Home ଜିଲ୍ଲା ପରିକ୍ରମା ରାଜ୍ୟର ଶିଶୁ ଅପହରଣ ଓ ନିର୍ଯ୍ୟାତନା ପ୍ରତିବାଦରେ କଂଗ୍ରେସର ଏସ୍‌ପି ଅଫିସ ଆଗରେ ଗଣଧାରଣା

ରାଜ୍ୟର ଶିଶୁ ଅପହରଣ ଓ ନିର୍ଯ୍ୟାତନା ପ୍ରତିବାଦରେ କଂଗ୍ରେସର ଏସ୍‌ପି ଅଫିସ ଆଗରେ ଗଣଧାରଣା

16

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବର୍ତ୍ତମାନ ଦିନକୁ ପ୍ରାୟ ୧୧ଜଣ ଶିଶୁ ନିଖୋଜ ହୋଇଛନ୍ତିି । ଯାହାକି ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ । ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହେଇିଛି । ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନି କୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳ ବିଶେଷରେ ଧର୍ଷଣ ଓ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବରୋଚିତ । ଦୀର୍ଘ ୨୧ ବର୍ଷରୁ ଉର୍ଦ୍ଧ୍ୱ ବିଜୁ ଜନତାଦଳର ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ । ମାତ୍ର ତାଙ୍କର ମୌନବ୍ରତ ଫଳରେ ନୀରିହ, ନିଷ୍ପାପ ଶିଶୁମାନେ ଯୌନ ପିପାସୁ ଓ ଅପହରଣକାରୀଙ୍କର ଶିକାର ହୋଇ ଚାଲିଛନ୍ତି । ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୁଲିସର ଅତ୍ୟନ୍ତ ମନ୍ଥର ତଦନ୍ତ ଉପରେ ଜନସାଧାରଣଙ୍କର ବି ଭରଷା ନାହିଁ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ କହିଛନ୍ତିି । ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟର ଶିଶୁକନ୍ୟା, ଶିଶୁପୁତ୍ରଙ୍କୁ ଅପହରଣ, ନିର୍ଯାତନା, ଧର୍ଷଣ, ହତ୍ୟା ଭଳି ଜଘନ୍ୟ ଘଟଣାକୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଗଣଧାରଣା ଦିଆ ଯାଇଥିଲା । ଏଥିରେ ଉଦ୍‌ବୋଧନ ଦେଇ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି କହିଥିଲେ ଯେ ରାଜ୍ୟ ସରକାର ନିର୍ଯାତନା, ଧର୍ଷଣ, ଅପହରଣକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ । ୨୦୧୬ ସେପ୍ଟେମ୍ବର ଠାରୁ ଆଜି ଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି । ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା । ସେହିପରି ଘରୋଇ ହିଂସା, ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି । ନାରୀ ନିର୍ଯାତନା, ନାବାଳିକାକୁ ଅପହରଣ, ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଏବଂ ଚୋରି, ଡକାୟତି, ଛିନ୍‌ତାଇ ଆଦି ଅପରାଧ ସଂଖ୍ୟା ପ୍ରତିବର୍ଷ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନବାବୁ ଓ ତାଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତିି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ, ବାସୁଦେବପୁର ନେତା ଅଶୋକ ଦାସ, ଧାମନଗର ନେତା ବିଦ୍ୟାଧର ଜେନା, ଚାନ୍ଦବାଲି ନେତା ଦିଗମ୍ବର ଦାସ, ସବିତା ଚାନ୍ଦ, ଅବଦୁଲ ମୁକିତ ଖାଁ, ବିକାଶ ସାମଲ, ବାବୁଲି ଚାନ୍ଦ, ଦେବେନ୍ଦ୍ର ମହାନ୍ତି, ନାରାୟଣ ଚନ୍ଦ୍ର ପାଢୀ, ଅସ୍‌ରଫ୍ ଅଲ୍‌ୀ ଖାଁ, ସେକ୍ ସମଦାନୀ, ପୀତବାସ ଧଳ, ନିରଞ୍ଜନ ମଳ୍ଲିକ, ରିବନାରାୟଣ ମହାନ୍ତି, ବୈଲୋଚନ ପଣ୍ଡା, ଅଜୟ ଦାସ, ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ଆଶିଷ ରାଉତ, ହୃଦାନନ୍ଦ ସେଠୀ, ରମେଶ ଭାରତୀ ପ୍ରମୁଖ ଯୋଗ ଦେଇଥିଲେ । ପରେ ଏସ୍‌ପିଙ୍କ ଅନୁପସ୍ଥତିରେ ଅତିରିକ୍ତ ଏସ୍‌ପି ବିକାଶ ଦାଶଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଭାକୁ ପ୍ରଫୁଲ୍ଲ ସାମଲ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.