– କେୱଡିଆର ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
– ଏକତାର ମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାକୁ ପତାକା ଦେଖାଇ କଲେ ଶୁଭାରମ୍ଭ
ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡିଆଠାରେ ସର୍ଦ୍ଦାର ବଲ୍ଲାଭବାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦଘାଟନ କରିଛନ୍ତି। କେୱଡିଆ ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ ୧୭ଟି ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଭିଗେସନ ଚାନେଲ, ନୂତନ ଗୋରା ସେତୁ, ଗରୁଡେଶ୍ଵର ବନ୍ଧ, ସରକାରୀ ଆବାସ, ବସ ୱେ ଟର୍ମିନାଲ, ଏକତା ନର୍ସରୀ, ଖାଲୁୱାନି ପରିବେଶ ପର୍ଯ୍ୟଟନ, ଟ୍ରାଇବାଲ ହୋମ ଷ୍ଟେ ଇତ୍ୟାଦି ଅନ୍ତର୍ଭୁକ୍ତ। ସେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଜଙ୍ଗଲ ସଫାରି ଏବଂ ବୃତ ଗମ୍ଭୁଜ ପକ୍ଷୀଶାଳା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ସୁଉଚ୍ଚ ଗମ୍ଭୁଜ ପକ୍ଷୀ ବିଶାରଦତମାନଙ୍କ ପାଇଁ ବିଶେଷ ସହାୟକ ହେବ। କେୱଡିଆକୁ ଆସନ୍ତୁ, ପକ୍ଷୀଶାଳା ପରିଦର୍ଶନ କରନ୍ତୁ, ଯାହାକି ଜଙ୍ଗଲ ସଫାରିର ଏକ ଅଂଶବିଶେଷ। ଏଥିରୁ ଅନେକ କିଛି ଅଭିଜ୍ଞାତା ହାସଲ ହୋଇପାରିବ”।
ବିଭିନ୍ନ ଖଣ୍ଡରେ ବିଭକ୍ତ ଏହି ଜଙ୍ଗଲ ସଫାରି ଓ ପ୍ରାଣୀ ଉଦ୍ୟାନ ୩୭୫ ଏକର ପରିମିତ ଜାଗା ଉପରେ ପ୍ରତିଷ୍ଠା କରାଯାଇଛି। ୨୯ ରୁ ୧୮୦ ମିଟର ପର୍ଯ୍ୟନ୍ତ ଏଥିରେ ୭ଟି ସ୍ତର ରହିଛି। ୧୧୦୦ ପ୍ରଜାତିର ପଶୁପକ୍ଷୀ ଏବଂ ୫ ଲକ୍ଷ ବୃକ୍ଷରାଜି ରହିଛି। ସବୁଠାରୁ କମ ସମୟ ମଧ୍ୟରେ ଏହି ସଫାରି ବିକଶିତ କରାଯାଇଛି। ଏହି ପ୍ରାଣିଉଦ୍ୟାନରେ ଦୁଇଟି ପକ୍ଷୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି। ଗୋଟିଏ ଦେଶୀୟ ଓ ଅନ୍ୟଟି ବହିରାଗତ ପକ୍ଷୀ ପାଇଁ ଉଦ୍ଦିଷ୍ଟ। ଏହା ବିଶ୍ଵର ସର୍ବବୃହତ ପକ୍ଷୀ ପର୍ଜ୍ୟବେକ୍ଷଣ କେନ୍ଦ୍ର। ଏହି ପକ୍ଷୀଶାଳାରେ ମାକାଓ, କୁମ୍ଭାଟୁଆ, ଠେକୁଆ ଓ ଗୋଏନା ଘୁଷୁରି ଭଳି ପଶୁପକ୍ଷୀମାନଙ୍କୁ ଦେଖି ପାରିବେ।
ଏକତା କୃଜ ସେବା
ଏକତା କୃଜ ସେବା ଜରିଆରେ ଏକ ଡଙ୍ଗା ଯୋଗେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତା ଶ୍ରେଷ୍ଠ ଭାରତ ଭବନ ପର୍ଯ୍ୟନ୍ତ ଯାତ୍ରା କରିହେବ। ପ୍ରାୟ ୨୦୦ ଯାତ୍ରୀଙ୍କୁ ନେଇ ଏହି ଡଙ୍ଗା ୪୦ ମିନିଟ ମଧ୍ୟରେ ସେଠାରେ ପହଞ୍ଚିପାରିବ। ଏହି ନୌକା ସେବା ପାଇଁ ଗୋରା ସେତୁ ସ୍ଵତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏକତାର ପ୍ରତିମୂର୍ତ୍ତିକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଜଳସେବା ଆରମ୍ଭ କରାଯାଇଛି।