Home ଜିଲ୍ଲା ପରିକ୍ରମା ଆସୁଛି ଏନ୍‌ଏସି ନିର୍ବାଚନ, ଗାଦି ଦଖଲ ପାଇଁ ସବୁ ଦଳର ବିଚାର ବିମର୍ଷ

ଆସୁଛି ଏନ୍‌ଏସି ନିର୍ବାଚନ, ଗାଦି ଦଖଲ ପାଇଁ ସବୁ ଦଳର ବିଚାର ବିମର୍ଷ

64

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସୁଛି ପୌର ଓ ଏନ୍‌ଏସି ନିର୍ବାଚନ । ଏହାମଧ୍ୟରେ ଧାମରା ଏନ୍‌ଏସି ଘୋଷଣା ହେବା ନେଇ ଶାସକ ଦଳ ନେତା କହି ବୁଲୁଛନ୍ତି । ତେଣୁ ଚାନ୍ଦବାଲି ନିର୍ମାଚନ ମଣ୍ଡଳୀ ତଥା ବ୍ଲକ୍‌ରେ ଧାମରା ଓ ଚାନ୍ଦବାଲି ଏନ୍‌ଏସି ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେଲେଣି । ତେଣୁ ଭଲ ଲୋକ ଖୋଜିବା ପାଇଁ ଭୋଟରମାନେ ତୟାର ହେବା ବେଳକୁ ଗାଦି ଦଖଲ ପାଇଁ ରାଜନୈତିକ ଦଳ ନିଜର ଅବଗଣନା ଆରମ୍ଭ କରିଛନ୍ତି । ଚାନ୍ଦବାଲି ଏନ୍‌ଏସି ଦଖଲ ପାଇଁ ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ବ୍ୟୋମକେଶଙ୍କୁ ଏହା ମଧ୍ୟରେ ବହୁ ପଦବୀ ଯଥା ଦଳୀୟ ମୁଖପାତ୍ର, ରାଜ୍ୟ ବିଜେଡି ଯୁବ ସଭାପତି, ଭଦ୍ରକ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ମୟୂରଭଂଜ ଜିଲାର ପର୍ଯ୍ୟବେକ୍ଷକ ଆଦି ବହୁ ପଦବୀ ଅଜାଡି ଦେଇଛନ୍ତି । ପ୍ରଥମ କରି ଚାନ୍ଦବାଲି ଓ ଧାମରା ଏନ୍‌ଏସି ଦଖଲ ନକରିପାରିଲେ ନି କାଟତି ହରାଇବାକୁ ପଡିପାରେ ବ୍ୟୋମକେଶଙ୍କୁ । ଅନ୍ୟପକ୍ଷରେ ବିଜେପି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲଙ୍କ ପାଇଁ ଏହା ମଧ୍ୟ ଚ୍ୟାଲେଞ୍ଜ । କାରଣ ଏନ୍‌ଏସି ଦଖଲ କରିନପାରିଲେ ଆସନ୍ତା ପଂଚାୟତ ନିର୍ବାଚନ ଭୋଟ୍ ବି ତାଙ୍କ ହାତରୁ ଖସିଯିବ । ତେଣୁ ସେ ଯେଣେ ତେଣେ ପ୍ରକାରେ ଚାନ୍ଦବାଲି ଏନ୍‌ଏସି ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ଚାନ୍ଦବାଲି ଏନ୍‌ଏସି