କୋରାପୁଟ ୧୪-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ହେଉଥିବା ସେନାପତି ଜାନୀ(୫୫)ଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ବିଜୟରାଜ ମାଝି ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତ ଶନିବାର ବିଳମ୍ବିତ ରାତିରେ ହାତୀମୁଣ୍ଡାରେ ଜମି ବିବାଦକୁ ନେଇ ଗୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାରୁ ଘଟଣା ସ୍ଥଳରେ ଧନପତି ଜାନୀ ଓ ସହଦେବ ଜାନୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୭ଜଣ ଆହତ ହୋଇଥିବାବେଳେ ସେନାପତି ଜାନୀ ଏବଂ ଧନେଶ୍ୱର ଜାନୀ ଗୁରୁତର ଥିବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ରାତିରେ ସେନାପତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାରେ ପୋଲିସ କୁମ୍ବେ ପରଜା(୪୫),ବାସନା ଜାନୀ(୧୮),ଲଚ୍ଛନ ପରଜା(୧୮),ଅଂଜି ଜାନୀ(୩୦) ଓ ମକରା ଜାନୀ(୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।