ଅନୁଗୋଳ,୧୧/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ)ର ଜାତୀୟ ଜୋନ୍ ଉସଭାପତି ଭାବେ ଆଶିଷ ଅଗ୍ରୱାଲା ବହୁ ଭୋଟ୍ରେ ନିର୍ବାଚିତ ହୋଇଛନ୍ତି । କୋଭିଡ୍ ଯୋଗୁଁ ଭର୍ଚୁଆଲ୍ ଭୋଟିଂ ପଦ୍ଧତିରେ ଅନୁଷ୍ଠିତ ଏହି ନିର୍ବାଚନରେ ମୋଟ୍ ୧୮ ଜଣ ଉପସଭାପତି ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ମହାରାଷ୍ଟ୍ର,ଛତିଶଗଡ଼ ଓ ଓଡ଼ିଶାକୁ ନେଇ ଗଠିତ ଜୋନ୍-୯ ଜେସିଆଇର ସବୁଠାରୁ ବଡ଼ ଜୋନ୍ ଭାବେ ପରିଚିତ ହୋଇଥିଲା ବେଳେ ୬୫ଟି ଶାଖାର ସଭାପତିମାନେ ଏହି ନିର୍ବାଚନରେ ଭୋଟ୍ଦାନ କରିଥିଲେ । ସର୍ବମୋଟ ୩୧୬ ଭୋଟ୍ରୁ ୩୧୦ଖଣ୍ଡ ଭୋଟ୍ ପାଇ ଶ୍ରୀ ଅଗ୍ରୱାଲା ବିଜୟୀ ହୋଇଛନ୍ତି । ଶ୍ରୀ ଅଗ୍ରୱାଲା ଏହା ପୂର୍ବରୁ ଜେସିଆଇ ଅନୁଗୋଳର ସଭାପତି ଓ ଜୋନ୍ ନିର୍ଦ୍ଦେଶକ ଭାବେ ରହିଥିଲା ବେଳେ ତାଳଚେର ଜେସିଆଇ ପ୍ରତିଷ୍ଠା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜାତୀୟସ୍ତରରେ ନିର୍ବାଚିତ ଶ୍ରୀ ଅଗ୍ରୱାଲାଙ୍କୁ ଅନୁଗୋଳ, ତାଳଚେର, ଭୁବନେଶ୍ୱର, ସମ୍ବଲପୁର,ବରଗଡ଼, ଝାରସୁଗୁଡ଼ା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିବା ବେଳେ ତାଳଚେରର ସନ୍ତାନ ଭାବେ ସ୍ଥାନୀୟ ଜେସିଆଇ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜାତୀୟସ୍ତରରେ ନିର୍ବାଚିତ ହେବା ପରେ ରାଜ୍ୟରେ ଜେସିଆଇକୁ ମଜବୁତ କରାଯାଇ ଜନସାଧାରଣଙ୍କ ସେବାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଉଦ୍ୟମ କରିବେ ବୋଲି ଶ୍ରୀ ଅଗ୍ରୱାଲା କହିଛନ୍ତି । ଶ୍ରୀ ଅଗ୍ରୱାଲା ଜଣେ ବିଶିଷ୍ଟ ଯୁବ ବ୍ୟବସାୟୀ ଓ ସମାଜସେବୀ ଭାବେ ପରିଚିତ ଅଟନ୍ତି ।