ସମ୍ବଲପୁର ୨୧-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସ୍ୱାମୀ ଜନ୍ମରୁ ଦୃଷ୍ଟିହୀନ। ସ୍ତ୍ରୀ ମଧ୍ୟ ଶାରରୀକ ଅକ୍ଷମ। ଟିଟିଲାଗଡ଼ରୁ ଆସି ସମ୍ବଲପୁର ରାମଜୀଗୁଡ଼ି ପଡା ଅଂଚଳରେ ବସବାସ କରନ୍ତି। ସ୍ତ୍ରୀ ଗୀତାଞ୍ଜଳି ବୁର୍ଲା ଦୃଷ୍ଟି ହୀନ ବିଦ୍ୟାଳୟ ଏବଂ ଅକ୍ରୁର ଭୁବନେଶ୍ୱରର ଏକ ସ୍କୁଲରୁ ଦଶମ ପାସ କରିବା ପରେ ଉଭୟ ୨ ବର୍ଷ ଧରି ଭୁବନେଶ୍ୱରରେ ଫିନାଇଲ ତିଆରି କରିବା ତାଲିମ୍ ନେଇଥିଲେ। ଏପରି କରି ସେମାନେ ଗୁଜୁରାଣ ମେଣ୍ଟଉଥିଲେ। ହେଲେ, ମହାମାରୀ କରୋନା ଯୋଗୁଁ ସବୁ ତାଲାବନ୍ଦ ହେବା ଫଳରେ କଞ୍ଚା ମାଲ ମିଳିଲାନି। ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏଭଳି ସ୍ଥିତିରେ ଏହି ଅସହାୟ ଦିବ୍ୟାଙ୍ଗ ପରିବାରକୁ କିଛି ସମାଜସେବୀ ସହଯୋଗ କଲେ। ମାତ୍ର, ଏମାନଙ୍କୁ ନା ମିଳୁଛି ସରକାରୀ ସାହାଯ୍ୟ ସହଯୋଗ। ସତେ ଯେମିତ ସରକାରୀ ସହାୟତା ଏମାନଙ୍କ ପାଇଁ ସାତ ସପନ। ନିଜ ଗୋଡରେ ନିଜେ ଛିଡା ହେବାର ମନରେ ଅସୁମାରୀ ସପ୍ନ। ସରକାର ଘର ଖଣ୍ଡେ ଦେବା ସହ ମହବତୀ, ଧୂପକାଠି ଆଦି ତିଆରି ପାଇଁ ସହଯୋଗ କଲେ ଭଲ ହୁଅନ୍ତା ବୋଲି ପ୍ରକାଶ କରନ୍ତି ଦୃଷ୍ଟିହୀନ ଅକ୍ରୁର ଓ ଗୀତାଞ୍ଜଳି। ଏଭଳି କ୍ଷେତ୍ରରେ ଦୃଷ୍ଟିବାଧିତ ଅକ୍ରୁର ଓ ଗୀତାଞ୍ଜଳିଙ୍କ ସଂଘର୍ଷମୟ ଜୀବନ ଜୀବିକାର କାହାଣୀ ସଭ୍ୟ ଯୁବ ସମାଜକୁ ଏକ ଉଦାହରଣ। ତେବେ, ଯୋଜନା ଉପରେ ଯୋଜନା ଘୋଷଣା କରୁଥିବା ସରକାରଙ୍କ ସରକାରୀ ସାହାଯ୍ୟ କେବେ ଏହି ଦିବ୍ୟାଙ୍ଗ ପରିବାର ପ୍ରତି ପଡୁଛି ଦେଖିବା ବାକି ରହିଲା।