Home ଜିଲ୍ଲା ପରିକ୍ରମା ଲକଡାଉନ୍ ଆଳରେ ଭଦ୍ରକରେ ଆଳୁର କୃତ୍ରିମ ଅଭାବ, ଗାଡି ଗୋଦାମକୁ ନଆସି ବାଟ ମଝିରେ ଖାଲି...

ଲକଡାଉନ୍ ଆଳରେ ଭଦ୍ରକରେ ଆଳୁର କୃତ୍ରିମ ଅଭାବ, ଗାଡି ଗୋଦାମକୁ ନଆସି ବାଟ ମଝିରେ ଖାଲି ହେଉଛି, କଳାବଜାରୀ ରୋକିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

45

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଜନିତ ସପ୍ତାହାନ୍ତ ସଟଡାଉନ୍ ପୂର୍ବରୁ ଆଳୁ କିଲୋ ୧୨ ଟଙ୍କା ଓ ପିଆଜ କିଲୋ ୧୬ ଟଙ୍କାରେ ମିଳୁଥିବାବେଳେ ହଠାତ୍ ରାଜ୍ୟ ସରକାରଙ୍କର ୧୪ ଦିନିଆ ଲକଡାଉନ୍ ଘୋଷଣା ପରେ କେତେକ ଅସାଧୁ ବ୍ୟବସାୀୟ ଏହାର ମୂଲ୍ୟ ବୃଦ୍ଧି କରିଛନ୍ତି । ଏପରିକି ଆଳୁ ଓ ପିଆଜର କୌଣସି ଅଭାବ ପରିଲକ୍ଷିତ ହୋଇନଥିବାବେଳେ ଏହି ବ୍ୟବସାୟୀମାନେ ଜାଣିଶୁଣି ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ସହର ବାହାରେ ଥିବା ବିଭିନ୍ନ ଗୋଦାମରେ ହୋଡିଂ କରି ମୂଲ୍ୟକୁ ବୃଦ୍ଧି କରିଚାଲିଛନ୍ତି । ତେବେ ଆଳୁ କିଲୋ କେଉଁଠି ୧୮ ଟଙ୍କା ତ କେଉଁଠି ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ କିଲୋ ୨୫ ରୁ ୨୮ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଯେଉଁଥିପାଇଁ ଗାଁ ଗହଳିର ବହୁ ଲୋକ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଆଗକୁ ଅଧିକ ହେବା ଆଶଙ୍କାରେ ବସ୍ତା ବସ୍ତା ସାଇକେଲ୍ ଓ ବାଇକ୍‌ରେ ନେଉଥିବାର ଦୃଶ୍ୟ ପରିଲକ୍ଷିତ ହେଉଛି । ତେବେ ରାଜ୍ୟ ସରକାର ଏଭଳି ଅସାଧୁ ବେପାରୀଙ୍କୁ ସାବାଡ କରିବା ଲକ୍ଷ୍ୟରେ ୩୦ଟି ଜିଲାର ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ଗୋଦାମ ତନଖି କରି ଏ ଦିଗରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭଦ୍ରକରେ ଆଖି ଦୃଶିଆ ହୋଇପାରିନାହିଁ । ଯେଉଁଥିପାଇଁ ଅସାଧୁ ଆଳୁ ଓ ପିଆଜ ବେପାରୀମାନେ ମାଲେ ମାଲେ ହେଉଛନ୍ତି । ଏହିଭଳି ଲକଡାଉନ୍‌ର ଫାଇଦା ନେଉଥିବା କେତେକ ବ୍ୟବସାୟୀ ଟ୍ରିପ୍ ଟ୍ରିପ୍ ଆଳୁକୁ ଦୋକାନ ଓ ଗୋଦାମରେ ନରଖି ୧୬ନଂ ଜାତୀୟ ରାଜପଥ ଚରମ୍ପା ନିକଟ ଧାମରା ରେଳଲାଇନ୍ ଓଭରବ୍ରିଜ୍ ଠାରେ ଅନଲୋଡ୍ କରି ଅନ୍ୟ ଗୁପ୍ତ ସ୍ଥାନରେ ରଖି ଚଢା ଦାମ୍‌ରେ ବିକ୍ରି କରୁଥିବା ବିଷୟ ଟ୍ୱିଟ୍ ଯୋଗେ ବିଭାଗୀୟ ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ଅଭିଯୋଗ ହେବା ପରେ ତାଙ୍କ ନିର୍ଦ୍ଦେଶରେ ପ୍ରଶାସନ ଚେଇଁ ଉଠିଛି । ଏବଂ କିଛି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଏଠାରେ ସୂଚନାଯୋଗ୍ୟ ଲକଡାଉନ୍ ଆରମ୍ଭରୁ ଏହି ବେପାରୀମାନେ ହଠାତ୍ ସହରରେ ଆଳୁର ଦର ବୃଦ୍ଧି କରି କୃତ୍ରିମ ଅଭାବ ଦର୍ଶାଇଥିଲେ । ଏଣୁ ଏ ଦିଗରେ ଜିଲା ପ୍ରଶାସନ କଡା ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.