କେନ୍ଦୁଝର, ୨୧ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆମ ସରକାରରେ ସାମିଲ ହୋଇଛି ସତ କିନ୍ତୁ ଏ କଥାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ଏହି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡିକରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଛାତ୍ର ଛାତ୍ରୀମାନେ ଏହାର ସୁଫଳ ମିଳିପାରୁନାହିଁ। ଏହି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଅନେକ ଆଶ୍ରମ ବିଦ୍ୟାଳୟ ଏବଂ ହାଇସ୍କୁଲ ରହିଛି ସତ କିନ୍ତୁ ସେଗୁଡିକରେ ଆବଶ୍ୟକ ସଂଖ୍ୟକ କ୍ଲାସ ରୁମ, ଛାତ୍ରାବାସ ଏପରିକି କେତେକ ସ୍ଥାନରେ ଭିତିଭୁମିର ଅଭାବ ରହିଥିଲେ ମଧ୍ୟ ଆଇଟିଡିଏ ବିଭାଗ ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେଉନଥିବା ଘଟଣା ଅବଶ୍ୟ କାହାକୁ ଅଛପା ନାହିଁ। ବାଂଶପାଳ ଭଳି ଆଦିବାସୀ ବହୁଳ ଅନଗ୍ରସର ବ୍ଲକର ବହୁ ପୁରାତନ ଚମ୍ପେଇ ଆଶ୍ରମ ବିଦ୍ୟାଳୟରେ ଏହାର ଏକ ଜ୍ଜଳନ୍ତ ଉଦାହରଣ ବୋଲି କୁହାଯାଇପାରେ।
ଦୀର୍ଘ ବର୍ଷ ଧରି ଅନେକ ସମସ୍ୟା ସହିତ ଯୁଝି ହେଉଥିବା ଏହି ବିଦ୍ୟାଳୟ ପ୍ରତି ପ୍ରଶାସନିକ ଦୃଷ୍ଟି ପଡୁନଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ଯାହାକି ନିଶ୍ଚିତ ଭାବେ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣା। ଓଏମ୍ସି ଗନ୍ଧମାର୍ଦ୍ଦନ ଲୌହ ଖଣି ସିଏସଆର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦର୍ଶାଉଥିବା ବେଳେ ବାଂଶପାଳ ବ୍ଲକର ପୁରତନ ଆଶ୍ରମ ବିଦ୍ୟାଳୟର ଭିତିଭୂମି ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରିନଥିବା ଜଣାପଡିଛି। ଏପରିକି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରୁ ମଧ୍ୟ ବିଦ୍ୟାଳୟର ଭିତିଭୂମି ବିକାଶ ନିମନ୍ତେ ବିନିଯୋଗ କରାଯିବା ଦିଗରେ ଜିଲ୍ଲା ପ୍ରଶାସନ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଅଥଚ ଗରୀବ ଲୋକଙ୍କର ବିକାଶ ନାମରେ ନିର୍ଦ୍ଧିଷ୍ଟ ଏନ.ଜି.ଓ ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଉଛି। ଆଶ୍ରମ ବିଦ୍ୟାଳୟଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ଏବଂ ଅସୁରକ୍ଷିତ ତଥା ବିପଦପୁର୍ଣ୍ଣ ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ଲାଗି କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝର ପକ୍ଷରୁ ଅନେକ ଥର ପରିଦର୍ଶନ କରାଯାଇ ପରିସ୍ଥିତି ଅନୁଧ୍ୟାନ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଆବଶ୍ୟକୀୟ ଶ୍ରଣୀ ଗୃହ ନଥିବାରୁ ବିଦ୍ୟାଳୟର ଅସୁରକ୍ଷିତ ଗୃହରେ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୧୯୫୯ ମସିହାରେ ତଥା ୬୦ ବର୍ଷ ପୂର୍ବେ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଛାତ୍ରମାନଙ୍କ ହଷ୍ଟେଲ ସୁବିଧା ରହିଥିବା ବେଳେ ୨୦୧୧ରେ ୧୧୦ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀ ନିବାସ ଆରମ୍ଭ ହୋଇଥିଲା। ଏହି ଆଶ୍ରମ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ସ୍ୱଳ୍ପବ୍ୟୟ ଛାତ୍ରାବାସ, ୧୧୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀ ନିବାସ ରହିଛି। ୧୫୦ ଜଣ ଛାତ୍ର ହଷ୍ଟେଲରେ ରହୁଥିବା ବେଳେ ଆବଶ୍ୟକୀୟ ଗୃହର ଅଭାବରୁ ଅଧିକାଂଶ ଛାତ୍ରଙ୍କୁ କ୍ଲାସ ରୁମରେ ରହିବାକୁ ପଡୁଛି। ୧୨୦ ଛାତ୍ରଙ୍କୁ ନେଇ ଏକ ଛାତ୍ରାବାସ ରହିଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୨୬୦ ଜଣ ଛାତ୍ର ଛାତ୍ରୀ ଥିଲେ ମଧ୍ୟ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗୃହ ନାହିଁ। ଯାହାଫଳରେ ଛାତ୍ର ଛାତ୍ରମାନେ ବହୁ କଷ୍ଟରେ ରହୁଛନ୍ତି। ବିଦ୍ୟାଳୟରେ ରୋଷେଇ ଗୃହର ଅବସ୍ଥା ଅତୀବ ଶୋଚନୀୟ ହୋଇଥିବା ବେଳେ ପିଲାଙ୍କ ଖାଇବା ପାଇଁ ରହିଛି ଗୋଟିଏ ଅତି ଛୋଟ ଡାଇନିଂ ହଲ। ବିଦ୍ୟାଳୟରେ ଅନେକ ଶ୍ରେଣୀ ଗୃହ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗୃହଗୁଡିକର ଛାତର ଟାଇଲ ଭଙ୍ଗା ଏବଂ କାନ୍ଥ ଫଟା ଅବସ୍ଥାରେ ଅଛି। କେଉଁ ମୁହୁର୍ତରେ ବାତ୍ୟା ପବନରେ ଭାଙ୍ଗି ଯେ ନ ଯିବ ତାହା କହିବା ଅସମ୍ଭବ। ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ଏକ ବିପଦ ସଙ୍କୁଳ ଟାଇଲ ଘରେ ଭୟଭୀତ ଅବସ୍ଥାରେ ପାଠ ପଢୁଛନ୍ତି। ଆଦିବାସୀ ବର୍ଗର ଛାତ୍ର ଛାତ୍ରୀଙ୍କୁ ପାଠପଢା ଦିଗରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର କେବଳ ଯୋଜନା କରୁନାହାଁନ୍ତି, ଅର୍ଥ ମଧ୍ୟ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ପ୍ରଶାସନିକ ସ୍ତରରେ ସରକାରଙ୍କ କାର୍ଯ୍ୟକ୍ରମ ରୁ ଉର୍ଦ୍ଧିଷ୍ଟ ହିତାଧୀକାରୀଙ୍କୁ ଫାଇଦା ପହଞ୍ଝାଇ ଦିଗରେ ଅନାଗ୍ରହ ମନୋଭାବ ଯୋଜନା ଗୁଡିକ ସଫଳ ରୂପାୟନ ଦିଗରେ ସ୍ୱଭାବିକ ଭାବେ ବାଧକ ସାଜିଛି। ଆବଶ୍ୟକ ବାସଗୃହ ଅଭାବରୁ ଏଭଳି ବିପଦପୁର୍ଣ୍ଣ ଶ୍ରେଣୀ
ଗୃହରେ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରହୁଛନ୍ତି। ବାଳିକା ଛାତ୍ରୀନିବାସ ଚଳାଇବା ପାଇଁ ନିଯୁକ୍ତ ହୋଇଥିବା ମେଟ୍ରନ୍ଙ୍କ ପାଇଁ ମଧ୍ୟ ବାସଗୃହ ନଥିବାରୁ ସେ ମଧ୍ୟ ଛାତ୍ରୀ ନିବାସରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳପଡିଆ ନଥିବାରୁ ଛାତ୍ରଛାତ୍ରୀମାନେ ଖେଳିବାରୁ ବଞ୍ଝିତ ହେଉଛନ୍ତି। ଉକ୍ତ ଅବ୍ୟବସ୍ଥା ଗୁଡିକୁ ଆଖି ଆଗରେ ରଖି ସମାଧାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ, ବିଦ୍ୟାଳୟର ଆବଶ୍ୟକ ପଡୁଥିବା ନୂତନ ଶ୍ରେଣୀ ଗୃହ ଏବଂ ହଷ୍ଟେଲ ନିମନ୍ତେ ଆଇଟିଡିଏକୁ ଜଣାଇ ଦିଆଯାଇଥିବା କହଛନ୍ତି। ଏବଂ ବିପଦସଙ୍କୁଳ ଘରେ ପାଠ ପଢିବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମନା କରାଯାଇଥିବା ପ୍ରକାଶ କରିଛନ୍ତି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ, ସ୍କଲର ଆବଶ୍ୟକ ହେଉଥିବା ଶ୍ରେଣୀ ଗୃହ ଏବଂ ଷ୍ଟାଫ କ୍ୱାର୍ଟର ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।