Home ଜିଲ୍ଲା ପରିକ୍ରମା ହାଣ୍ଡିଧୂଆ-ଘଂଟପଡା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପ୍ରଗତି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ହାଣ୍ଡିଧୂଆ-ଘଂଟପଡା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପ୍ରଗତି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

50

ତାଳଚେର,୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ହାଣ୍ଡିଧୂଆ-ଘଂଟପଡା ରାସ୍ତାରେ ଏମ୍‌.ସି.ଏଲ୍‌.ର ସାମାଜିକ ଦାୟିତ୍ୱବୋଧ ପାଣ୍ଠି ଆନୁକୂଲ୍ୟରେ ତିଆରି ହେଉଥିବା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହ ଏନେଇ ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୦୧୨ ମସିହାରେ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ତତ୍ କାଳୀନ କୋଇଲାମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା । ଏହାର ୩ ବର୍ଷ ପରେ ଅର୍ଥାତ୍ ୨୦୧୫ ମସିହାରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨୦୧୮ ମସିହାରେ ସଂପୂର୍ଣ୍ଣ ହେବା କଥା । ମାତ୍ର ପରିତାପର କଥା ଏହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ଏପରିକି,ନିର୍ମାଣ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହେଉନାହିଁ । ତାଳଚେରରୁ ଅନୁଗୋଳକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ପ୍ରକାଶ ଥାଉକି, ଏହି ରାସ୍ତା ହାଣ୍ଡିଧୂଆରୁ ଘଂଟପଡା ଓ ବଲଣ୍ଡା ଅଂଚଳକୁ ମଧ୍ୟ ସଂଯୋଗ କରୁଅଛି । ଦୈନନ୍ଦିନ ଏହି ରାସ୍ତାରେ ହଜାର ହଜାର ସଂଖ୍ୟକ ଜନସାଧାରଣ ଯାତାୟତ କରୁଛନ୍ତି । ସେହିପରି ଏହି ରାସ୍ତା ଦେଇ ଯାଇଥିବା ରେଳପଥ ଯୋଗେ ଦୈନିକ ୮୦ରୁ ୧୦୦ଟି କୋଇଲା ବୋଝେଇ ଟ୍ରେନ୍ କୋଇଲାଖଣିରୁ କୋଇଲା ପରିବହନ ହେଉଛି । ଘଂଟା ଘଂଟା ଧରି ଫାଟକ ବନ୍ଦ ରହିବା ଫଳରେ ଜନସାଧାରଣ ଯିବା ଆସିବାରେ ମଧ୍ୟ ବିଳମ୍ବ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଓଭରବ୍ରିଜ୍ ନିର୍ମାଣ କରାଯିବା ପାଇଁ ବହୁ ଦିନରୁ ଦାବୀ ହୋଇ ଆସୁଥିଲା । ତେବେ ବହୁ ପ୍ରତୀକ୍ଷିତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ବର୍ତମାନ ଅଧାପନ୍ତରିଆ ଅବସ୍ଥାରେ ଓଭରବ୍ରିଜ୍ କାମ ପଡ଼ି ରହିଥିବାରୁ ଯାତାୟତରେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବର କାରଣ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜ କିଶୋର ସାହୁଙ୍କ ନେତୃତ୍ୱରେ ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ପ୍ରଭାତ କୁମାର ରଥ, ଗିତିମୟୀ ରଥ,ରାମଚନ୍ଦ୍ର ସ୍ୱାଇଁ,ଦୀପକ କୁମାର ସାହୁ,ବାଗୁଲା ବିଶୋଇ, ରାକେଶ ସାମଲ,ମୁକେଶ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.