Home ଜିଲ୍ଲା ପରିକ୍ରମା ବାତ୍ୟାକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ

ବାତ୍ୟାକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ

24

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଭର୍ଚୁଆଲ ମୋଡ୍‌ରେ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟାକୁ ମୁକାବିଲା କରି ଜିଲ୍ଲାର ଧନଜୀବନ ରକ୍ଷା କରିବା ସହିତ କ୍ଷୟକ୍ଷତିକୁ ଯେତେ ସମ୍ଭବ ନହେବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯିବାକୁ ଥିବା ବିଭିନ୍ନ ଆଶୁ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବାତ୍ୟାର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଲୋକଙ୍କୁ ଥଇଥାନ କରିବା, ପଶୁ ସମ୍ପଦର ସୁରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ପୂର୍ବରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଗୃହକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସେଠାରେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ ସେବା ବ୍ୟାହତ ସମୟରେ ଜେନେରେଟରର ବନ୍ଦୋବସ୍ତ କରାଯିବାକୁ ମତ ପ୍ରକାଶ ପାଇଥିଲା । ଯେଉଁସବୁ ସ୍ଥାନରେ ଦୁର୍ବଳ ବିଦ୍ୟୁତ ଖୁଣ୍ଟ ରହିଛି ସେ ସବୁ ସ୍ଥାନରେ ବିକଳ୍ପ ଭାବେ ଖୁଣ୍ଟ ମହଜୁଦ ରଖିବାକୁ ନେସ୍କୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଗଛପଡ଼ି ରାସ୍ତାଘାଟ ଅବରୋଧ ହେଲେ ସେ ସବୁକୁ ପରିଷ୍କାର କରିବା ପାଇଁ କଟର, ଏମରଜେନ୍‌ସି ଲାଇଟ ଆଦି ପ୍ରସ୍ତୁତ ରଖିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବ୍ୟତୀତ ବୈତରଣୀ ନଦୀ ଯେଉଁସବୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ସେଠାରେ ତୁରନ୍ତ ବାଲିବସ୍ତା ପକାଯାଇ ତାହାକୁ ସୁଦୃଢ କରିବାକୁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ପାଇଁ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବ୍ଲକ ସ୍ତରରେ ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ପର୍ଯ୍ୟପ୍ତ ପରିମାଣରେ ମହଜୁଦ୍ ରଖିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏଥି ନିମନ୍ତେ ବିଡିଓ ଓ ତହସିଲଦାର ମାନେ ଯତ୍ନଶୀଳ ହେବାକୁ କୁହାଯାଇଛି । ବାତ୍ୟା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ରହିଥିବା ସମସ୍ତ ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପନ୍ନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଳା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲିର ମାନ୍ୟବର ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମାନନୀୟା ମଞ୍ଜୁଲତା ମଣ୍ଡଳ, ଭଦ୍ରକର ମାନ୍ୟବର ବିଧାୟକ ସଂଜିବ ମଲ୍ଲିକ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ, ଏସ୍‌ପି ଚରଣସିଂ ମୀନା, ଅତିରିକ୍ତ ଜିଲ୍ଳଶପାଳ (ସାଧାରଣ) ମଧୁସୂଦନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସମସ୍ତ ବିଡିଓ, ତହସିଲଦାର, ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଭର୍ଚଚୁଆଲ ମୋଡରେ ଯୋଡି ହୋଇ ସେମାନଙ୍କର ମତ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର (ରାଜସ୍ୱ) ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.