Home ଜିଲ୍ଲା ପରିକ୍ରମା ରଜ ଆସିଲା ପାଗ ନୋହିଲା, ଚାଷ ଜମିରେ ଚରୁଛନ୍ତି ଗୋରୁ, ଚିନ୍ତାରେ ଚାଷୀ

ରଜ ଆସିଲା ପାଗ ନୋହିଲା, ଚାଷ ଜମିରେ ଚରୁଛନ୍ତି ଗୋରୁ, ଚିନ୍ତାରେ ଚାଷୀ

65

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ବର୍ଷ ପରି ଚଳିତ ବର୍ଷ ଚାଷୀଙ୍କ ମୁହଁରେ ସେପରି ଆନନ୍ଦ ନାହିଁ। ରଜ ପୂର୍ବରୁ ଧାନ ବୁଣା ବୁଣି, ତଳି ପକା କାର୍ଯ୍ୟ ସାରି ଚାଷୀ ଆନନ୍ଦ ମନରେ ରଜ ପର୍ବ ପାଳନ କରିଥାଏ। ଏବର୍ଷ ରଜ ଆରମ୍ଭ ହେବାକୁ ବସିଲାଣି କିନ୍ତୁ ମୌସୁମିରେ ପରିବର୍ତ୍ତନ ଆସିନଥିବାରୁ ଏହା ଚାଷୀର ଚିନ୍ତା ବଢାଇ ଦେଇଛି। ପାଣି ପାଗ ସୂତ୍ରରୁ ପ୍ରକାଶ ଯେ ଆଗାମୀ ୨/୩ଦିନ ମଧ୍ୟରେ ପାଗର ପରିବର୍ତ୍ତନ ହେବ କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ବର୍ତ୍ତମାନ ଜମିରେ ଗୋରୁ ଗାଈମାନେ ଚରୁ ଥିବାର ଦେଖାଯାଇଛି। ବିବରଣୀରୁ ପ୍ରକାଶ ଯେ ଆଗରପଡ଼ା ଅଂଚଳରେ ରେ ପ୍ରାୟ ୮୦ ଭାଗ ଚାଷୀ ଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି। ରଜ ପୂର୍ବରୁ ଜମିରେ ହଳ ଗାର ବାଜି ପାରିଲା ନାହିଁ। ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଫଳରେ ଜମି ଟାଣ ହୋଇଯାଇଥିଲା। ରଜ ପର୍ବ ପଡ଼ିବାର ଏକ ମାସ ପୂର୍ବରୁ ପାଗ ନ ହେବାରୁ ହଳ ହୋଇପାରିଲା ନାହିଁ। ତା ପରେ ପରେ ୨/୩ ଦିନରେ ଥରେ ବର୍ଷା ହୋଇ ଜମି ଓଦା ହୋଇଯାଏ। ଜମି ଶୁଖିବା ପୂର୍ବରୁ ପୁଣି ବର୍ଷା ହୋଇ ଛାଡ଼ିଯାଏ। ଜମିର ପାଗକୁ ଚାହିଁ ଚାହିଁ ହଳ ହୋଇପାରିଲା ନାହିଁ। ଅଧିକ ପରିମାଣରେ ବର୍ଷା ହୋଇଥିଲେ ଜମିକୁ କାଦୁଅ କରି ଧାନ ତଳି ପକା ଯାଇପାରିଥାନ୍ତା। ତାହା ମଧ୍ୟ ହୋଇପାରିଲା ନାହିଁ। ଧାନ ତଳି ପଡ଼ି ପାରିଲା ନାହିଁ କି ଧାନ ବୁଣା କାର୍ଯ୍ୟ ହେଲା ନାହିଁ। ରଜ ଆସିଗଲା କିନ୍ତୁ ଚାଷୀଙ୍କମନରେ ପୂର୍ବହସ ଦେଖିବାକୁ ମିଳୁ ନାହିଁ। ଆମ୍ବ ପଣସର ଦର ସାଙ୍ଗକୁ ଧାନ ତଳି ନ ପକାଇପାରିବାର ଦୁଃଖ ଦୁଇ ଗୁଣା ହେବାକୁ ବସିଲାଣି। ବିଲରେ ଘାସ ମଧ୍ୟ ହୋଇଗଲାଣି। ପାଗ ଠିକ ନଥିବାରୁ ଅଧିକାଂଶ ଚାଷୀ ଗୋବରଖତ ମଧ୍ୟ ଜମିରେ ପକାଇ ପାରିଲେ ନାହିଁ। କ୍ଷେତରେ ପଡ଼ିଆ ଦେଖା ଯାଉଛି, ଗୋରୁ ଗାଈମାନେ ମନ ଆନନ୍ଦରେ ଘାସ ଖାଉଛନ୍ତି। ଜୋରରେ ବର୍ଷା ହୋଇଗଲେ ବିଚରା ଚାଷୀ ଧାନ ତଳି ପକାଇବା ସହିତ ଜମିକୁୁ କାଦୁଅ କରିବାରେ ସକ୍ଷମ ହୋଇପାରନ୍ତା, ଧାନ ଚାଷ କାର୍ଯ୍ୟରେ ଲାଗିଯାନ୍ତା। ଏସବୁ ଦୁଃଖରେ ଭାଙ୍ଗି ପଡ଼ିଛି ଚାଷୀ, ଚାଷ କେମିତି ହେବ, ପରିବାର କେମିତି ଚଳାଇବ ସେହି ଦୁଃଖରେ ମୁଣ୍ଡ଼ରେ ହାତ ଦେଇ ବସିଛି ଚାଷୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.