Home ଓଡ଼ିଶା ସଂସ୍କୃତ ମାଧ୍ୟମରେ ରାଷ୍ଟ୍ରଶକ୍ତି ସୁଦୃଢ ହେବ

ସଂସ୍କୃତ ମାଧ୍ୟମରେ ରାଷ୍ଟ୍ରଶକ୍ତି ସୁଦୃଢ ହେବ

250

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସଂସ୍କୃତ ଶିକ୍ଷା ମାଧ୍ୟମରେ ରାଷ୍ଟ୍ରଶକ୍ତି ସୁଦୃଢ ହୋଇପାରିବ। ଇଂରାଜୀ ଶିକ୍ଷା ଚରିତ୍ର ଗଠନ ପାଇଁ ଉପଯୁକ୍ତ ନୁହେଁ। ବିଶ୍ୱରେ ସଂସ୍କୃତ ଶିକ୍ଷାର ପ୍ରସାର ହୋଇଛି। ବ୍ୟବସାୟୀକ ଶିକ୍ଷାସହ ସଂସ୍କୃତ ତୁଳନା କରାଯିବା ଉଚିତ ନୁହେଁ। ସଂସ୍କୃତ ରାଷ୍ଟ୍ରପାଇଁ ଅନୁକୂଳ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ହରିହର ହୋତା ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଏବଂ ସଂସ୍କୃତ ସୁରକ୍ଷା ସମିତି ପକ୍ଷରୁ ଶନିବାର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସେ କହିଲେ ଉଚ୍ଚଶିକ୍ଷା ସରକାରୀ ଚାକିରି ଏବଂ ଗବେଷଣା କ୍ଷେତ୍ରରେ ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ସୁଯୋଗ ଦିଆଯିବା ଉଚିତ୍। ସଂସ୍କୃତ ଭାଷାର ବିକାଶ ବିନା ପ୍ରାଚୀନ ସଂସ୍କୃତି ସୁରକ୍ଷିତ ରହିପାରିବ ନାହିଁ। ରାଜ୍ୟରେ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଶ୍ରୀ ହୋତା ପରାମର୍ଶ ଦେଇଛନ୍ତି। ସେ କହିଲେ ସଂସ୍କୃତ ଶିକ୍ଷାଦ୍ୱାରା ଆତ୍ମସାମ୍ମାନ ବୃଦ୍ଧି ପାଇବା ସହ ବୌଦ୍ଧିକ ଶକ୍ତିର ବିକାଶ ହୋଇପାରିବ। ଶ୍ରୀସଦାଶିବ ପରିସର ପ୍ରାଚାର୍ଯ୍ୟ ପ୍ରପେସର ହରେକୃଷ୍ଣ ମହାପାତ୍ର ସଭାରେ ଅଧ୍ୟକ୍ଷତା କରି ସଂସ୍କୃତ ଶିକ୍ଷାର ମହନୀୟତା ଏବଂ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍କୃତ ଶିକ୍ଷାପ୍ରତି ଅବହେଳା ଦୁଃଖଦାୟକ। ଭାରତର ବୈଦିକ ପରମ୍ପରା ଏବଂ ସଂସ୍କୃତି ସହ ସଂସ୍କୃତ ଭାଷା ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ଅଖିଳ ଭାରତୀୟ ସଂସ୍କୃତ ଶିକ୍ଷକ ମହାସଂଘ ଅଧ୍ୟକ୍ଷ ବ୍ରିଜେଶ ଗୌତମ କହିଲେ ସଂସ୍କୃତ ଭାଷା ଅପରିମିତ। କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଜବାହାର ନବୋଦ୍ୱୟ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷା ପ୍ରଚଳନ କରାଯାଇଛି। ସଂସ୍କୃତ ବୈଦିକ ବିଜ୍ଞାନ ଭାବେ ପରିଚିତ।ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ସଂସ୍କୃତ ଶିକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ସରକାର ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାରେ ଅବହେଳା କରୁଥିବା ସେ ପ୍ରକାଶ କରିଛନ୍ତି। ମହାସଂଘ ମହାସଚିବ ଡ଼ଃ ବି ଗୟାଲୁ କହିଲେ ସଂସ୍କୃତ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ପୂରଣ ନହେବା ଯୋଗୁଁ ଓଡ଼ିଶାରେ ପ୍ରାୟ ୨୦ହଜାର ସଂସ୍କୃତ ଶିକ୍ଷାଧାରୀ ବେକାର ହୋଇ ବସିଛନ୍ତି। ସଂସ୍କୃତ ବିରୋଧରେ ପ୍ରଶାସନିକ ଷଡ଼ଯନ୍ତ୍ର ଚାଲିଛି। ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ମହାସଂଘ ଉପସଭାପତି ଡ଼ଃ ବୀରେନ୍ଦ୍ର କୁମାର ଆର୍ଯ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀସଦାଶିବ ପରିସର ଶିକ୍ଷାଶାସ୍ତ୍ରୀ ବିଭାଗ ମୁଖ୍ୟ ପ୍ରଫେସର ବିଜୟପାଳ କଛବାହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାହିତ୍ୟ ବିଭାଗ ପ୍ରଫେସର ସୁଶାନ୍ତ ରାଜ କାର୍ଯ୍ୟକ୍ରମ ପରିଚାଳନା କରିତିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନବନିଯୁକ୍ତ କୁଳପତି ପ୍ରଫେସର ହରିହର ହୋତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଦିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.