
ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଂଚାୟତର ଫଳପୁର ସରକାରୀ ହାଇସ୍କୁଲ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୭୦ ଟି ବିଜ୍ଞାନ ପ୍ରକଳ୍ପ ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତାପ୍ରିୟା ଦାସ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ଉଗ୍ରସେନ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ ମହାନ୍ତି, ପୂର୍ବତନ ସଭାପତି ପ୍ରଦୀପ କୁମାର ମହାପାତ୍ର, ଜୟକିସନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରୋଦ ନାୟକ, ଜାହାଙ୍ଗୀର ହାଇସ୍କୁଲର ଶିକ୍ଷକ ଚିନ୍ମୟ ରାଉତ, ଅଭିଷେକ ମହାପାତ୍ର, ପଦ୍ମଲୋଚନ ସାହୁ ଏବଂ ତପନ ପାଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରଶଂସା କରିଥିଲେ। ଶିକ୍ଷକ ଅନନ୍ତ ଭୂଷଣ ମିଶ୍ର ବେଦ ପାଠ କରିଥିଲେ ଏବଂ ସଭ୍ୟ ଦୀପ୍ତି ରଞ୍ଜନ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଧାମନଗର ବ୍ଲକର ଆନନ୍ଦପୁର ସ୍ଥିତ ଜଗନ୍ନାଥ ହାଇସ୍କୁଲ ଠାରେ ମଧ୍ୟ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବବ୍ରତ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ମେଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୫୦ଟି ଷ୍ଟଲ ସ୍ଥାନ ପାଇଥିଲା ଏବଂ ଅତିଥି ଓ ଅଭିଭାବକମାନେ ଏଗୁଡ଼ିକୁ ବୁଲି ଦେଖିଥିଲେ।







