ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରସିଦ୍ଧ ଆଗରପଡା ବଙ୍ଗାଳୀ ସାହିରେ ସର୍ବ ପୁରାତନ ପ୍ରାୟ ୨ ଶହ ବର୍ଷରୁ ଉର୍ଦ୍ଧ ମା’ଦୁର୍ଗାଙ୍କର ମୃଣ୍ମୟ ମୂର୍ତୀ ପୂଜା ବଙ୍ଗୀୟ ସମ୍ପ୍ରଦାୟର ଅଧିବାସୀମାନେ ମହା ସମାରୋହରେ ପାଳନ କରିଆସୁଛନ୍ତି । କାରିଗରଙ୍କ ଦ୍ୱାରା ମା’ ଙ୍କୁ ଶେଷ ସ୍ପର୍ଶ ଦେବା ପରେ ଶୁକ୍ରବାର ଷଷ୍ଠୀ ପୂଜା ଏବଂ ଶନିବାର ସପ୍ତମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଥିବା ୩ ଗୋଟି ପୂଜା ମଣ୍ଡପରେ ମହାଆଡ଼ମ୍ବରରେ ଏହି ପୂଜା ପାଳନ କରାଯାଉଥିବା ବେଳେ ସୋମବାର ଅଷ୍ଟମୀରେ ସନ୍ଧି ପୂଜା ଏବଂ କଖାରୁ ଛେଦନ ମୁଖ୍ୟ ଆକର୍ଷଣ ହେବ । ପ୍ରଥମ ମଣ୍ଡପରେ ପୂଜକ ପଂଚାନନ କବି, ଦ୍ୱିତୀୟ ମଣ୍ଡପରେ ପୂଜକ ଶଶିକାନ୍ତ ପତି ଏବଂ ଶେଷ ମଣ୍ଡପରେ ପୂଜକ ସନ୍ତୋଷ ପତି ପୂଜାର୍ଚ୍ଚନା କରୁଛନ୍ତି । ୫ ଦିନ ବ୍ୟାପି ପାଳିତ ହେବାକୁ ଥିବା ଏହି ପୂଜାପାଇଁ ସମ୍ପୂର୍ଣ୍ଣ ବଙ୍ଗାଳୀ ସାହିକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ପ୍ରଥମ ମଣ୍ଡପ ପୂଜା କମିଟିର ସମସ୍ତ ଦାୟିତ୍ୱ ରବିନ୍ଦ୍ର କୁମାର ପାଲ,ଅକ୍ଷୟ କୁମାର ପାଲ,ଧନେଶ୍ୱର ପାଲ ତୁଲାଇ ଆସୁଛନ୍ତି । ସେହିପରି ଦ୍ୱିତୀୟ ମଣ୍ଡପରେ ରଞ୍ଜିତ ପାଲ,ଟୁନା ପାଲ,ଅନନ୍ତ ପାଲ ଦାୟିତ୍ୱ ତୁଲାଉଛନ୍ତି । ଶେଷ ମଣ୍ଡପର ସମସ୍ତ ଦାୟିତ୍ୱ ଆନନ୍ଦ ଚନ୍ଦ୍ର ଦାସ,ଦିନବନ୍ଧୁ ଦାସ,ଅଜୟ ଚୌଧରୀ ବୁଝୁଛନ୍ତି । ଏଠାକୁ ଆସୁଥୁବା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ପୂଜା କମିଟି ପକ୍ଷରୁ କରାଯାଇଥିବାବେଳେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଗନ୍ତୁକଙ୍କୁ ବାନ୍ଧି ରଖିଛି । ଏହି ସାହିର ଅଧିକାଶଂ ଲୋକେ ବାହାର ରାଜ୍ୟରେ ବ୍ୟବସାୟ କରୁଥିବାବେଳେ ପୂଜା ପାଇଁ ସମସ୍ତେ ଘରକୁ ଫେରିଥାନ୍ତି। ଘରେ ଘରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ପିଠା ପଣାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥାଏ । ମୋଟାମୋଟି ଭାବେ ଏହି ପୂଜା ପାଇଁ ସମଗ୍ର ସାହିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆସନ୍ତା ଗୁରୁବାର ଭଷାଣି ଉତ୍ସବ ଅନୁଷ୍ଠିତ ହେବ।








