ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଅଂଚଳରେ ଏକ ଚାଂଚଲ୍ୟକର ଘଟଣା ଘଟିଛି। ଜଣେ ଯୁକ୍ତ ୩ ଛାତ୍ରଙ୍କ ହାତବନ୍ଧା ମୃତଦେହ ଘର ବାହାରେ ଥୂବା ଏକ ଛୋଟ ପାଇଖାନାରୁ ଉଦ୍ଧାର ହେବା ପରେ ସମଗ୍ର ଅଂଚଳରେ ଶୋକ ସହ ଉତେଜନା ପ୍ରକାଶ ପାଇଛି। ପରିବାର ପକ୍ଷରୁ ଏହାକୁ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଥିବାଖଛଖଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ର ହେଲେ ଚରମ୍ପା ଅଂଚଳର ରାଜେନ୍ଦ୍ର ବିଶ୍ୱାଳଙ୍କ ସାନପୁଅ ସମ୍ବିତ ବିଶ୍ୱାଳ। ସେ ଚରମ୍ପା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଥୂବା ସୂଚନା ମିଳିଛି। ଜଣେ ମେଧାବୀ ଓ ଶାନ୍ତି ସ୍ୱଭାବର ଛାତ୍ର ଭାବେ ସମ୍ବିତ ଅଂଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର, ସମ୍ପର୍କୀୟ ଓ ସ୍ଥାନୀୟ ଲୋକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ସମ୍ବିତ ପ୍ରତିଦିନ ଭଳି ଭୋର ସମୟରେ ମର୍ଣିଙ୍ଗ ୱାକ ପାଇଁ ଘରୁ ବାହାରିଥିଲେ। କିଛି ସମୟ ପରେ ସେ ଘରକୁ ଫେରିନଥିବାରୁ ପରିବାର ଲୋକମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଘର ବାହାରେ ଥିବା ଏକ ଛୋଟ ପାଇଖାନା ଭିତରେ ସମ୍ବିତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖ୍ ଆତଙ୍କିତ ହୋଇପଡ଼ିଥିଲେ। ମୃତଦେହର ହାତ ବନ୍ଧା ଥିବାରୁ ପରିବାର ପକ୍ଷରୁ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଚରମ୍ପା ଅଂଚଳରେ ଚାଂଚଳ ଖେଳିଯାଇଥିଲା । ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଥିଲେ। ପୋଲିସ ପକ୍ଷରୁ ସାଇଂଟିଫିକ ଟିମ୍କୁ ଡାକାଯାଇ ଘଟଣାସୁଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପରିବାର ଲୋକମାନେ କହିଛନ୍ତି ଯେ, ସମ୍ବିତଙ୍କ କାହା ସହ କୌଣସି ଶତ୍ରୁତା ନଥିଲା। ତେଣୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ନେଇ ସେମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି।








