ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ମଧ୍ୟ ଭଦ୍ରକ ନୂଆ ବସଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । କାଁ ଭାଁ ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୂରଗାମୀ ବସ ଏଠାକୁ ଆସନ୍ତି । ଅଳ୍ପ ସମୟ ରହି ପୁଣି ଚାଲି ଯାଆନ୍ତି । ଅପରପକ୍ଷେ ବନ୍ତ ଛକରେ ଅଧିକ ସମୟ ରହି ଯାତ୍ରୀ ଉଠାନ୍ତି । ଆଉ କେତେକ ଦୂରଗାମୀ ବସ ବନ୍ତ ଛକ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇ ଓ ଉଠାଇ ପଳାଇଥାନ୍ତି । ତେଣୁ ୪ ଏକରରୁ ଉର୍ଦ୍ଧ୍ୱ ଜମି ଉପରେ ବହୁ କୋଟି ଟଙ୍କାରେ ନିର୍ମିତ ନୂଆ ବସଷ୍ଟାଣ୍ଡ ଏବେ ମଧ୍ୟ ନିଜର ପରିଚୟ ଖୋଜୁଛି । ଠିକ ଏହି ସମୟରେ ଏହି ବସଷ୍ଟାଣ୍ଡକୁ ନୂତନ ପରିଚୟ ଦେବାକୁ ଉଦ୍ୟମ କରିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଏହାର ଉନ୍ନତିକରଣ ପାଇଁ ବିଧାୟକଙ୍କ ଉଦ୍ୟମରେ ୩.୫କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି କ୍ରମରେ ବିଧାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ କୋଲକତାର ଦୁଇଟି ଆର୍କିଟେକ୍ଟ ସଂସ୍ଥାର ଇଂଜିନିୟର ଭଦ୍ରକରେ ପହଞ୍ଚି ଏହି ବସଷ୍ଟାଣ୍ଡର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି । ଖୁବଶୀଘ୍ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ଓ ବସଷ୍ଟାଣ୍ଡ ଏକ ନୂତନ ରୂପ ନେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇବା ପରେ ସହରର କଳେବର ମଧ୍ୟ ବୃଦ୍ଧିପାଇଥିଲା । ଆନୁପାତିକ ରୀତିରେ ଲୋକ ସଂଖ୍ୟା ଓ ଯାନବାହାନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିଲା । ତେଣୁ ପୂର୍ବରୁ କଚେରୀ ବଜାର ଠାରେ ଥିବା ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ପ୍ରଥମେ ଅପର୍ତ୍ତିବିନ୍ଧା ଛକ ଓ ପରେ ବନ୍ତ ଛକକୁ ଏହା ସ୍ଥାନାନ୍ତର ହେଲା । ମାତ୍ର ଏକ ସ୍ଥାୟୀ ବସଷ୍ଟାଣ୍ଡ ପାଇଁ ଭଦ୍ରକ ପୈାରପାଳିକା ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ମଠସାହି ଅଞ୍ଚଳରେ ରାଜ୍ୟ ପରିବହନ ବିଭାଗର ୧ଏକର ୫୮ ଡିସିମିଲ ଓ ରାଜସ୍ୱ ବିଭାଗର ୨ଏକର ୪୧ ଡିସିମିଲ ସହ ମୋଟ ୩ ଏକର ୯୯ ଡିସିମିଲ ପରିମିତ ଜମି ଉପରେ ଏହା ନିର୍ମିତ ହେଲା । ଏଥିପାଇଁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ପାଣ୍ଠିରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ୨୦୦୫ରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ବସ ରହିବା ପାଇଁ ଟର୍ମିନାଲ, ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର ଏଠାରେ ନିର୍ମାଣ ହେବା ସହ ବହୁ ଦୋକାନ ଘର ମଧ୍ୟ ଗଢ଼ି ଉଠିଲା । ଏପରି ଭିତ୍ତିଭୂମୀ ପରେ ମଧ୍ୟ ଉକ୍ତ ବସଷ୍ଟାଣ୍ଡ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯକ୍ଷମ ହୋଇ ପାରିଲା ନାହିଁ । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ତତ୍କାଳୀନ ସାଂସଦ ଅନଶନ କରିବାର ଧମକ ଦେବାପରେ ୨୦୧୦ ଜାନୁୟାରୀ ୨୬ ତାରିଖରେ ଏହି ବସ୍ଷ୍ଟାଣ୍ଡଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଘାଟନ କରା ଯାଇଥିଲା । ହେଲେ ଏହା ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଥିଲା । ତେବେ ସେହି ଦିନଠାରୁ କେବଳ ଧର୍ମକୁ ଆଖିଠାର ସଦୃଶ ଏହା କାର୍ଯ୍ୟକ୍ଷମ ହୋଇଛି । ଅପରପକ୍ଷେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅରବିନ୍ଦ ପାଢ଼ୀ ନୂତନ ବସଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ନାଲି ଫିତା ତଳେ ଚାପି ହୋଇ ରହିଛି । ଅନ୍ୟ ପଟେ ଏହି ବସଷ୍ଟାଣ୍ଡର ଭିତ୍ତିଭୂମୀକୁ ଆହୁରି ସୁଦୃଢ଼ କରିବାକୁ ପୌର କର୍ତ୍ତୃପକ୍ଷ ବହୁ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି । ଯାହାକି କାମରେ ଆସୁ ନାହିଁ । ଏ ପରିପ୍ରେକ୍ଷୀରେ ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ବିଧାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ମତପ୍ରକାଶ ପାଇଛି । ଯଦି ବସ ମାଲିକମାନଙ୍କ ମାନସିକତାରେ ପରିବର୍ତ୍ତନ ନଆସେ, ତେବେ ବିଧାୟକଙ୍କର ଏହି ସାନି ଉଦ୍ୟମ ମଧ୍ୟ ବାସ୍ତବ ରୂପ ନେଇ ନପାରେ ।