Home ଜିଲ୍ଲା ପରିକ୍ରମା କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ

କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ

56

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଛପୋଲିଆ ଠାରେ ଥିବା ଗୀତା ଭବନ ପରିସରରେ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଓ ଭଦ୍ରକ ଡାଇବେଟିଜ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ବର୍ତ୍ତମାନର କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଚିକିତ୍ସକ ସଂଘର ସ୍ଥାୟୀ ସଭାପତି ଡା. ରବୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଡା. ହରେକୃଷ୍ଣ ନାୟକ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଭାରତର ପୂର୍ବତନ ରାଷ୍ଟ୍ରପତି ପଦ୍ମଶ୍ରୀ ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ଓ କରୋନା ସେବା ଦେଉଥିବା ଅବସ୍ଥାରେ ବିଭିନ୍ନ କ୍ଷେତ୍ରରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବର୍ତ୍ତମାନ ସମୟରେ କରୋନା ନିରାକରଣ ପାଇଁ କାର୍ଯ୍ୟରତ ଡାକ୍ତର, ନର୍ସ, ସାମାଜିକ ଅନୁଷ୍ଠାନ, ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର, ଅତିରିକ୍ତ ଚିକିତ୍ସାଧିକାରୀ (ଭେଷଜ) ଡା. ମୁରଲୀଧର ପାଢୀ, ସୁସାହିତ୍ୟିକ ତଥା ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଡା. ଗୌରବ କୁମାର ଦାସ, ଡା. ସିନ୍ଧୁସୂତା ନାୟକ, ଡା. ପ୍ରଜ୍ଞା ପଣ୍ଡା, ଷ୍ଟାଫ୍ ନର୍ସ ଚିନ୍ମୟୀ ସ୍ୱାଇଁ, ସୁଶ୍ରୀ ରଶ୍ମିରେଖା ବେହେରା, ସହଯୋଗୀ ରବୀନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ସ୍ମାରକୀ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲେ । ଅନୁରୂପ ଭାବେ ମାନବ ସେବା ପାଇଁ ସାମାଜିକ ସଂଗଠନ ଶହୀଦ ଭଗତ ସେନା, ଭଦ୍ରକ ଓ ଜୀବନଜ୍ୟୋତି ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ବିଶେଷ କରି ଭଦ୍ରକ ଜିଲ୍ଲାର କୋବିଡ଼ ସମ୍ବାଦକୁ ଲୋକ ଲୋଚନକୁ ଆଣିବା ପାଇଁ ସଦା ତତ୍ପର ଥିବା ଭଦ୍ରକ ଜିଲ୍ଲା ସମ୍ବାଦ ପ୍ରତିନିଧି ଡ. ହରିହର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ୱାରେଣ୍ଟାଇନ ସେଣ୍ଟର ଓ ଅନ୍ୟାନ୍ୟ ସେବା ପାଇଁ ଗେଲଟୁଆ ସରପଞ୍ଚ ସରୋଜ କୁମାର ଦାସ, ଗେଲପୁର ସରପଞ୍ଚ ମାନସୀ ରାଉତ, ଜଗଦଳପୁର ସରପଞ୍ଚ ବିଜୟ କୁମାର ମହାପାତ୍ର, ତଳଗୋପବିନ୍ଧା ସରପଞ୍ଚ ପ୍ରୀତିଲତା ସାମଲଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ମହାମାରୀ କରୋନାକୁ ମୁକାବିଲା ତଥା ନିରାକରଣ ଓ ଏ ପ୍ରକାର ପ୍ରୋତ୍ସାହନ ପାଇଁ ଅଭୟ ଦ୍ୱିବେଦୀ, କୋବିଡ ହସ୍‌ପିଟାଲ ଭଦ୍ରକର ସତ୍ୱାଧିକାରୀ ଡା. ପ୍ରଭାସ ମହାନ୍ତି, ଡା. ପ୍ରଦୀପ ନାୟକ, ଡା. ଅଧର ନାୟକ, ଜୀବନଜ୍ୟୋତି ସଂଗଠନର ସଭାପତି ବାପି ବାବୁ, ଗେଲଟୁଆ ସରପଞ୍ଚ ସରୋଜ ଦାସ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଭଦ୍ରକ ଡାଇବେଟିଜ ଫାଉଣ୍ଡେସନର ସମ୍ପାଦିକା ସୁଶ୍ରୀ ବସୁମିତ୍ରା ସାହୁ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଲା କୋବିଡ ଚିକିତ୍ସାର ସୁପରିଚାଳନା ପାଇଁ ବକ୍ତାମାନେ ଡା. ଦୀପକ ଜେନାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.