Home ଓଡ଼ିଶା ମୋଦି ସରକାରଙ୍କ କୃଷି ଆଇନ୍ ଦେଶର ଚାଷୀକୂଳକୁ ରସାତଳଗାମୀ କରିଦେବ – ପ୍ରଦେଶ ଯୁବ କଂଗ୍ରେସ

ମୋଦି ସରକାରଙ୍କ କୃଷି ଆଇନ୍ ଦେଶର ଚାଷୀକୂଳକୁ ରସାତଳଗାମୀ କରିଦେବ – ପ୍ରଦେଶ ଯୁବ କଂଗ୍ରେସ

142

ଭୁବନେଶ୍ୱର ତା ୨୧-୯ (ଓଡ଼ିଆ ପୁଅ) – ଆଜି କେନ୍ଦ୍ରର କୃଷି ଆଇନ୍ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ- ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିକ୍ଷୋଭ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଡଃ ଲେଙ୍କା ଏକ ଟ୍ରାକ୍ଟର ଉପରେ ବସି କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନ୍‌କୁ ପ୍ରତିବାଦ କରିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଲେଙ୍କା କହିଛନ୍ତି ଯେ ଏହି ଆଇନ୍ ଦ୍ୱାରା କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ସୁବିଧା ପାଇବେ ନାହିଁ। ଏପିଏମ୍‌ସି ବା କୃଷିଜାତ ଦ୍ରବ୍ୟ ମାର୍କେଟ କମିଟିକୁ ସଂପୂର୍ଣ୍ଣ ରୂପେ ଉଚ୍ଛେଦ କରିଦେବା ପାଇଁ ଏଥିରେ ଷଡଯନ୍ତ୍ର ହୋଇଛି। ମଣ୍ଡି ବ୍ୟବସ୍ଥା ମଧ୍ୟ ଉଠିଯିବ। ଏଥିରେ କଳାବଜାରୀମାନେ ସଂପୂର୍ଣ୍ଣ ଲାଭବାନ ହେବେ। କେବଳ ବଡ ବଡ ଶିଳ୍ପପତିମାନଙ୍କୁ ବା କର୍ପୋରେଟ୍ ସେକ୍ଟରର ସ୍ୱାର୍ଥକୁ ଆଖି ଆଗରେ ରଖି ଏହି ଆଇନ୍ ପ୍ରଣୟନ କରାଯିବ। କର୍ପୋରେଟ୍ ଫାର୍ମିଂ ଲାଭବାନ ହେବେ ଓ ଚାଷୀର ମୁଣ୍ଡରେ ଚଡକ ପଡିବ। ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଆଜି ଚାଷୀର ସତ୍ୟାନାଶ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଭୟଙ୍କର ଭାବରେ ପ୍ରଭାବିତ ହେବେ। ସରକାର କୃଷକମାନଙ୍କୁ ସେମାନଙ୍କ କ୍ରୟ ପ୍ରକ୍ରିୟାରେ ଏବଂ ଏମ୍‌ଏସ୍‌ପିରେ ସହଯୋଗ କରିବା ଉଚିତ୍। ମାତ୍ର ସରକାର ସଂପୂର୍ଣ୍ଣ ଭାବରେ କୃଷକମାନଙ୍କର ସ୍ୱାର୍ଥ ଠାରୁ ଦୂରେଇ ଯାଉଛନ୍ତି। ମୋଦି ସରକାର ଚାଷୀଙ୍କୁ ପୁଞ୍ଜିପତିମାନଙ୍କର ପଞ୍ଜା ଭିତରକୁ ଠେଲି ଦେଉଛନ୍ତି। ଏଥିରେ ମୋଦି ସରକାରର କର୍ପୋରେଟ୍ ପ୍ରୀତି ସଂପୂର୍ଣ୍ଣ ଜଳ ଜଳ ହୋଇ ଦିଶୁଛି। କଂଟ୍ରାକ୍ଟ ଫାର୍ମିଂ ରାଜିନାମାରେ କୃଷକମାନେ ମୁଲଚାଲ କରିବା ପାଇଁ ଯେଉଁ କଥା କୁହାଯାଇଛି ତାହା ସଂପୂର୍ଣ୍ଣ ଅସମ୍ଭବ। ଏଥିରେ ବଡ ବଡ ସଂସ୍ଥାଙ୍କ ଏକଚାଟିଆ ନୀତି ଚାଲିବ ବୋଲି ଡ- ଲେଙ୍କା କହିଛନ୍ତି। ଶେଷରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଲ୍ ସଂଶୋଧନ ମଧ୍ୟ ବଡ ବଡ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଉଦ୍ଦିଷ୍ଟ। ଏହାଦ୍ୱାରା ସେମାନେ ବଜାର ମୂଲ୍ୟ ନିର୍ଦ୍ଧାରଣ କରିବେ ବୋଲି ଡଃ ଲେଙ୍କା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା।

ଏହି ଶୋଭାଯାତ୍ରାରେ ଯୁବ କଂଗ୍ରେସ କର୍ମକର୍ତା ସର୍ବଶ୍ରୀ ଅଜୟ କୁମାର ସାହୁ, ମାନସ କର, ନଳିନୀକାନ୍ତ ନାୟକ, ରଂଜିତ ପାତ୍ର, ସ୍ୱାଗତ କର, ସଂକୁନା କହଁର, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଅଲିମ୍‌, ବିକି ଚକ୍ରବର୍ତ୍ତୀ, ଆଶୁତୋଷ ଲେଙ୍କା, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, କାର୍ତିକେଶ୍ୱର କାଣ୍ଡି, ଗୌତମ ଦାସ, ଇତିସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.