Home ଜିଲ୍ଲା ପରିକ୍ରମା ସଟ୍‌ଡାଉନ୍ ଓ ଲକଡାଉନ୍‌ରେ ପରିବହନ ସମେତ ଓ ରିକ୍ସା, ଟ୍ରଲି ମୂଲିଆଙ୍କ ଜୀବନ ଜୀବିକା ଅଚଳ...

ସଟ୍‌ଡାଉନ୍ ଓ ଲକଡାଉନ୍‌ରେ ପରିବହନ ସମେତ ଓ ରିକ୍ସା, ଟ୍ରଲି ମୂଲିଆଙ୍କ ଜୀବନ ଜୀବିକା ଅଚଳ : ସରକାର ନୀରବ ଦ୍ରଷ୍ଟା – ସିଟୁ

125

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଜନିତ ବିପର୍ଯ୍ୟୟ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ପଦାଧିକାରୀମାନେ ଆଇନ୍‌କୁ କାର୍ଯ୍ୟକାରୀ କରିବାର ଦ୍ୱାହି ଦେଇ ଯେଭଳି ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରି ଜନଜୀବନକୁ ପ୍ରଭାବିତ କରିଛନ୍ତି, ତାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଭଦ୍ରକ ଜିଲା ସିଟୁ (ସିଆଇଟିୟୁ) ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲା ସିଟୁ ସଭାପତି ଦିବ୍ୟସିଂହ ନାୟକ କରିଥିବା ଅଭିଯୋଗ ମୂଳେ କରୋନା ଜନିତ ସଟଡାଉନ୍ ଓ ଲକଡାଉନ୍ ଫଳରେ ୪ ଲକ୍ଷରୁ ଅଧିକ ଲୋକେ ଓ ପ୍ରବାସୀ ଶ୍ରମିକମାନେ ବହୁ କଷ୍ଟରେ ନିଜ ଭିଟାମାଟିକୁ ଫେରି କାମ ହରାଇ ଭୋକ ଓପାସରେ ଦିନ କାଟୁଥିବାବେଳେ ନିର୍ମାଣ ଶ୍ରମିକମାନେ ସେମାନଙ୍କର କାମ ହରାଇ ରିତହସ୍ତରେ ଘରକୁ ଫେରୁଛନ୍ତି । ପରିବହନ ଶ୍ରମିକମାନେ ବସ୍‌, କାର, ଟ୍ରକ୍ ଓ ଅଟୋ ଗୁଡିକ ସାଧାରଣ ଭାବେ ଚଳପ୍ରଚଳ କରୁନଥିବା ଯୋଗୁଁ ମୁଣ୍ଡରେ ହାତଦେଇ ବସିଛନ୍ତି । ରିକ୍ସା ଓ ଟ୍ରଲି ଚାଳକମାନେ ନିଜର ଜୀବନ ଜୀବିକା ହରାଇଲେଣି । ଆମ ଜିଲାର ଧାମନଗର, ତିହିଡି, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ବାସୁଦେବପୁରରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଲୋକମାନେ ଉବୁଟୁବୁ ହୋଇ ଭୋକ ଓପାସରେ କାଳ କାଟୁଥିବାବେଳେ ସରକାରୀ ରିଲିଫ୍ ସମୁଦ୍ରକୁ ଶଙ୍ଖେ ହୋଇଛି । ଗୋରୁ-ଗାଈଙ୍କ କଥା ପଚାରେ କିଏ । ପ୍ରଶାସକ ରାଜନେତାମାନେ ଖବର କାଗଜ ଓ ଟିଭିରେ ଆଶ୍ୱସନା ଦେବାରେ ବ୍ୟସ୍ତ । ଏଭଳି ଅବସ୍ଥାରେ ନିର୍ମାଣ ଶ୍ରମିକମାନେ କାର୍ଯ୍ୟ ଆଶାରେ ସହରର ଟ୍ରାଫିକ୍ ଛକକୁ ଆସୁଥିବାବେଳେ ପୁଲିସ୍ ଗୋରୁ ଗୋଡାଇଲା ଭଳି ସେମାନଙ୍କୁ ନିର୍ଯ୍ୟାତନା ଦେଉଛି । ଇତିମଧ୍ୟରେ ୬୨୭ ରିକ୍ସା ଚାଳକ ନାମ ଓ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନଂ ଜିଲାପାଳଙ୍କୁ ସହାୟତା ପାଇଁ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଟଙ୍କାଟିଏ ସେମାନେ ପାଇନାହାଁନ୍ତି । ଏଣୁ ସେମାନଙ୍କ ଜୀବନ-ଜୀବିକା ସୁରକ୍ଷା ପାଇଁ ଶ୍ରୀ ନାୟକ ଜିଲା ପ୍ରଶାସନ ଜରିଆରେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଆଜି ଚାନ୍ଦବାଲି ଏବଂ ଧାମନଗର ବ୍ଲକ୍‌ରେ ବିକାଶ ନାତ, ଜଏନୁଲ ଆବେଦିନ, ସେକ୍ କାଲା ଓ ଗୟାଧର ସାହୁଙ୍କ ଉଦ୍ୟମରେ ଦଳ ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.