ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟସ୍ଥ ‘ପ୍ରଜ୍ଞାପୀଠ’ ଠାରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କର ୧୨୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପ୍ର. ଡ. ରାମଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପ୍ର. ଡ. କ୍ଷୀରୋଦ ଚନ୍ଦ୍ର ସାମଲ ଅନ୍ୟତମ ବକ୍ତା ଭାବେ ପ୍ରାଧ୍ୟାପିକା ଉଷାରାଣୀ ଜେନା ଏବଂ ସାହିତ୍ୟ ସଂସ୍କୃତି ସଙ୍ଗଠନ ଆମେ ର ସେକ୍ରାଟାରୀ ପ୍ରଭାକର ପରିଡା ମଂଚାସୀନ ଥିଲେ। ପ୍ର. ଡ. ଅଟଳ ବିହାରୀ ନାୟକ ଆଜିପରି ପବିତ୍ର ଅକ୍ଷୟତୃତୀୟା ତିଥିରେ ଜାତୀୟ କବିଙ୍କର ଜୀବନାଦର୍ଶ ଉପରେ ସାମାନ୍ୟ କଥନ ରଖିଥିଲେ। ପ୍ରଫେସର ଡ. ମନୀନ୍ଦ୍ର ମହାନ୍ତି, ବ୍ୟାଙ୍କ ଅଧିକାରୀ ସୁସାହିତ୍ୟିକ ମଦନ ମୋହନ ମହାକୁଡ, ଅଧ୍ୟାପିକା ଦେବସ୍ମିତା ମିଶ୍ରପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ମିଶ୍ର, ମୋନାଲିସା ସାହୁ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ କବିଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ ଏବଂ ଦେଶାତ୍ମବୋଧ କବିତା ପାଠ କରିଥିଲେ। ପ୍ର. ଡ. କ୍ଷୀରୋଦ କୁମାର ସାମଲଙ୍କ ଲିଖିତ କବିତା ପୁସ୍ତକ “ସ୍ମୃତି ସାନ୍ତ୍ୱନା” ପ୍ର. ଡ. ମନୀନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ମଂଚ ପରିଚାଳନା ଓ ଅତିଥିମାନଙ୍କୁ ଜଳ ଯୋଗରେ ଆପ୍ୟାୟିତ କରିଥିଲେ ନାୟକ ପରିବାରର ସମସ୍ତ ସଦସ୍ୟବୃନ୍ଦ। ଜାତୀୟ କବିଙ୍କର ଏକ ମନଛୁଆଁ କବିତା “ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ, ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ” ଅଧ୍ୟାପିକା ଦେବସ୍ମିତା ମିଶ୍ରପାଣିଗ୍ରାହୀଙ୍କ କଣ୍ଠରୁ ଝଙ୍କୃତ ହୋଇ ସମସ୍ତ ଶ୍ରୋତାମାନଙ୍କୁ ବିମୋହିତ କରିଦେଇଥିଲା। ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବୟିତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର।








