Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

15

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ଓ ଏହା ସହ ଅନୁବନ୍ଧିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତବ୍ୟ ରଖି ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ କୁମାର ମହାପାତ୍ର କହିଥିଲେ ଯେ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ବୋନସ ପ୍ରଦାନ ନକରି ସେମାନଙ୍କ ଠାରୁ ସେମାନଙ୍କ ହକ୍ ଛଡାଇ ନେଇଛି, ବନ୍ଦରରେ କାର୍ଯ୍ୟଭାର ନେଉଥିବା କଣ୍ଟ୍ରାକ୍ଟରମାନେ ଆକ୍ରୋଶମୂଳକ ଭାବେ ଶ୍ରମିକଙ୍କୁ ଛଟେଇ କରୁଛନ୍ତି, କର୍ମଚାରୀଙ୍କୁ ଇପିଏଫ୍ ସ୍ଲିପ ଦେଉ ନାହାନ୍ତି, ଶ୍ରମିକ ଓ କର୍ମଚାରୀଙ୍କୁ ଇଏସ୍‌ଆଇ ପରିସରଭୁକ୍ତ ନକରିବା, ଏଲ୍‌ଏନ୍‌ଜି ଟର୍ମିନାଲରେ କର୍ମଚାରୀ ଓ ଶ୍ରମକିଙ୍କୁ ପରିଚୟପତ୍ର ନଦେବା, ଓଭର ଟାଇମ ପ୍ରାପ୍ୟ ନଦେବା ଭଳି କମ୍ପାନୀର ବହୁବିଧ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ । ଏ ସଂକ୍ରାନ୍ତରେ ବାରମ୍ବାର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ହୋଇ ପାରୁନାହିଁ ବୋଲି ସଭାପତି ଶ୍ରୀ ବସନ୍ତରାୟ ତାଙ୍କ ଅଭିଭାଷଣରେ କହିଥିଲେ । ଏଥିଲାଗି ବାଧ୍ୟ ହୋଇ ଆଜି ଏ ବିକ୍ଷୋଭ, ପ୍ରତିବାଦ ସଭା ଓ ଗଣଧାରଣା ଆଦି କରାଯାଇଛି ବୋଲି ସମ୍ପାଦକ ମୁକ୍ତିକାନ୍ତ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ତୁରନ୍ତ ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ହକ୍ ଦାବୀକୁ ପୂରଣ କରିବା ସହ ଭଦ୍ରକ ଜିଲ୍ଲାର ପ୍ରମୁଖ ସହରର ସୌନ୍ଦର୍ଯ୍ୟକରଣ କରିବାକୁ ସଭାରେ ଦାବୀ କରାଯାଇଥିଲା । ପ୍ରଥମେ ସଂଘର କର୍ମକର୍ତ୍ତା ଓ ସମର୍ଥମାନେ ବାଲଗୋପାଲ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ଆନ୍ଦୋଳନରେ ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଧାମରା ବନ୍ଦର କର୍ମଚାରୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ସେଠୀ, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ରୋହିତ ଜେନା, ସୌମ୍ୟରଞ୍ଜନ ଦାସ, ଶୁଭେନ୍ଦୁ ନାୟକ, କମଳାକାନ୍ତ ସାହୁ, ଅଜୟ ମଣ୍ଡଳ, ମଣିଭଦ୍ର ମହାକୁଡ, ଆନନ୍ଦ ପରିହାରି, ବିଜୟ ପାଣି, ବିକ୍ରମ ମାନ୍ନା ପ୍ରମୁଖ ଯୋଗ ଦେଇ ଆନ୍ଦୋଳନକୁ ତୀବ୍ର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.