Home ଜିଲ୍ଲା ପରିକ୍ରମା ଶିଶୁଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ...

ଶିଶୁଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

0

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ସମ୍ବିଧାନ ଦିବସ ଉପଲକ୍ଷେ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ସଭାଗୃହ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶଶିଶେଖର କରଶର୍ମା ଏଥିରେ ସଭାପତିତ୍ୱ କରିଥିଲେ। ଏହି ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ସନ୍ତୋଷ ଆଚାର୍ଯ୍ୟ, ଜିଲ୍ଲା ପୋଲିସ କାର୍ଯ୍ୟାଳୟର ନିରୀକ୍ଷଣ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ କୁମାର ଦାସ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ ଭାରତୀୟ ସମ୍ବିଧାନର ମହତ୍ୱ, ଏହାର ମୂଳନୀତି ଓ ଆଦର୍ଶ ସହିତ ନାଗରିକମାନଙ୍କ ମୌଳିକ ଅଧିକାର ଓ କର୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷକରି ଶିଶୁମାନଙ୍କ ମତାମତକୁ ଗୁରୁତ୍ୱ ଦେବା ସହ ସେମାନଙ୍କୁ ନିଜ ମତ ସ୍ୱାଧୀନ ଭାବେ ପ୍ରକାଶ କରିବାର ସୁଯୋଗ ଦିଆଯିବା ଉଚିତ୍ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଏଥିସହ ବାଲ୍ୟବିବାହ ନିରୋଧ, ନିଶାମୁକ୍ତ ଜୀବନଯାପନ ଏବଂ ଯୌନ ଶୋଷଣରୁ ଶିଶୁଙ୍କ ସୁରକ୍ଷା ଆଦି ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ସହକାରୀ ଶିକ୍ଷକ ତରଣୀସେନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷିତ ହୋଇଥିଲା। ସଭା ପ୍ରାରମ୍ଭରେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଶିବାନୀ ତ୍ରିପାଠୀ ଓ ସରୋଜ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ଶ୍ରୀ କରଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.