Home ଜିଲ୍ଲା ପରିକ୍ରମା ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ, “ବାବା ସାହେବ ଆମ୍ବେଦକରଙ୍କ ଜୀବନାଦର୍ଶ ଉତରପୀଢ଼ିଙ୍କ...

ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ, “ବାବା ସାହେବ ଆମ୍ବେଦକରଙ୍କ ଜୀବନାଦର୍ଶ ଉତରପୀଢ଼ିଙ୍କ ପାଇଁ ଶ୍ରେଷ୍ଠ ପ୍ରେରଣା’ – ସାଂସଦ

11

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସମ୍ବିଧାନର ଜନକ, ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୬ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦:୩୦ ଘଟିକା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବାବା ସାହେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି କହିଥିଲେ ଯେ, “ଆଦର୍ଶ, ତ୍ୟାଗ ଓ ଶ୍ରେଣୀବିହୀନ ସମାଜ ଗଠନ ପାଇଁ ଡଃ ଆମ୍ବେଦକରଙ୍କ ସଂଗ୍ରାମ ଚିରଦିନ ପାଇଁ ଅଭୁଲା ରହିବ। ସମାଜରୁ ଭେଦଭାବ ଓ ଅସ୍ପୃଶ୍ୟତା ଦୂର କରିବାରେ ତାଙ୍କର ଅବଦାନ ମହାନ। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ତାକଂର ଅବଦାନ ଅତୁଳନୀୟ ” । ଏହି ସଭାର ସଭାପତିତ୍ୱ କରୁଥିବା ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ କହିଥିଲେ ଡଃ ଆମ୍ବେଦକର ଜଣେ ମହାନ୍ ଚିନ୍ତାନାୟକ, ରାଷ୍ଟ୍ରନାୟକ ଓ ପ୍ରଜ୍ଞାର ପ୍ରତୀକ ଭାବେ ଅଭିହିତ। ସେ କହିଥିଲେ ଯେ, ବାବା ସାହେବଙ୍କ ଉଚ୍ଚ ଆଦର୍ଶ ଓ ମାନବୀୟ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ମାନସିକତା ରହିବା ଉଚିତ। ସମାଜରୁ ଅସ୍ପୃଶ୍ୟତା ଓ ଭେଦଭାବ ଦୂର କରି ଏକ ସୁସ୍ଥ ତଥା ସମତାଭିତିକ ସମାଜ ଗଠନ କରିବା ଥିଲା ବାବା ସାହେବଙ୍କ ପ୍ରଧାନ ଲକ୍ଷ୍ୟ। ସହରାଂଚଳ ହେଉ କି ଗ୍ରାମାଂଚଳ, ପ୍ରତ୍ୟେକ ନାଗରିକ ନିଜର ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ବିଷୟରେ ସଚେତନ ହେବା। ଏହି ଅବସରରେ ମୁଖ ବକ୍ତା ଭାବେ ଦଳିତ ମହାସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ଜେନା କହିଥିଲେ,”ଆଧୁନିକ ଭାରତର ନିର୍ମାଣରେ ବାବା ସାହେବଙ୍କ ଦୂରଦୃଷ୍ଟି ଅତୁଳନୀୟ। ବିଶେଷ କରି ମହିଳା ସଶକ୍ତିକରଣ ଓ ଦଳିତ ଶ୍ରେଣୀର ଉତାନ ପାଇଁ ସେ ଯେଉଁ ପଥ ପ୍ରଦର୍ଶନ କରିଛନ୍ତି, ତାହା ଅନନ୍ୟ। ତାଙ୍କର ଜୀବନାଦର୍ଶ ଓ ଜ୍ଞାନ ଗାରିମା ଆଗାମୀ ଯୁବପିଢ଼ିଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।” ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ କହିଥିଲେ “ଶିକ୍ଷା ହିଁ ସମସ୍ତ ପରିବର୍ତନର ମୂଳଦୁଆ ବୋଲି ବାବା ସାହେବ ସର୍ବଦା ବିଶ୍ୱାସ କରୁଥିଲେ। ତାଙ୍କ ପ୍ରଦର୍ଶିତ ‘ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର’ ମନ୍ତ୍ର ଆଜିର ପ୍ରଶାସନିକ ବ୍ୟବସ୍ଥା ଓ ସମାଜ ଗଠନ ପାଇଁ ଏକ ଅନନ୍ୟ ଦିଗଦର୍ଶନ ଏବଂ ଆଜି ବି ପ୍ରଗତିର ମୂଳଦୁଆ।” ଏହି ଅବସରରେ, ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ନାୟକ କହିଥିଲେ, “ସମାଜରୁ ଭେଦଭାବ ଦୂର କରି ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ହିଁ ବାବା ସାହେବଙ୍କ ପ୍ରତି ପ୍ରକୃତ ସମ୍ମାନ।” ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ ବାବାସାହେବଙ୍କ ଜୀବନଶୈଳୀ ଓ ତ୍ୟାଗରୁ ଯୁବ ପିଢ଼ିମାନେ ପ୍ରେରଣା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ସୁଚାରୁରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ମୀନାକ୍ଷୀ ଗରାବଡୁ ଅତିଥିମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ଶିର୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବିଭିନ୍ନ ସମାଜସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.