Home ଓଡ଼ିଶା ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଉତ୍ତେଜନା, ଶ୍ରମିକଙ୍କ ଆକ୍ରମଣରେ...

ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଉତ୍ତେଜନା, ଶ୍ରମିକଙ୍କ ଆକ୍ରମଣରେ ଏଜିଏମ୍ ଘାଇଲା

71

ଯୋଡା, ୧୦/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ତୁ ଲେବର ଅଫିସର ହେଇଛୁ, ଆମ କଥା ବୁଝିବୁନି , ଆମେ ଖାଇବୁ କଣ, ବଞ୍ଚିବୁ କେମିତି କହି ଖଣି ଏଜିଏମ୍‌କୁ ନିଦ୍ଧୁମ ଛେଚିଲେ ରକ୍ତ ମୁଖା ଶ୍ରମିକ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯେ।।ଡା ଖଣି ମଣ୍ଡଳ ଅନ୍ତର୍ଗତ ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିରେ । ବୁଧବାର ଅପରାହ୍ନରେ ସମ୍ପୃକ୍ତ ଖଣିର ଅତିରିକ୍ତ ସାଧାରଣ ପରିଚାଳକ (ଏଜିଏମ୍‌) (ଏଚ୍‌.ଆର.) ଅନୁପ କୁମାର ରଥ ଏବଂ ସହକାରୀ ପରିଚାଳକ ବିଜୟାନନ୍ଦ ଗିରି ଏକ ଗାଡିରେ ଖଣିକୁ ଯିବା ସମୟରେ ଖଣି ଫାଟକ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିବା ଶତାଧିକ ମହିଳା ପୁରୁଷ ହଠାତ୍ ଗାଡି ସମ୍ମୁଖକୁ ଆସି ଉଭୟଙ୍କୁ ଗାଡି ଭିତରୁ ଘୋସାଡି ଆଣି ୨ଜଣଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ କରିଥିଲେ । ଏବଂ କେହି ଜଣେ ଅନୁପ ରଥଙ୍କ ମୁଣ୍ଡକୁ ଲୁହା ଛଡରେ ପିଟିଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଅନୁପଙ୍କ କହିବା ମୁତାବକ ସୁଶାନ୍ତ ଖିଲାର, ବାବୁଲା ପିଙ୍ଗୁଆ, ଭିମା ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ଶ୍ରମିକମାନେ ଖଣି ଫାଟକ ସମ୍ମୁଖରେ ଜଗି ରହି ତାଙ୍କୁ ଆକ୍ରମଣ କରିଥିଲେ । ସେ ତଳେ ପଡିଯିବା ପରେ ତାଙ୍କର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା ସେହି ସମୟରେ ସେ ଘଟଣା ସ୍ଥଳରୁ ଖସି ପଳାଇଆସିଥିବା ବେଳେ ବିଜୟାନନ୍ଦଙ୍କୁ ସେମାନେ ପ୍ରାୟ ୨ ଘଣ୍ଟା ଧରି ଘେରାଉ କରି ରଖିଥିଲେ । ପୁଲିସକୁ ଖବର ଦିଆଯିବା ପରେ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ମୁଣ୍ଡରେ ଆଘାତ ଲାଗିଥିବାରୁ ଶ୍ରୀ ରଥ ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ତାଙ୍କର ମୁଣ୍ଡରେ ପ୍ରାୟ ୬ ଇଞ୍ଚର ଗଭିର ଆଘାତ ଲାଗିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଏହି ଖଣିଟି ପୂର୍ବରୁ ରୁଙ୍ଗଟା କମ୍ପାନୀର ଅଧିନରେ ରହିଆସିଥିଲା । ପରବର୍ତ୍ତି ସମୟରେ ନୂତନ କରି ଏହି ଖଣିଟିକୁ ଦେବବ୍ରତ ବେହେରା ନିଲାମ ପ୍ରକ୍ରିୟାରେ ପାଇଥିଲେ । ଖଣିଟି ନୂତନ ଭାବେ ଆରମ୍ଭ କରୁଥିବା ସମୟରେ ଏହି ଖଣିରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଆଦିବାସୀ କଲ୍ୟାଣ ସମିତି ଏବଂ ଖଣି କର୍ତ୍ତୁପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଥିଲା । ପୂର୍ବରୁ ଏହି ଘଟଣାରେ ବାମେବାରୀ ପୁଲିସ କେତେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ କମ୍ପାନୀ କର୍ତ୍ତୁପକ୍ଷ ଏବଂ ଆଦିବାସୀ କଲ୍ୟାଣ ସମିତି ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ଶ୍ରମିକ ନିଯୁକ୍ତି କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଗତ ସୋମବାର ଦିନ ଏଥିପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଖଣି କର୍ତ୍ତୁପକ୍ଷ ନଆସିବାରୁ ଏହା ବାତିଲ ହୋଇଯାଇଥିବା ବେଳେ ମଙ୍ଗଳବାର ଠାରୁ ସେମାନଙ୍କୁ ଅଣଦେଖା କରି ଖଣି କାର୍ଯ୍ୟ ସ୍ୱଭାବିକ ଭାବେ ଚାଲୁ କରାଯାଇଥିଲା ଯାହାକୁ ଆଦିବାସୀ କଲ୍ୟାଣ ସମିତି ବିରୋଧ କରିଛି । ଶ୍ରୀ ରଥଙ୍କ କହିବା ମୁତାବକ ସ୍ଥାନୀୟ ସରପଞ୍ଚଙ୍କ ସୁପାରିଶ କ୍ରମେ ଖଣିରେ ୩୦୭ଜଣ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଆଦିବାସୀ କଲ୍ୟାଣ ସମିତି ଏହାକୁ ସ୍ୱୀକାର କରିବାକୁ ନାରାଜ ଫଳରେ ଏହା ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥାନୀୟ ନିଯୁକ୍ତିକୁ ନେଇ ଆଦିବାସୀ କଲ୍ୟାଣ ସମିତି ପକ୍ଷରୁ ସୁଶାନ୍ତ ଖିଲାର ଏବଂ ତାଙ୍କ ସହଯୋଗୀମାନେ କାଳିମାଟି ପଞ୍ଚାୟତ କାର୍ଯ୍ୟାଳୟରେ ଆଲୋଚନା କରିବାକୁ ତାଙ୍କୁ ଡାକିଥିଲେ ମଧ୍ୟ ସୁଶାନ୍ତ ଖିଲାଙ୍କ ସହଯୋଗୀମାନେ ଅନୁପସ୍ଥିତ ରହିଥିଲେ । ଫଳରେ ସେ ସେଠାରୁ ଫେରିଆସୁଥିବା ବେଳେ ଏହି ଆକ୍ରମଣ ଘଟିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.