରି ଧର୍ମ ଭିତ୍ତିରେ ଦେଶ ବିଭାଜନ ପାଇଁ ଇଂରେଜ ସରକାରକୁ ସହଯୋଗ କରିଥିଲେ, ସେମାନେ ଆଜି କେନ୍ଦ୍ର କ୍ଷମତାକୁ ଦଖଲ କରି ଧର୍ମୀୟ ମୌଳବାଦ, ସାମ୍ପ୍ରଦାୟିକତା ଓ ଅସହିଷ୍ଣୁତାର ବିଷମଞ୍ଜି ବୁଣି ମହାନ୍ ଭାରତୀୟ ସମାଜର ଏକତା ଓ ଧର୍ମ ନିରପେକ୍ଷତାକୁ ବିପନ୍ନ କରୁଥିବାବେଳେ, ସଂସଦୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଚଳାଇଛନ୍ତି। ସଂସଦୀୟ ନୀତି ନିୟମକୁ ପାଦରେ ଦଳିଦେଇ ସେମାନେ କୃଷି ଓ କୃଷକ ବିରୋଧୀ କଳା ଆଇନ ଏବଂ ଶ୍ରମିକ ବିରୋଧୀ ଲେବର କୋଡ୍କୁ ପାର୍ଲାମେଌକ୍ଷଗ୍ଧ;ରେ ପାଶ୍ କରାଇଛନ୍ତି। ଦେଶର ସମ୍ପତ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପୁଞ୍ଜିପତିମାନଙ୍କ ହାତରେ ଟେକି ଦିଆଯାଉଥିବାବେଳେ ପ୍ରତିରକ୍ଷା ଶିଳ୍ପର ମଧ୍ୟ ଘରୋଇକରଣ କରାଯାଉଛି। ଏହା ବିରୋଧରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ସଂଗ୍ରାମ ଚଳାଇବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ।
ଏହି ସମାରୋହରେ ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ‘ନୂଆଦୁନିଆ’ର ଭଗବତୀ ବିଶେଷାଙ୍କକୁ ଉନ୍ମୋଚିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ବିଶ୍ୱ ଶିକ୍ଷକ ସଂଘର ସଭାପତି ଡ. ଅମୀୟ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।