ନିର୍ବାଚନ ପୂର୍ବରୁ ପାଖାପାଖି ୭ କୋଟି ଟଙ୍କା ଏହି ଅଂଚଳରେ ବିଧାୟକ ଶ୍ରୀ ରାୟ ଖର୍ଚ୍ଚ କରି ଲୋକଙ୍କ ନିକଟରେ ଦଳର ଭାବମୂର୍ତ୍ତି କଠିନ କଲେଣି । କିନ୍ତୁ ଏହି ଏନ୍‌ଏସି ଅଂଚଳରେ ଥିବା ବିଜେଡିର ସ୍ଥାନୀୟ ନେତାଙ୍କ ଉପରେ ଭୋଟର ବିମୁଖ ରହିଛନ୍ତି । ସେମାନେ ଚାହୁଁଛନ୍ତି ଭଲ ଲୋକ ବିଧାୟକ ବାଛନ୍ତୁ । ଚିରାଚରିତ ନେତାଙ୍କ ଉପରୁ ଆସ୍ଥା ତୁଟି ଯାଉଥିବାବେଳେ ଗାଦି ଦଖଲ ପାଇଁ ରାଜନୈତିକ ଦଳର ଅବଗଣନା ଜାରି ରହିଛି । ନବଗଠିତ ଏହି ଚାନ୍ଦବାଲି ଏନ୍‌ଏସି ୧୫ଟି ୱାର୍ଡକୁ ନେଇ ଏବେ କାର୍ଯ୍ୟ କରୁଛି ।

ସ୍ଥାନୀୟ ଲୋକେ ୧୬ ଟି ୱାର୍ଡ ପାଇଁ ଦାବି କରୁଥିଲେ ମଧ୍ୟ ତାହା ଆଜିଯାଏ ବିଚାରାଧୀନ ରହିଛି । କୁସୁମ, ମଝିଗାଁ, ଦେଉଳି ଗାଁ, କିସ୍ମତ, କଖାରୁଡିହ, କୃଷ୍ଣପୁର, କୁଆଁରସର, ନୟାହାଟ, କଚେରୀ ସାହି, ଶଗଡିଆ, ସାନ ଓସ୍ତିଆ, ପାଞ୍ଚପଡା, ବଢେଇପୁର, ନୟାପାଟଣା, କୋଚିଳା ଆଡିଆ, ସତ୍ୟନାରାୟଣ କଲୋନୀ, କୃଷ୍ଣ ନଗର, ମୁସ୍‌ଲିମ୍ ବସ୍ତି, ଶାସ୍ତ୍ରୀଘାଟ, ହାଟପଟି-୧, ହାଟପଟି-୨, ପାଇକରାପୁର, ବଡ ହରିପୁର, ସାନ ହରିପୁର, କନ୍ଧା, ଘିକୋଇଲି, ସମ୍ପୁର, ନୟା ଧାମରା, ବାଲିଗାଁ ଆଦି ୭୫ ଟି ସାହିଁ ବସ୍ତି ଓ ଗାଁକୁ ନେଇ ଚାନ୍ଦବାଲି ଏନ୍‌ଏସି ଗଠିତ ହୋଇଛି । ଏହି ନୂତନ ଏନ୍‌ଏସିର ଚେୟାରମ୍ୟାନ୍ ପଦକୁ ନେଇ ଏବେ ଟଣାଓଟରା । ଯଦି ପ୍ରଥମ ଏନ୍‌ଏସିର ଚେୟାରମ୍ୟାନ୍ ସିଟ୍ ଏସ୍‌ସିଙ୍କ ପାଇଁ ସଂରକ୍ଷିତ ରହେ, ତେବେ ବିଜେଡିରୁ ନରେଶ ମାଝୀ ଓ ଗୋପାଳ ସେଠୀ, କଂଗ୍ରେସରୁ ବୃନ୍ଦାବନ ମହାଳିକ ସିଟ୍ ଦଖଲ ପାଇଁ ଏବେ ଆଗ ଧାଡିରେ । ଯଦି ଏହି ସିିଟ୍ ଜେନେରାଲ ପାଇଁ ସଂରକ୍ଷିତ ରହେ ତେବେ ବିଜେଡିରୁ ଖଗେଶ୍ୱର ବଳ, ରଘୁନାଥ ସାହୁ, ଶୁଭେନ୍ଦୁ ସାମଲ, ଶରତ ସାହୁ ଦଖଲ ପାଇଁ ଆଗକୁ ବାହାରିଛନ୍ତି । ସେହିପରି ବିଜେପିରୁ କମଳା ସୂତାର, ପୂର୍ଣ୍ଣଚନ୍ଦ୍ର ପାଣି, ସୌମେନ୍ଦ୍ର ମହାନ୍ତି ଆଶାୟୀ ଥିବାବେଳେ କଂଗ୍ରେସରୁ ନୁରୁ ମହମ୍ମଦ ଇସ୍‌ମାଇଲ୍‌, ହରେନ୍ଦ୍ର ମାଇତି, ସୁଲୋଚନା ନାୟକ ମଧ୍ୟ ଆଶାୟୀ ରହିଛନ୍ତି । ଅନ୍ୟପକ୍ଷରେ ଭୋଟ୍ ରାଜନୀତିକୁ ନେଇ ଏଠାରେ ଅବଗଣନା ହେଉଛି, ତାହା ମଧ୍ୟ ଚର୍ଚ୍ଚାରେ । କାରଣ ୨୦୧୯ ବିଧାନସଭା ନିର୍ବାଚନରେ ୧୬ ଶହ ଭୋଟ୍‌ରେ ଏହି ଏନ୍‌ଏସି ଏରିଆରେ ବିଜେଡି ପଛୁଆ ଥିଲା ବିଜେପି ଠାରୁ । ଏହି ଏନ୍‌ଏସି ଏରିଆରେ ବିଜେପିର ସାଙ୍ଗଠନିକ ଶକ୍ତି ଦୃଢ ରହିଥିଲା । ସମୟ କ୍ରମେ ଚତୁର ବିଧାୟକ ୨୦୧୯ ଠାରୁ ୨୦୨୧ ଫେବୃୟାରୀ ୧ ତାରିଖ ଯାଏ ମିଶ୍ରଣ ପର୍ବ ଅବ୍ୟାହତ ରଖିଛନ୍ତି । ସେହିଭଳି ବିଜେପି ଅନ୍ୟ ଦଳର କର୍ମୀଙ୍କୁ ନିଜ ଆଡକୁ ଟାଣିଛି । ଚାନ୍ଦବାଲି ଏନ୍‌ଏସି ଏରିଆରେ ୧୩୪୧ ଗୋଟି ଲାଇଟ୍ ଲଗାଇ ରାତିକୁ ଦିନ ଭଳି କରାଇ ଦେଇଛନ୍ତି ବିଧାୟକ ବ୍ୟୋମକେଶ ରାୟ । ଏହା ସହ କୋଟି କୋଟି ଟଙ୍କା ରାସ୍ତା, ପାଣି ଓ ବିଜୁଳି ବାବଦରେ ଖର୍ଚ୍ଚ କରି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ବିଡମ୍ବନା ହେଲା ବିଧାୟକଙ୍କ କାମରେ ଭୋଟର ଆକୃଷ୍ଠ ହେଉଥିବା ବେଳେ ଏହି ୱାର୍ଡରେ ନେତୃତ୍ୱ ନେଉଥିବା ବିଚାରପତି ନେତାମାନଙ୍କୁ ଲୋକେ ନାପସନ୍ଦ କରୁଛନ୍ତି । ତେଣୁ ଏହି ଏନ୍‌ଏସି ଏରିଆରେ ସ୍ଥାନୀୟ ନେତାଙ୍କ ଉପରେ ଅସନ୍ତୋଷ ବଢିବାରେ ଲାଗିଛି । ଯେଉଁଥିପାଇଁ ବିଧାୟକ ଶ୍ରୀ ରାୟ ଚିନ୍ତିତ ଅଛନ୍ତି । ଅନ୍ୟପକ୍ଷରେ ବିଜେପିର ଗଡ ଧୀରେ ଧୀରେ ହ୍ରାସ ହେଉଥିଲେ ମଧ୍ୟ ଏହି ୱାର୍ଡର ନେତାମାନଙ୍କ ଉପରେ ଭୋଟରମାନେ ଆକୃଷ୍ଟ ଅଛନ୍ତି । କଂଗ୍ରେସର ଭୋଟ୍ ବ୍ୟାଙ୍କ କମୁଥିଲେ ମଧ୍ୟ ସହାନୁଭୂତି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.