Home ଜିଲ୍ଲା ପରିକ୍ରମା ଦେବଗଡ ଜିଲ୍ଲା ପରିଷଦର ୬ଷ୍ଠ ପାରିଷଦ ବୈଠକ ଅନୁଷ୍ଠିତ

ଦେବଗଡ ଜିଲ୍ଲା ପରିଷଦର ୬ଷ୍ଠ ପାରିଷଦ ବୈଠକ ଅନୁଷ୍ଠିତ

221

ଦେବଗଡ, ୧୮.୦୮ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) – ଜିଲ୍ଲା ପରିଷଦ୫ମ ଅଧିବେଶନ ୬ଷ୍ଠ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭିନସେଣ୍ଟ ପୁନମକାନ୍ତ ଏକ୍କା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଫ ପ୍ରଧାନଙ୍କ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସାଂସଦ ଶ୍ରୀ ଗଙ୍ଗଦେବ ଦେବଗଡ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଧାୟକ ଶ୍ରୀ ପାଣିଗ୍ରାହୀ ଜିଲ୍ଲାରେ ମରୁଡି ପରିସ୍ଥିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୈାଭାଗ୍ୟ ଯୋଜନା, ଗ୍ରାମ୍ୟ ପାନୀୟ ଜଳଯୋଗାଣ, ପ୍ରଧାନମନ୍ତ୍ରୀସଡକ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜାତୀୟ ରାଜପଥର ଦୂରବସ୍ଥା ଆଦି ସମସ୍ୟା ଉପରେ ଆଲୋକପାତ କରିବା ସଂଗେ ସଂଗେ ଜିଲ୍ଲାର ଉନ୍ନତି ନିମନ୍ତେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ବୈଠକର ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଏକ୍କା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଗତ ଜାନୁୟାରୀ ୨୪ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ବୈଠକର ପରିପାଳନ ବିବରଣୀ ଗୃହରେ ଉପସ୍ଥାପିତ କରିଥିଲେ। ପରିପାଳନ ବିବରଣୀରୁ ଜଣାଯାଏ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ଆବାସ ଯୋଜନାରେ ବକେୟା ଥିବା ୧୭୦୬ ଗୋଟି ଘର ମଧ୍ୟରୁ ୪୫୯ଟି ଘର ସଂପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ ୧୨୪୭ଟି ଘରର ନିର୍ମାଣ କାର୍ଯ୍ୟ ଚାଲୁଅଛି। ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ୩୬୮୦ଟି ଘର ଅନୁମୋଦନ ପାଇଁ ପଞିକୃତ ହୋଇଥିବାବେଳେ ୨୪୨୮ଟି ଘର ମଞୁର ହୋଇଛି। ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚଳିତ ଆର୍ଥିକ ବର୍ଷ ୪୭କୋଟି ୭୨ଲକ୍ଷ ବିନିଯୋଗ କରାଯାଇ ୧୪ଲକ୍ଷ ୩୭ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏଥିସହିତ ବୈଠକରେ ଓଡିଶା ଜୀବିକା ମିଶନ, ଗ୍ରାମ୍ୟ ପାନୀୟ ଜଳଯୋଗାଣ, ଗ୍ରାମାଂଚଳ ବିଦ୍ୟୁତକରଣ, କୃଷି, ଉଦ୍ୟାନ ବିଭାଗ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ସ୍ୱାସ୍ଥ୍ୟ ଆଦି ବିଭାଗ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ପରିପାଳନ ବିବରଣୀ ଉପରେ ଆଲୋଚନା କରାଯାଇ ଏହାକୁ ଦୃଢୀକରଣ କରାଯାଇଥିଲା।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତିରେ ମିଳିଥିବା ଡିଭୋଲୁସନ ପାଣ୍ଠି ଓ ୪ର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠିର ବିନିଯୋଗ ସକାଶେ ଉପସ୍ଥାପିତ କରାଯାଇଥିବା କାର୍ଯ୍ୟଖସଡା ଓ ପ୍ରକଳ୍ପଗୁଡିକ ଅନୁମୋଦନ ନିମନ୍ତେ ଆଲୋଚନା ପାଇଁ ଉପସ୍ଥାପିତ କରାଯାଇଥିଲା। ଗ୍ରାମୀଣ ଆବାସ ଯୋଜନା, ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ/ଓଡିଶା ଜୀବିକା ମିଶନ, ଗ୍ରାମାଂଚଳ ବିଦ୍ୟୁତକରଣ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, କୃଷି, ଉଦ୍ୟାନ ବିଭାଗ, ସମାଜ କଲ୍ୟାଣ ବିଭାଗ, କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ବିଭାଗର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ବୈଠକରେ ଉପସ୍ଥିତତ ଜିଲ୍ଲା ପରିଷଦର ସଦସ୍ୟ, ସଦସ୍ୟା ଏବଂ ପଂଚାୟତ ସମିତି ଅଧ୍ୟକ୍ଷାମାନେ ନିଜ ନିଜ ଅଂଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।

ଶେଷରେ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.